ନୂଆଦିଲ୍ଲୀ: ଜାତିସଂଘ ସାଧାରଣ ପରିଷଦରେ ବୈଶ୍ୱିକ ମାନଚିତ୍ରକୁ ମହାଦ୍ୱୀପଙ୍କ ବାସ୍ତବିକ୍ କ୍ଷେତ୍ରଫଳକୁ ଅତି ନିକଟରୁ ଦେଖାଉଥିବା ‘କରେକ୍ଟ ଦି ମ୍ୟାପ୍’ ପ୍ରସ୍ତାବ ସଂଖ୍ୟାଗରିଷ୍ଠ ମତରେ ଗୃହୀତ ହୋଇଛି। ଟୋଗୋ ପକ୍ଷରୁ ଉପସ୍ଥାପିତ ତଥା ଆଫ୍ରିକୀୟ ସଂଘର ସମର୍ଥନ ଥିବା ଏହି ପ୍ରସ୍ତାବ ସପକ୍ଷରେ ୧୬୪ଟି ଦେଶ ଅଛନ୍ତି। କେବଳ ଯୁକ୍ତରାଷ୍ଟ୍ର ଆମେରିକା ଏହାକୁ ବିରୋଧ କରିଛି। ସେହିପରି ଏଷ୍ଟୋନିୟା, ଜର୍ଜିୟା, ଲିଥୁଆନିୟା, ମାଲଡୋଭା ଓ ୟୁକ୍ରେନ ଭୋଟରୁ ଦୂରେଇ ରହିଥିଲେ।

ଭାରତ ଏହି ପ୍ରସ୍ତାବକୁ ସମର୍ଥନ କରି ସପକ୍ଷରେ ମତଦାନ କରିଛି। ତେବେ ଏହି ପ୍ରସ୍ତାବ ବାଧ୍ୟକାରୀ ନୁହେଁ, ହେଲେ ଏବେ ବିଭିନ୍ନ ସରକାର ଓ ଅନ୍ତର୍ଜାତୀୟ ଏଜେନ୍ସୀ ସ୍କୁଲ, ମିଡିଆ, ଡିଜିଟାଲ ପ୍ଲାଟଫର୍ମ ଓ ଅଧିକାରୀକ ମାନଚିତ୍ରରେ ଥିବା ମର୍କେଟର ପ୍ରେଜେକ୍ସନ ବଦଳେ ସମାନ କ୍ଷେତ୍ରର ମାନଚିତ୍ରକୁ ପ୍ରୋତ୍ସାହିତ କରିପାରିବେ। ମୋଟ ଉପରେ ଏବେ ବିଶ୍ୱ ମାନଚିତ୍ରରେ ଭାରତର ନକ୍ସା ବଡ଼ ଆକାରରେ ଦେଖାଯିବ। ଆଫ୍ରିକା ଓ ଅନ୍ୟ ଦେଶଙ୍କ ମାନଚିତ୍ର ମଧ୍ୟ ଠିକ୍ ଭାବେ ସାମ୍ନାକୁ ଆସିବ।

ଉଲ୍ଲେଖଯୋଗ୍ୟ ଯେ ଏହି ପ୍ରସ୍ତାବ ଏଥି ପାଇଁ ଅଣାଯାଇଛି ଯେ ଶହଶହ ବର୍ଷରୁ ଚଳି ଆସୁଥିବା ମର୍କେଟର ନକ୍ସାରେ ବିଶ୍ୱର ମ୍ୟାପ୍ ଠିକ୍ ଭାବେ ସାମ୍ନାକୁ ଆସୁ ନାହିଁ। ଷୋଡଶ ଶତାବ୍ଦୀରେ ନୌବାଣିଜ୍ୟ କରୁଥିବା ଲୋକଙ୍କ ଲାଗି ତିଆରି ହୋଇଥିବା ନକ୍ସା ଏହାର ନିର୍ମାଣ ଶୈଳୀ ଯୋଗୁ ଧ୍ରୁବ ନିକଟରେ ଥିବା ଅଞ୍ଚଳକୁ ବଡ ଓ ଭୂମଧ୍ୟରେଖା ନିକଟରେ ଥିବା ମହାଦ୍ୱୀପଙ୍କୁ ଛୋଟ କରି ଦେଖାଉଛି। ଏହାର ଫଳ ହେଉଛି ଗ୍ରୀନଲ୍ୟାଣ୍ଡଠାରୁ ଆଫ୍ରିକା ୧୪ ଗୁଣା ବଡ଼ ହୋଇଥିଲେ ମଧ୍ୟ ମାନଚିତ୍ରରେ ଏହାକୁ ଛୋଟ ଦେଖା ଯାଉଛି।

ଆମେରିକା ଓ କେତେକ ପାଶ୍ଚାତ୍ୟ ଦେଶ ମାନଚିତ୍ରରେ ବାସ୍ତବ କ୍ଷେତ୍ରଫଳଠାରୁ ଅଧିକ ବିଶାଳ ଖଣ୍ଡ ଭାବେ ଦେଖାଯାଉଛନ୍ତି। ଏଥିରେ ଆଫ୍ରିକା ଓ ଦକ୍ଷିଣ ଏସିୟା ଆକାରକୁ ଛୋଟ ଓ ସଂକୁଚିତ ହେଉଥିବା ଦେଖା ଯାଉଛି। ପ୍ରସ୍ତାବରେ କୁହାଯାଇଛି ଯେ ଏହି ବିକୃତି ବିଶ୍ୱର ଅସନ୍ତୁଳିତ ଛବି ତିଆରି କରୁଛି। ତେବେ ଏହାର ପ୍ରଭାବ ସିଧା ଭାରତ ଉପରେ ପଡିବ ନାହିଁ। ଏଥିରେ କୌଣସି ଦେଶର ଭୌଗଳିକ କ୍ଷେତ୍ରଫଳ ବଢିଯିବନି। ତେବେ ଫରକ କେବଳ ଏତିକି ରହିବ ଯେ ସମାନ କ୍ଷେତ୍ରଫଳର ନକ୍ସାରେ ଭାରତ ଓ ଦକ୍ଷିଣ ଏସିୟା , ୟୁରୋପ ଓ ଉତ୍ତର ଆମେରିକା ତୁଳନାରେ ଅଧିକ ବାସ୍ତବିକ ଅନୁପାତରେ ଦେଖାଯିବ। ବିଦ୍ୟାଳୟ ଶ୍ରେଣୀ ଓ ସମ୍ବାଦ ସରବରାହରେ ଦେଶର ଭୌଗଳିକ ଓଜନ ଏବେ ଛୋଟ ଲାଗିବ ନାହିଁ।

ଭାରତ ସ୍ପଷ୍ଟ କରିଛି ଯେ ସେ ଏପରି ମାନଚିତ୍ରକୁ ସମର୍ଥନ କରୁଛି ଯାହା ମହାଦ୍ୱୀପର ପାରସ୍ପରିକ ଆକାରକୁ ସଠିକ ରଖୁଥିବ। ମିଳିତ ଜାତି ସଂଘ ମିସନରେ ଭାରତର ପ୍ରଥମ ସଚିବ ରଘୁ ପୁରୀ କହିଛନ୍ତି ଯେ ସମାଜ, ଭୂଗୋଳ ଓ ବିଶ୍ୱର ଆକାରକୁ କିପରି ବୁଝାଉଛି ଏହା ନକ୍ସା ନିର୍ଦ୍ଧାରଣ କରେ। ସେ କହିଛନ୍ତି ଯେ ଏହାକୁ ଏକ କାର୍ଟୋଗ୍ରାଫିକ ପଦ୍ଧତୀର ସମର୍ଥନ ବୁଝାଯିବା ଉଚିତ ନୁହେଁ। ଏବେ ଆଗକୁ ବିଦ୍ୟାଳୟ ପୁସ୍ତକ, ସରକାରୀ ପ୍ରେଜେଣ୍ଟେସନ ଓ ଡିଜିଟାଲ ମାନଚିତ୍ର କେତେ ଶୀଘ୍ର ବଦଳୁଛି ଏହା ସଦସ୍ୟ ଦେଶ ଓ ସଂସ୍ଥାଙ୍କ ଉପରେ ନିର୍ଭର କରିବ।