ଆମେରିକାର ମିଆମି ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ଯାତ୍ରୀବାହୀ ବିମାନ ଓ ଏକ ମାଲବାହୀ ବିମାନ ମଧ୍ୟରେ ଧକ୍କା ହୋଇଛି। ଏହି ଘଟଣାରେ ଦୁଇ ଜଣ ସାମାନ୍ୟ ଆହତ ହୋଇଥିବା ଖବର ମିଳିଛି। ଘଟଣାକୁ ଗୁରୁତ୍ୱର ସହ ନେଇ ଆମେରିକାର ଫେଡେରାଲ୍ ଏଭିଏସନ୍ ଆଡମିନିଷ୍ଟ୍ରେସନ୍ ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ, ପାନାମା ସିଟିରୁ ୧୬୬ ଜଣ ଯାତ୍ରୀ ଓ ୬ ଜଣ କୃ ସଦସ୍ୟଙ୍କୁ ନେଇ କୋପା ଏୟାରଲାଇନ୍ସର ଏକ ବିମାନ ମିଆମି ବିମାନବନ୍ଦରରେ ଅବତରଣ କରିଥିଲା। ଅବତରଣ ପରେ ବିମାନଟି ରନୱେରୁ ଟ୍ୟାକ୍ସିୱେ ଦେଇ ଯାଉଥିବା ବେଳେ ବୋଗୋଟା ଅଭିମୁଖେ ଉଡ଼ାଣ ପାଇଁ ପ୍ରସ୍ତୁତ ହେଉଥିବା UPSର ଏକ ମାଲବାହୀ ବିମାନ ସହ ଧକ୍କା ହୋଇଥିଲା।

ପ୍ରାଥମିକ ତଦନ୍ତ ଓ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ର ରେଡିଓ ବାର୍ତ୍ତାଳାପରୁ ଜଣାପଡ଼ିଛି ଯେ, ଧକ୍କା ପୂର୍ବରୁ ନିୟନ୍ତ୍ରଣ କକ୍ଷ ପକ୍ଷରୁ UPS ବିମାନର ପାଇଲଟ୍ଙ୍କୁ କୋପା ଏୟାରଲାଇନ୍ସର ବିମାନକୁ ରାସ୍ତା ଛାଡ଼ିବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଥିଲା। ତଥାପି ଏହି ଧକ୍କା କିପରି ଘଟିଲା, ତାହା ଏବେ ତଦନ୍ତର ବିଷୟ ପାଲଟିଛି।

ଘଟଣା ପରେ କୋପା ଏୟାରଲାଇନ୍ସର ପାଇଲଟ୍ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍କୁ କହିଥିଲେ, “କେହି ଜଣେ ଆମକୁ ଧକ୍କା ଦେଇଛନ୍ତି।” ଏହାର ଜବାବରେ UPS ବିମାନର ପାଇଲଟ୍ କହିଥିଲେ, “ଆମେ ଟିକେ ଆଗକୁ ଚାଲିଯାଇଥିଲୁ ଏବଂ ପରେ ସେହି ବିମାନଟି ଆମକୁ ଡେଣାରେ ଧକ୍କା ଦେଇଥିଲା।” ଏହାପରେ କୋପା ବିମାନର ପାଇଲଟ୍ ନିଜ ବିମାନର ବାମ ପାର୍ଶ୍ୱ ଡେଣାର ଶେଷ ଭାଗ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ଦେଇଥିଲେ।

କୋପା ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି ଯେ, ଏହି ଘଟଣାରେ ଯାତ୍ରୀ ଓ କ୍ରୁ ସଦସ୍ୟଙ୍କ ସୁରକ୍ଷା ହିଁ ସେମାନଙ୍କର ସର୍ବୋଚ୍ଚ ପ୍ରାଥମିକତା। ତଦନ୍ତରେ ସମସ୍ତ ପ୍ରକାର ସହଯୋଗ କରାଯିବ। ଧକ୍କା ପରେ ବିମାନଟିକୁ ଟାଣି ନିଆଯାଇ ନିର୍ଦ୍ଧାରିତ ଗେଟ୍ରେ ପହଞ୍ଚାଯାଇଥିଲା ଏବଂ ଏଥିରେ ଥିବା ସମସ୍ତ ୧୭୨ ଜଣଙ୍କୁ ସୁରକ୍ଷିତ ଭାବେ ଓହ୍ଲାଇ ଦିଆଯାଇଥିଲା। ସେହିପରି UPS ପକ୍ଷରୁ ମଧ୍ୟ ଏହାର କ୍ରୁ ସଦସ୍ୟମାନେ ସୁରକ୍ଷିତ ଥିବା ସ୍ପଷ୍ଟ କରାଯାଇଛି।

ALSO READ- US Flights: ଆମେରିକାରେ ବିମାନ ସେବା ଠପ; ୫୩୦ଟି ଉଡାଣ ବାତିଲ, ଏୟାରପୋର୍ଟରେ ଫସିଛନ୍ତି ଅନେକ ଯାତ୍ରୀ

ଉଲ୍ଲେଖଯୋଗ୍ୟ, ଏହି ଘଟଣାର ମାତ୍ର ୨୪ ଘଣ୍ଟା ପୂର୍ବରୁ ଆମେରିକାରେ FAA ପକ୍ଷରୁ ଜାରି ହୋଇଥିବା ଗ୍ରାଉଣ୍ଡ ଷ୍ଟପ୍ ଯୋଗୁଁ ଦେଶବ୍ୟାପୀ ଅନେକ ବିମାନ ଉଡ଼ାଣ ବାତିଲ ହୋଇଥିଲା। ଫଳରେ ବହୁ ଯାତ୍ରୀ ବିମାନବନ୍ଦରରେ ଅଟକି ରହିଥିଲେ। ଏବେ ମିଆମି ବିମାନବନ୍ଦରର ଏହି ଧକ୍କା ଘଟଣା ବିମାନବନ୍ଦରର ଭୂପୃଷ୍ଠ ସୁରକ୍ଷା ଓ ଏୟାର ଟ୍ରାଫିକ୍ ନିୟନ୍ତ୍ରଣ ବ୍ୟବସ୍ଥାକୁ ନେଇ ପୁଣିଥରେ ପ୍ରଶ୍ନ ଉଠାଇଛି।