ନୂଆଦିଲ୍ଲୀ, ୦୭/୦୫: ବୁଧବାର ଆଇପିଏଲର ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ମୁହାଁମୁହିଁ ହୋଇଥିଲେ ପଞ୍ଜାବ କିଙ୍ଗସ୍ ଏବଂ ସନ୍ ରାଇଜର୍ସ ହାଇଦ୍ରାବାଦ । ମୁକାବିଲାକୁ ୩୩ ରନରେ ଜିତି ନେଇଛି ହାଇଦ୍ରାବାଦ୍ । ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିଲା ଏସଆରଏଚ୍ । ଦଳ ନିର୍ଧାରିତ ୨୦ ଓଭରରେ ୨୩୫ ରନ୍ କରିଥିଲା । ଜବାବରେ ପଞ୍ଜାବ ୨୦୨ ରନ୍ କରିପାରିଥିଲେ । ତେବେ ପଞ୍ଜାବ ହାରିଥିଲେ ବି ଶତକ ଲଗାଇଥିଲେ କୁପର୍ କୋନୋଲି । ଏହି ଶତକ ସହ ସେ ଅନେକ ମାଇଲଷ୍ଟୋନ୍ ହାସଲ କରିଛନ୍ତି ।

ମୁକାବିଲାରେ କୁପର୍ ୫୯ ବଲ୍ ଖେଳିଥିଲେ । ଏହାସହ ୧୦୭ ରନ୍ ହାସଲ କରିଥିଲେ । ଇନିଂସରେ ସେ ୮ ଛକା ଲଗାଇଥିବା ବେଳେ ୭ ଚଉକା ଲଗାଇଥିଲେ । ତେବେ ୨୨ ବର୍ଷୀୟ କୁପର ଶତକ ସହ ସବୁଠୁ କମ୍ ବୟସର ବିଦେଶୀ ଖେଳାଳି ଭାବେ ଶତକ ଲଗାଇଥିବା ବ୍ୟାଟର ହୋଇ ପାରିଛନ୍ତି । ପୂର୍ବରୁ ଏହି ରେକର୍ଡ କ୍ୱିଣ୍ଟନ୍ ଡିକକ୍ ଙ୍କ ନାଁରେ ଥିଲା । ସେ ୨୦୧୬ରେ ବେଙ୍ଗାଲୁରୁ ବିପକ୍ଷରେ ୨୩ ବର୍ଷ ୧୨୨ ଦିନରେ ଶତକ ଲଗାଇଥିଲେ । ଏବେ କୁପର ୨୨ ବର୍ଷ ୨୫୭ ଦିନରେ ସେଞ୍ଚୁରି ମାରିଛନ୍ତି ।

ଅନ୍ୟମାନଙ୍କ ମଧ୍ୟରେ ଡେଭିଡ୍ ଓ୍ୱାର୍ଣ୍ଣର ୨୩ ବର୍ଷ ୧୫୩ ଦିନରେ, ଡେଭିଡ୍ ମିଲର ୨୩ ବର୍ଷ ୩୩୦ ଦିନରେ ଏବଂ କ୍ୟାମେରୁନ୍ ଗ୍ରୀନ୍ ୨୩ ବର୍ଷ ୩୫୨ ଦିନରେ ଶତକ ଲଗାଇଥିବା ବିଦେଶୀ ଖେଳାଳି ଅଟନ୍ତି ।

୧୦୭ ରନର୍ ଅପରାଜେୟ ଇନିଂସ ଖେଳି କୁପର ପିବିକେଏସର ଦ୍ୱିତୀୟ ୨୨ ବର୍ଷୀୟ ବ୍ୟାଟର ଭାବେ କୀର୍ତ୍ତିମାନ ସ୍ଥାପନ କରିଛନ୍ତି । ପୂର୍ବରୁ ପ୍ରଭସିମରନ୍ ସିଂ ୨୦୨୩ରେ ଦିଲ୍ଲୀ ବିପକ୍ଷରେ ୨୨ ବର୍ଷରେ ଶତକ ଅର୍ଜନ କରିଥିଲେ । ଖାଲି ଏତିକି ନୁହେଁ କୁପର୍ ୮ଟି ଛକା ଲଗାଇଥିଲେ । ଯାହା ୨୨ ବର୍ଷୀୟ ବ୍ୟାଟର ଭାବେ କୌଣସି ଆଇପିଏଲ ମୁକାବିଲାରେ ପିବିକେଏସ୍ ପକ୍ଷରୁ ସର୍ବାଧିକ । ଏହାଦ୍ୱାରା ସେ ନିଜେ ପୂର୍ବରୁ ଲଗାଇଥିବା ୭ଟି ଛକାର ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି ।