ପୁରୀ ୪।୭: ରଥଯାତ୍ରା ସମୟରେ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ । ଭକ୍ତଙ୍କ ପ୍ରବଳ ସମାଗମକୁ ଦୃଷ୍ଟିରେ ରଖି ମାର୍କେଟ ଛକ ଠାରୁ ଶରଧାବାଲି ପର୍ଯ୍ୟନ୍ତ ରନ୍ଧା ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯିବ । ଚଳିତ ବର୍ଷ ରଥଯାତ୍ରାକୁ ଶୃଙ୍ଖଳିତ ଓ ସ୍ବଚ୍ଛତାର ସହ ସମ୍ପନ୍ନ କରିବାକୁ ପ୍ରଶାସନ ଓ ମହାନଗର ନିଗମ ସମସ୍ତ ବ୍ୟବସ୍ଥାକୁ ତ୍ବରାନ୍ବିତ କରିଛନ୍ତି ।

ଶୁକ୍ରବାର ମଧ୍ୟ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢୀ ରଥଯାତ୍ରା ପରିପ୍ରେକ୍ଷୀରେ ବିଭାଗର ସମୀକ୍ଷା କରିଥିଲେ । ମହାନଗର ନିଗମ ସମସ୍ତ ଆହ୍ଵାନ ପାଇଁ ପ୍ରସ୍ତୁତ ରହିବାକୁ ସେ ପରାମର୍ଶ ଦେଇଛନ୍ତି । ସମଗ୍ର ସହରକୁ ସ୍ବଚ୍ଛ ରଖାଯିବା ସହ ପବିତ୍ର ବଡଦାଣ୍ଡକୁ ମଧ୍ୟ ସ୍ବଚ୍ଛତା ପାଇଁ ଅତିରିକ୍ତ ଦୃଷ୍ଟି ଦିଆଯାଇଛି । ସଫେଇ ପାଇଁ ଅଧିକ କର୍ମଚାରୀ ମୁତୟନ କରାଯାଇଛି ।

Also Read:- ରଥଯାତ୍ରା ପାଇଁ ପୋଲିସ ପ୍ରଶାସନର ଚୂଡ଼ାନ୍ତ ପ୍ରସ୍ତୁତି, ସୁରକ୍ଷା ବ୍ୟବସ୍ଥାରେ ଯେଭଳି ତ୍ରୁଟି ନ ରହିବ ସବୁ ବରିଷ୍ଠ ଅଧିକାରୀଙ୍କୁ ଡିଜିପିଙ୍କ ପରାମର୍ଶ

ଅନ୍ୟପଟେ ବଡଦାଣ୍ଡର ଶ୍ରୀମନ୍ଦିର ଠାରୁ ମାର୍କେଟ ଛକ ପର୍ଯ୍ୟନ୍ତ କୌଣସି ରନ୍ଧା ଖାଦ୍ୟ ପରିବେଷଣ କରାଯାଇ ପାରିବ ନାହିଁ । କେବଳ ଶୁଖିଲା ଖାଦ୍ୟ ବଣ୍ଟନ କରାଯିବ । ତେବେ ମାର୍କେଟ ଛକ ଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ଆବଣ୍ଟିତ ସ୍ଥାନରେ ରନ୍ଧା ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇ ପାରିବ ବୋଲି ନିଷ୍ପତ୍ତି ନିଆଯାଇଛି । ଯାହା ଫଳରେ ଶ୍ରଦ୍ଧାଳୁ ମାନେ ବିଶେଷ ଉପକୃତ ହୋଇପାରିବେ ବୋଲି ମହାନଗର ନିଗମ ପକ୍ଷରୁ ସ୍ପଷ୍ଟ କରାଯାଇଛି ।