ମୁମ୍ବାଇ: ଟାଟା ଟ୍ରଷ୍ଟ ଏନ.ଚନ୍ଦ୍ରଶେଖରନଙ୍କୁ ପୁଣି ଥରେ ଚେୟାରମ୍ୟାନ ନିଯୁକ୍ତି ଲାଗି ଟାଟା ସନସ୍ ର ୧୭ ସେପ୍ଟେମ୍ବର ନିଷ୍ପତ୍ତିର ବୈଧତାକୁ ଚ୍ୟାଲେଞ୍ଜ କରିଛି। ଟ୍ରଷ୍ଟର କହିବା କଥା ହେଉଛି କମ୍ପାନୀର ଆର୍ଟିକ୍ଲ ଅଫ ଆସୋସିଏସନ (ଏଓଏ) ଅନୁସାରେ ଟ୍ରଷ୍ଟ ତରଫରୁ ନୋମିନେଟ୍ ଡାଇରେକ୍ଟର୍ସଙ୍କ ବହୁମତ ସମର୍ଥନ ଜରୁରି। ଏଣୁ ଚେୟାରମ୍ୟାନଙ୍କ କାଷ୍ଟିଂ ଭୋଟ ଏହି ସର୍ତ୍ତକୁ ସମାପ୍ତ କରିପାରିବ ନାହିଁ। ଦେଶର ସବୁଠୁ ବଡ଼ ଇଣ୍ଡଷ୍ଟ୍ରିଆଲ ଗ୍ରୁପ ଟାଟା ବୋର୍ଡରେ ଏହି ବିବାଦ ଗତ ସପ୍ତାହରେ ବେଶ୍ ବଢି ଯାଇଥିଲା। ଟାଟା ସନସ୍ ଡାଇରେକ୍ଟରମାନେ ଚନ୍ଦ୍ରଶେଖରନଙ୍କୁ କାର୍ଯ୍ୟକାରୀ ଚେୟାରମ୍ୟାନ ଭାବେ ଆଉ ଏକ କାର୍ଯ୍ୟକାଳ ଦେବା ଲାଗି ପ୍ରସ୍ତାବକୁ ମଞ୍ଜୁର କରିଥିଲେ।

ତେବେ ଟାଟା ସନସ୍ ର ସବୁଠୁ ବଡ଼ ସେୟାର ହୋଲ୍ଡର ଟାଟା ଟ୍ରଷ୍ଟ ଏହି ନିଷ୍ପତ୍ତିକୁ ଅବୈଧ ବୋଲି କହିଛି। ଟାଟା ସନସ୍ ରେ ପାଖାପାଖି ଦୁଇ ତୃତିୟାଂଶ ଅଂଶିଦାରୀ ରଖୁଥିବା ଟାଟା ଟ୍ରଷ୍ଟ ଚେୟାରମ୍ୟାନ ନୋଏଲ ଟାଟା ଚନ୍ଦ୍ରଶେଖରନ ଙ୍କ ଟର୍ମ ୫ ବର୍ଷ ବଢାଇବା ବିପକ୍ଷରେ ଭୋଟ ଦେଇଥିଲେ। ତେବେ ଟାଟା ଟ୍ରଷ୍ଟ ପକ୍ଷରୁ ବୋର୍ଡକୁ ନୋମିନେଟ୍ ଅନ୍ୟତମ ଡାଇରେକ୍ଟର ବେଣୁ ଶ୍ରୀନିବାସନ କିନ୍ତୁ ପ୍ରସ୍ତାବ ସପକ୍ଷରେ ଭୋଟ ଦେଇଥିଲେ। ଟ୍ରଷ୍ଟ ନିଜ ବୟାନରେ କହିଛି ଯେ ବୋର୍ଡ ମିଟିଂରେ କୌଣସି ଟାଇ ଅଥବା ଡେଡଲକ୍ ନଥିଲା। ଏଣୁ ଚେୟାରମ୍ୟାନଙ୍କ କାଷ୍ଟିଂ ଭୋଟକୁ ଉପଯୋଗ କରିବାର ପ୍ରଶ୍ନ ହିଁ ଉଠୁ ନାହିଁ। ଟ୍ରଷ୍ଟ ଅନୁସାରେ ଦୁଇ ନୋମିନେଟେଡ ଡାଇରେକ୍ଟର୍ସଙ୍କ ମଧ୍ୟରୁ ଜଣେ ପ୍ରସ୍ତାବ ବିରୋଧରେ ଭୋଟ କରିଛନ୍ତି। ଏଣୁ ଏଥି ପାଇଁ ଜରୁରି ସର୍ତ୍ତ ପୂରଣ ହେଉ ନାହିଁ।

ଟ୍ରଷ୍ଟ କହିଛି ଯେ ଟାଟା ସନସ୍ ବୋର୍ଡରେ ଟାଟା ଟ୍ରଷ୍ଟର ଦୁଇଜଣ ନୋମିନେଟେଡ ଡାଇରେକ୍ଟର ଅଛନ୍ତି। ଦୁଇ ଜଣଙ୍କ ମଧ୍ୟରେ ବହୁମତର ଅର୍ଥ ହେଲା ଉଭୟଙ୍କ ଭୋଟ, ଜଣକର ନୁହେଁ। ସେପ୍ଟେମ୍ବର ୧୭ରେ ସେମାନଙ୍କ ମଧ୍ୟରୁ ଜଣେ ଡାଇରେକ୍ଟର ପ୍ରସ୍ତାବ ବିରୋଧରେ ଭୋଟ କରିଛନ୍ତି। ଏଣୁ ଏଓଏ ଅନୁସାରେ ଜରୁରି ପଜେଟିଭ ସପୋର୍ଟ ମିଳି ନାହିଁ। ଏହି ସର୍ତ୍ତ ପୁରା ହୋଇ ନାହିଁ, ଏଣୁ ପ୍ରସ୍ତାବ ଗୃହୀତ ହୋଇଛି ବୋଲି ମନେ କରାଯାଇ ପାରିବନି।