ତିରୁଅନନ୍ତପୁରମ: ମୁଖ୍ୟ ନିର୍ବାଚନ କମିସନର (ସିଇସି) କେରଳମ ପୂର୍ତ୍ତ ବିଭାଗର ସଚିବ ଥିବା ସମୟରେ ଏକ ସଡ଼କ ପ୍ରକଳ୍ପରେ ହୋଇଥିବା ଦୁର୍ନୀତିର ପ୍ରାରମ୍ଭିକ ତଦନ୍ତ ନିମନ୍ତେ ଠିକାଦାର ଭି.ଓ. ସାଜନ ସୋମବାର ଭିଜିଲାନ୍ସ ଓ ଦୁର୍ନୀତି ନିବାରଣ ବ୍ୟୁରୋ (ଭିଏସିବି)ରେ ହାଜର ହୋଇଛନ୍ତି। କୋଲମ ଚଡ୍ଡୟାମଙ୍ଗଲମ ବାସିନ୍ଦା ସାଜନ ସୋମବାର ମୁଟ୍ଟାଥାରାସ୍ଥିତ କାର୍ଯ୍ୟାଳୟକୁ ପହଞ୍ଚିଥିଲେ। ତେବେ କାର୍ଯ୍ୟାଳୟକୁ ଯିବା ପୂର୍ବରୁ ସାମ୍ବାଦିକଙ୍କ ସହ ଆଲୋଚନାରେ ସାଜନ କହିଛନ୍ତି ଯେ ପୂର୍ବ ତଦନ୍ତ ଅପର୍ଯ୍ୟାପ୍ତ ଥିଲା ଓ ତତ୍କାଳୀନ ସଚିବ ଜ୍ଞାନେଶ କୁମାରଙ୍କ ସପକ୍ଷରେ ବୟାନ ରେକର୍ଡ କରାଯାଇଥିଲା ଓ ତାଙ୍କ କଥିତ ସମ୍ପୃକ୍ତିକୁ ସୂଚାଉଥିବା ଗୁରୁତ୍ୱପୂର୍ଣ୍ଣ ପ୍ରମାଣକୁ ଅଣଦେଖା କରାଯାଇଥିଲା।

ସାଜନ କହିଛନ୍ତି ଯେ ଦୁର୍ନୀତି ମାମଲାରେ ପର୍ଯ୍ୟାପ୍ତ ପ୍ରମାଣ ଥିଲା ତଥାପି ସେତେବେଳେ ମାମଲାର ବିସ୍ତୃତ ତଦନ୍ତ କରାଯାଇ ନଥିଲା। ଏଣୁ ତଦନ୍ତ ଅଭାବରୁ ଜ୍ଞାନେଶ କୁମାରଙ୍କୁ ମାମଲାରେ ଅଭିଯୁକ୍ତ ଭାବେ ନାମିତ କରାଯାଇ ନଥିଲା। ସାଜନ ଅଭିଯୋଗ କରିଛନ୍ତି ଯେ କମ୍ପାନୀର ଚିଫ କମର୍ସିଆଲ ମ୍ୟାନେଜର ପ୍ରାରମ୍ଭରେ ଏକ ବୟାନ ଦେଇଥିଲେ। ଯେଉଁଥିରେ ଏହି ଦୁର୍ନୀତିରେ ଜ୍ଞାନେଶ କୁମାର ସାମିଲ ଥିବା ନେଇ ଇଶାରା କରିଥିଲେ। ତେବେ ସାଜନ ଦାବି କରିଛନ୍ତି ଯେ ଅଧିକାରୀଙ୍କୁ ୪ ମାସ ପରେ ପୁଣି ଡକାଗଲା ଓ ଧମକ ଦିଆଗଲା ଯେ ଯଦି ବୟାନରୁ ଜ୍ଞାନେଶ କୁମାରଙ୍କ ନାମ ନ ହଟାନ୍ତି ତେବେ ତାଙ୍କ ବିଲ୍ କ୍ଲିୟର କରିବାରେ ସମସ୍ୟା ଉପୁଜିପାରେ।

ସେ ଅଭିଯୋଗ କରିଛନ୍ତି ଯେ ଦ୍ୱିତୀୟ ବୟାନ ଚାପରେ ରେକର୍ଡ ହୋଇଥିଲା। ଏଣୁ ମାମଲାରୁ କୁମାରଙ୍କ ନାମ ହଟି ଯାଇଥିଲା। ସାଜନ କହିଛନ୍ତି ଯେ ଏ ବାବଦେ ଡକ୍ୟୁମେଣ୍ଟାରୀ ପ୍ରମାଣ ମଧ୍ୟ ରହିଛି ଓ ଆଶା କରିଛନ୍ତି ଯେ ଭିଏସିବିଙ୍କ ଏବେକା ଯାଞ୍ଚରେ ତଦନ୍ତର ଅଂଶ ଭାବେ ଏହି ଦିଗ ଗୁଡିକର ତଦନ୍ତ କରିବେ। ନିକଟରେ କେରଳମ ଗୃହମନ୍ତ୍ରୀ ରମେଶ ଚେନ୍ନିଥଲା କେରଳ ରାଜ୍ୟ ପରିବହନ ପ୍ରକଳ୍ପ (କେଏସଟିପି)ରେ ହୋଇଥିବା ଦୁର୍ନୀତିର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ୨୦୦୬ ମସିହାର ଏହି ତଦନ୍ତ ବେଳେ ଜ୍ଞାନେଶ କୁମାର କେରଳ ପିଡବ୍ଲୁଡି ସଚିବ ଥିଲେ।

୨୦୦୬ ମସିହାରେ କେଏସଟିପି ଅଙ୍ଗାମାଲି-ତିରୁଅନନ୍ତପୁରମ ଏମସି ରୋଡର ଏକ ଅଂଶ ପୁନଃନିର୍ମାଣ ନିମନ୍ତେ ବିଶ୍ୱବ୍ୟାଙ୍କ ଫଣ୍ଡିଂରେ ୨୧୫ କୋଟି ଟଙ୍କାର ପ୍ରକଳ୍ପ ଆରମ୍ଭ କରିଥିଲା। ଏହି ଚୁକ୍ତିନାମା ମାଲେସିଆର ଏକ ଫାର୍ମ ଓ ଭାଗିରଥୀ ଇଞ୍ଜନିୟରିଂ ମଧ୍ୟରେ ଏକ ମିଳିତ ଉଦ୍ୟମ ପିଏଟିଆଇ-ବିଇଏଲକୁ ଦିଆଯାଇଥିଲା। ମାଲେସିୟା କମ୍ପାନୀର ପ୍ରୋଜେକ୍ଟ ଇଞ୍ଜିନିୟର ଲି ସି ବିନ୍ କଥିତ ରୂପେ ନିର୍ମାଣ କାର୍ଯ୍ୟ କାଳରେ ଅନେକ ଅଭିଯୋଗ କରିଥିଲେ ଓ ପରେ ସେ ମାଲେସିୟା ଫେରିଯାଇ ଆତ୍ମହତ୍ୟା କରିଥିଲେ।

ବିନ୍ ଙ୍କ ମୃତ୍ୟୁ ଓ ଜ୍ଞାନେଶ କୁମାରଙ୍କ କେନ୍ଦ୍ରୀୟ ଡେପୁଟେସନ ଯୋଗୁ ୨୦୦୬ ମସିହାରେ ତଦନ୍ତ ସ୍ଥଗିତ କରିଦିଆଯାଇଥିଲା। କେରଳମ ଭିଏସିବିର ଏହି ତଦନ୍ତ ସେତେବେଳେ ଆରମ୍ଭ ହୋଇଛି ଯେତେବେଳେ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳମାନେ ସିଇସି ଏବଂ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର)କୁ ଦେଶରେ ବିରୋଧ କରୁଛନ୍ତି। ତେବେ ଜ୍ଞାନେଶ କୁମାର ଏ ପର୍ଯ୍ୟନ୍ତ ତଦନ୍ତ ଅଥବା ତାଙ୍କ ବିରୋଧରେ ଅଭିଯୋଗର କୌଣସି ଜବାବ ଦେଇ ନାହାନ୍ତି।