ନୂଆଦିଲ୍ଲୀ: ଲୁଟିୟନସ୍ ଦିଲ୍ଲୀର ଆକବର ରୋଡରେ ଥିବା ବଙ୍ଗଳା ନମ୍ବର ୨୪କୁ କଂଗ୍ରେସ ଜୁନ ୨୦୧୩ରୁ ଅବୈଧ ଭାବେ ମାଡ଼ି ବସି ରଖିଛି। ଏହି ବଙ୍ଗଳାକୁ କଂଗ୍ରେସ ମୁଖ୍ୟାଳୟ ଭାବେ ଉପଯୋଗ କରୁଥିଲା। ଏହାରର ଭଡ଼ା ମଧ୍ୟ ପୈଠ ହେଉନି। ସୂଚନା ଅଧିକାର ଆଇନ (ଆରଟିଆଇ)ରେ ମିଳିଥିବା ଏକ ସୂଚନାରୁ ଏହା ଜଣାପଡିଛି। ତେବେ ସରକାର ଏବେ ଏହି ବଙ୍ଗଳାର ବକେୟା ଭଡ଼ା ସମୀକ୍ଷା କରୁଛନ୍ତି। କେତେ ରାଶି ବକେୟା ଅଛି ତାହା ଏପର୍ଯ୍ୟନ୍ତ ନିର୍ଦ୍ଧାରଣ ହୋଇ ନାହିଁ। କେନ୍ଦ୍ର ଆବାସ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରାଳୟ ଅନ୍ତର୍ଗତ ଡାଇରେକ୍ଟକରେଟ୍ ଅଫ ଇଷ୍ଟେଟ୍ ଆରଟିଆଇ ସୂଚନା ଉତ୍ତରରେ କହିଛନ୍ତି ଯେ କଂଗ୍ରେସକୁ ଏହି ବଙ୍ଗଳାଟି ୭ ଅଗଷ୍ଟ ୧୯୯୨ରେ ଆବଣ୍ଟିତ ହୋଇଥିଲା। ତେବେ ଏହାର ଆବଣ୍ଟନ ୨୬ଜୁନ ୨୦୧୩ରେ ରଦ୍ଦ ହୋଇଯାଇଛି।

ଇଷ୍ଟେଟ୍ ନିର୍ଦ୍ଦେଶାଳୟ ଉତ୍ତରରେ କହିଛନ୍ତି ଯେ ୨୬ ଜୁନ ୨୦୧୩ରୁ ଆକବର ରୋଡସ୍ଥିତ ୨୪ ନମ୍ବର ବଙ୍ଗଳାରୁ କୌଣସି ଭଡ଼ା ମିଳୁ ନାହିଁ। ଏ ବାବଦେ କଂଗ୍ରେସର ବକେୟା ହିସାବ କରାଯାଉଛି ଓ ଏ ପର୍ଯ୍ୟନ୍ତ ଏହା ନିର୍ଦ୍ଧାରଣ ହୋଇ ନାହିଁ। ଏଥିରୁ ଏହା ଜଣାପଡୁଛି ସରକାର ଏ ପର୍ୟ୍ୟନ୍ତ ପାର୍ଟିଠାରୁ ଭଡ଼ା ଆଦାୟ ନିମନ୍ତେ ସେପରି କୌଣସି ମଜଭୁତ ପଦକ୍ଷେପ ନେଇ ନାହାନ୍ତି। ଆରଟିଆଇ ଆବେଦନକାରୀ କଂଗ୍ରେସକୁ ବଙ୍ଗଳା ଖାଲି କରିବା ପାଇଁ ଜାରି ହୋଇଥିବା ନୋଟିସର କପି ମଧ୍ୟ ମାଗିଥିଲେ। ହେଲେ ଇଷ୍ଚେଟ ନିର୍ଦ୍ଦେଶାଳୟ ଏପରି ରେକର୍ଡ ସଂକଳିତ ରୂପେ ରଖା ଯାଏ ନାହିଁ ଓ ଏଗୁଡିକୁ ସଂକଳିତ କଲେ ଆରଟିଆଇ ଅଧି୍ନିୟମକ ଧାରା ୭(୯) ସାର୍ବଜନିକ ପ୍ରଧିକରଣଙ୍କ ସଂସାଧନର ମାତ୍ରାଧିକ ଉପଯୋଗ ହେବ କହି ଟାଳି ଯାଇଛନ୍ତି।

ତେବେ ଏହି ତାଜା ତଥ୍ୟ ୨୦୧୮ରେ ପ୍ରାପ୍ତ ଏକ ପୂର୍ବ ଆରଟିଆଇ ଜବାବ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ, ଯେଉଁଥିରେ ଇଷ୍ଚେଟ ନିର୍ଦ୍ଦେଶାଳୟ ଆକବର ରୋଡ ୨୪ ନମ୍ବର ବଙ୍ଗଳା ପାଇଁ ୧ ଜୁଲାଇ ୨୦୧୭ରୁ ଲାଇସେନ୍ସ ଶୁଳ୍କ ସଂଶୋଧନ କରି ମାସିକ ୩,୯୨୦ ଟଙ୍କା କରିଦିଆଯାଇଥିବା ସୂଚନା ଥିଲା। ଏଥିରେ ୨୦୧୩ ମସିହାରେ କଂଗ୍ରେସର ଆଲଟମେଣ୍ଟ ରଦ୍ଦ ହୋଇଥିବା ପତ୍ର ମଧ୍ୟ ସଲଗ୍ନ ଥିଲା। ଏଥିରେ ଉଲ୍ଲେଖ ଥିଲା ଯେ ବଙ୍ଗଳାକୁ ନିଜ ଅଧିନରେ ରଖିବା ଓ ଏଥି ପାଇଁ ସ୍ୱଭାବିକ ଲାଇସେନ୍ସ ଶୁଳ୍କ ଅସୁଲ ନିମନ୍ତେ ପାର୍ଟିର ନିବେଦନ ବିଚାରାଧୀନ ରହିଛି। ନିକଟରେ ଆବେଦନ କରାଯାଇଥିବା ଆରଟିଆଇରେ ଲୁଟିୟନସ ଦିଲ୍ଲୀର ଏକ ଅନ୍ୟ ଠିକଣା ଅଶୋକ ରୋଡସ୍ଥିତ ୧୧ ନମ୍ବର ବଙ୍ଗଳା ସମ୍ପର୍କରେ ମଧ୍ୟ ସୂଚନା ମଗାଯାଇଥିଲା।

ଏହି ବଙ୍ଗଳାଟି କେନ୍ଦ୍ରରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି (ବିଜେପି)ର ପୂର୍ବ ମୁଖ୍ୟାଳୟ ଥିଲା। ଇଷ୍ଟେଟ ନିର୍ଦ୍ଦେଶାଳୟ ଅନୁସାରେ ଏହି ବଙ୍ଗଳାଟି ବିଜେପିକୁ ୨୧ ମାର୍ଚ୍ଚ ୧୯୮୫ରେ ଆବଣ୍ଟିତ ହୋଇଥିଲା। ତେବେ ବଙ୍ଗଳା ଏବେ ଲୋକସଭା ସଦସ୍ୟଙ୍କ ପୁଲରେ ରହିଛି। ଏହାର ଭଡ଼ା ଆଦାୟ ଓ ଆଦାୟକାରୀ ସଂସ୍ଥା ସୂଚନା ସମ୍ପର୍କିତ ଆବେଦନ ଲୋକସଭା ସଚିବାଳୟକୁ ପଠାଇ ଦିଆଯାଇଛି। ସେହିପରି ଏହି ବଙ୍ଗଳା ବାବଦେ ବିଜେପିର ଯଦି କୌଣସି ବକେୟା ଦେୟ ଥାଏ ତାହା ସମୀକ୍ଷା ହେଉଛି ଓ ଏପର୍ଯ୍ୟନ୍ତ ଏହା କେତେ ତାହା ନିର୍ଦ୍ଧାରଣ ହୋଇ ନାହିଁ। ତେବେ ଏହି ବଙ୍ଗଳା ପାଇଁ ୧ ଜୁଲାଇ ୨୦୧୭ରେ ସଂଶୋଧିତ କରି ମାସିକ ଲାଇସେନ୍ସ ଶୁଳ୍କ ୩,୯୨୦ ଟଙ୍କା ରଖା ଯାଇଥିଲା।