ନୂଆଦିଲ୍ଲୀ ୦୬।୧୦: କଙ୍ଗୋର ଏକ ନଦୀରେ ରବିବାର ଦୁଇଟି ମୋଟରଚାଳିତ କାଠ ଡଙ୍ଗା ମଧ୍ୟରେ ଏକ ଭୟଙ୍କର ଧକ୍କାରେ ଅତି କମରେ ୩୦ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଡଜନ ଡଜନ ନିଖୋଜ ଅଛନ୍ତି। ସ୍ଥାନୀୟ କର୍ତ୍ତୃପକ୍ଷ ସୋମବାର ଏହି ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି ।

ଇକ୍ୱାଟୁର ପ୍ରଦେଶର ପ୍ରାଦେଶିକ ଗୃହମନ୍ତ୍ରୀ କ୍ରିସ୍ପିନ୍ ମୁଟୁଙ୍କ ଅନୁଯାୟୀ, ଦୁର୍ଘଟଣାଟି ନଙ୍ଗୋମ୍ବେ-ଲୁକୋଲେଲା ଅଞ୍ଚଳ ନିକଟରେ ଘଟିଛି । ଦୁର୍ଘଟଣାର କାରଣ ତୁରନ୍ତ ଜଣାପଡିନାହିଁ। ମୁଟୁ କହିଛନ୍ତି ଯେ ଦୁର୍ଘଟଣାରେ ମୃତ ୩୦ ଜଣଙ୍କୁ କବର ଦିଆଯାଇଛି। ନିଖୋଜ ଏବଂ ସମ୍ଭାବ୍ୟ ବଞ୍ଚିଥିବା ଲୋକଙ୍କୁ ଖୋଜିବା ପାଇଁ ଏକ ସନ୍ଧାନ ଅଭିଯାନ ଚାଲିଛି ।

ମୃତ୍ୟୁସଂଖ୍ୟା ବୃଦ୍ଧି ପାଇପାରେ

ଅଧିକାରୀଙ୍କ ଅନୁଯାୟୀ, ଗୋଟିଏ ଡଙ୍ଗା ଉତ୍ତର-ପଶ୍ଚିମ ଉବାଙ୍ଗି ଅଞ୍ଚଳରୁ ରାଜଧାନୀ କିନଶାସା ଅଭିମୁଖେ ଯାତ୍ରା କରୁଥିଲା, ଯେତେବେଳେ ଅନ୍ୟଟି କିନଶାସାରୁ ଲୁକୋଲେଲା ଅଭିମୁଖେ ଯାତ୍ରା କରୁଥିଲା । ଲୁକୋଲେଲା ପ୍ରବେଶ ସ୍ଥାନ ନିକଟରେ ଏହି ଧକ୍କା ହୋଇଥିଲା । ଅଧିକାରୀ ମାନେ ଆଶଙ୍କା କରୁଛନ୍ତି ଯେ ମୃତ୍ୟୁ ସଂଖ୍ୟା ବଢ଼ିପାରେ, କାରଣ ଅନେକ ଲୋକ ଏପର୍ଯ୍ୟନ୍ତ ନିଖୋଜ ଅଛନ୍ତି । ଉଦ୍ଧାର ଏବଂ ରିଲିଫ୍ ଦଳ କଙ୍ଗୋ ନଦୀରେ ସନ୍ଧାନ ଅଭିଯାନ ଚଳାଇଛନ୍ତି ।

ଡଙ୍ଗା ଓଲଟି ପଡ଼ିଲା

ନଦୀ କୂଳରୁ ଦୁର୍ଘଟଣାର ପ୍ରତ୍ୟକ୍ଷଦର୍ଶୀ ବୋଲି ଦାବି କରୁଥିବା ଜଣେ ସୁରକ୍ଷା ବାହିନୀ ସଦସ୍ୟ କହିଛନ୍ତି ଯେ, ଉବାଙ୍ଗୀରୁ ଫେରୁଥିବା ଡଙ୍ଗାଟି ଓଭରଲୋଡ୍ ମାଲ ବୋଝେଇ ହୋଇ କିନସାସାରୁ ଆସୁଥିବା ଅନ୍ୟ ଏକ ଡଙ୍ଗା ସହିତ ଧକ୍କା ହୋଇଥିଲା । ସେ କହିଛନ୍ତି ଯେ ଏଥିରେ ଥିବା ପ୍ରାୟ ସମସ୍ତ ଯାତ୍ରୀ ପାଣି ଭିତରେ ଫସି ଯାଇଥିଲେ ଏବଂ ଡଙ୍ଗାଟି ସମ୍ପୂର୍ଣ୍ଣ ବୁଡ଼ିଗଲା ।

ତେବେ କଙ୍ଗୋ ଗଣତାନ୍ତ୍ରିକ ଗଣରାଜ୍ୟରେ ଏପରି ଡଙ୍ଗା ଦୁର୍ଘଟଣା ସାଧାରଣ । ବିଳମ୍ବିତ ରାତିରେ ଡଙ୍ଗା ଚଲାଇବା ଏବଂ ସେଗୁଡ଼ିକୁ ଅଧିକ ବୋଝେଇ କରିବା ପ୍ରାୟତଃ ଏହି ଦୁର୍ଘଟଣାର ଏକ ପ୍ରମୁଖ କାରଣ ଭାବରେ ଦର୍ଶାଯାଇଥାଏ । ଦେଶର ଦୁର୍ଗମ ଅଞ୍ଚଳରେ ସୁରକ୍ଷା ମାନଦଣ୍ଡର ଅଭାବ ଏବଂ ଦୁର୍ବଳ ଭିତ୍ତିଭୂମି ମଧ୍ୟ ପ୍ରମୁଖ ସମସ୍ୟା । ସାମ୍ପ୍ରତିକ ବର୍ଷ ଗୁଡ଼ିକରେ ଡଙ୍ଗା ଦୁର୍ଘଟଣାରେ ଶହ ଶହ ଲୋକ ପ୍ରାଣ ହରାଇଛନ୍ତି ।