ନୂଆଦିଲ୍ଲୀ, ୦୧/୦ମଧ୍ୟପ୍ରାଚ୍ୟରେ ଭୟଙ୍କର ଯୁଦ୍ଧ ଲାଗି ରହିଛି । ଆମେରିକା ଏବଂ ଇସ୍ରାଏଲ ମିଳିତ ଭାବେ ଇରାନ ଉପରେ ଆକ୍ରମଣ କରୁଛନ୍ତି । ଇରାନ ମଧ୍ୟ ପଲଟା ଜବାବ ଦେଉଛି । ଏପରିକି ଷ୍ଟ୍ରେଟ୍ ଅଫ୍ ହର୍ମୋଜକୁ ବନ୍ଦ କରି ଏସିଆ ସମେତ ଅନ୍ୟ ମହାଦେଶରେ ଶକ୍ତି ସଙ୍କଟ ସୃଷ୍ଟି କରିଛି । ଯାହାକୁ ନେଇ ଅନେକ ଦେଶରେ ଅଶୋଦ୍ଧିତ ତୈଳ ଦର ଏବଂ ଏଲପିଜି, ସିଏନଜି ଦାମ୍ ଆକାଶଛୁଆଁ । ତେବେ ଭାରତରେ ମଧ୍ୟ ଗ୍ୟାସ୍ ଦର ବଢିବାକୁ ଯାଉଛି । ଦେଶରେ କମର୍ସିଆଲ ଏଲପିଜି ବା ବାଣିଜ୍ୟିକ ଏଲପିଜି ଦାମ୍ ୧୯୫ଟଙ୍କା ୫୦ପଇସା ବୃଦ୍ଧି ପାଇଛି । ବୁଧବାରଠାରୁ ନୂଆ ନିୟମ ଲାଗୁ ହୋଇଛି । ଯାହାକୁ ନେଇ ବ୍ୟବସାୟୀ ଏବଂ ରେଷ୍ଟୁରାଣ୍ଟ ମାଲିକମାନେ ଚିନ୍ତାରେ ପଡିଯାଇଛନ୍ତି ।

ବିଭିନ୍ନ ଗ୍ୟାସ୍ ପ୍ରଦାନକାରୀ କମ୍ପାନୀଙ୍କ କହିବାନୁସାରେ, ଦିଲ୍ଲୀରେ ଏବେ ୧୯ କେଜି ବିଶିଷ୍ଟ କମର୍ସିଆଲ ଏଲପିଜି ଦାମ୍ ୨୦୭୮.୫୦ଟଙ୍କା ହୋଇଯାଇଛି । ଏହାପୂର୍ବରୁ ମାର୍ଚ୍ଚରେ କମର୍ସିଆଲ ସିଲିଣ୍ଡର ଦାମ୍ ୧୧୪ ଟଙ୍କା ୫୦ପଇସା ବୃଦ୍ଧି କରାଯାଇଥିଲା ।

କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଦାମ୍ ବଢିବା କାରଣରୁ ଖାଉଟି ଘରେ ବ୍ୟବହାର କରୁଥିବା ଏଲପିଜିର ଦାମରେ କୌଣସି ପରିବର୍ତ୍ତନ ହେବ ନାହିଁ । ଘରୋଇ ଗ୍ୟାସ୍ ଦର ପୂର୍ବପରି ରହିଛି । ଘରୋଇ ଗ୍ୟାସ୍ ଦାମ୍ ଶେଷ ଥର ପାଇଁ ମାର୍ଚ୍ଚ ୭ ତାରିଖରେ ୬୦ଟଙ୍କା ବୃଦ୍ଧି କରାଯାଇଥିଲା । ଯାହା ଏବେବି ସମାନ ରହିଛି । ଦିଲ୍ଲୀରେ ୧୪.୨ କେଜିର ଘରୋଇ ଗ୍ୟାସ୍ ଦର୯୧୩ଟଙ୍କା ରହିଛି ।

ଇଣ୍ଡିଆନ ଅଏଲ କର୍ପୋରେସନ, ଭାରତ ପେଟ୍ରୋଲିୟମ ଏବଂ ହିନ୍ଦୁସ୍ଥାନ ପେଟ୍ରୋଲିୟମ ଭଳି ଅନେକ କମ୍ପାନୀ ପ୍ରତି ମାସର ଏକ ତାରିଖରେ ଅନ୍ତର୍ଜାତୀୟ ମାନକକୁ ଦେଖି ସିଲିଣ୍ଡର ଦାମରେ ପରିବର୍ତ୍ତନ କରିଥାନ୍ତି । ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ପାଇଁ ଶକ୍ତି ସଙ୍କଟ ଦେଖାଦେଇଛି । ଅଶୋଦ୍ଧିତ ତୈଳ ଦର ପ୍ରାୟ ୫୦ ପ୍ରତିଶତ ବୃଦ୍ଧି ଘଟିଛି ।