ଭୁବନେଶ୍ୱର, ୦୯/୧୦ : ବୁଧବାର ଛାତ୍ର ସଂସଦ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଲା। ଆଜି ଆଶାୟୀ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିବେ। ଏହା ପୂର୍ବରୁ ଛାତ୍ର ସଂଗଠନମାନେ ନିଜ ସମର୍ଥିତ ପ୍ରାର୍ଥୀଙ୍କୁ ଲୁଚାଇ ରଖିଲେଣି । ନିଜର ସମର୍ଥିତ ପ୍ରାର୍ଥୀଙ୍କୁ ଯେପରି ଅନ୍ୟ ସଂଗଠନ ହାଇଜାକ୍ ନ କରନ୍ତି ସେଥିଲାଗି ସଜାଗ ହୋଇଛନ୍ତି। ନିଜ ସମର୍ଥିତ ପ୍ରାର୍ଥୀଙ୍କୁ ସୁରକ୍ଷିତ ସ୍ଥାନରେ ନେଇ ରଖିଛନ୍ତି। ଏପରିକି ଛାତ୍ର ବିଜେଡି ନାମାଙ୍କନ ପର୍ଯ୍ୟନ୍ତ କୌଣସି ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିବନି।

ଏବିଭିପିର ପ୍ରାର୍ଥୀ ଘୋଷଣା ଅଙ୍କ ଛିଣ୍ଡୁ ନଥିବା ବେଳେ ଛାତ୍ର କଂଗ୍ରେସ ହାତଗଣତି ସ୍ଥାନରେ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଶୁକ୍ରବାର ସକାଳ ୧୦ଟାରୁ ଦିନ ୧ଟା ଯାଏ ନାମାଙ୍କନ ପତ୍ର ଦାଖଲ ପାଇଁ ସୁଯୋଗ ପ୍ରଦାନ କରାଯିବ। ଶନିବାର ଦିନ ସକାଳ ୧୦ଟାରୁ ମଧ୍ୟାହ୍ନ ୧ଟା ଯାଏ ପ୍ରାର୍ଥୀପତ୍ର ପ୍ରତ୍ୟାହାର ସୁଯୋଗ ମିଳିବ। ଏହାପରେ ଅପରାହ୍ନ ୩ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ।

Also Read :- ବସଷ୍ଟାଣ୍ଡରେ ଋଷର ମିଶାଇଲ ଆଟାକ : ୩୩ ଯାତ୍ରୀ ମୃତ

ରାତି ପାହିଲେ ନାମାଙ୍କନ, କିନ୍ତୁ ରାଜ୍ୟର ବିଭିନ୍ନ କ୍ୟାମ୍ପସରେ ନିର୍ବାଚନୀ ତାତି ଦେଖିବାକୁ ମିଳିଲାଣି । ହିଂସା ସହ କ୍ୟାମ୍ପସ ଅଶାନ୍ତ ହୋଇ ପଡ଼ିଛି। ଯାଜପୁର ବ୍ୟାସନଗର କଲେଜରେ ବୋମାମାଡ଼ ହୋଇଛି। ଫଳରେ ନିର୍ବାଚନ ବାତିଲ କରାଯାଇଛି। ଏତିକି ନୁହେଁ ଭଦ୍ରକ ସ୍ଵୟଂଶାସିତ କଲେଜରେ ପଥର ମାଡ଼ ସହ କାଚ ବୋତଲ ପିଙ୍ଗାଯାଇଛି। ରାଜଧାନୀରେ ଦେବରାୟ କଲେଜର ଛାତ୍ର ସଂସଦ ନିର୍ବାଚନକୁ ନେଇ କଲେଜ ବାହାରେ ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍ ସହ ଗୋଡ଼ାଇ ଗୋଡ଼ାଇ ହଣାକଟା ହୋଇଥିବାର ଅଭିଯୋଗ ସାମ୍ନାକୁ ଆସିଛି।