ଭୁବନେଶ୍ୱର, ୧୫/୧୦ : ଆଜି ଛାତ୍ର ସଂସଦ ନିର୍ବାଚନ। ବୁଧବାର ଥିଲା ‘ମୁଁ କାହିଁ କି ପ୍ରାର୍ଥୀ ହୋଇଛି’ ବୈଠକ। ବୈଠକ ପୂର୍ବରୁ ରାଜ୍ୟର ବିଭିନ୍ନ କଲେଜ, ବିଶ୍ଵ ବିଦ୍ୟାଳୟରେ ଉତ୍ତେଜନା ଦେଖିବାକୁ ମିଳିଛି । ଉତ୍କଳ ବିଶ୍ଵବିଦ୍ୟାଳୟରେ ବୈଠକ ଆରମ୍ଭପୂର୍ବରୁ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ମାରପିଟ୍ ହୋଇଛି। ବଲାଙ୍ଗିରର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ଢେଙ୍କାନାଳର ଓଡ଼ାପଡ଼ା କଲେଜ ଓ ଝାରସୁଗୁଡ଼ା ଏଲଏନ କଲେଜରେ ସାଇନ୍-ଡାଏ ଘୋଷଣା କରାଯାଇଛି।

ଏବେ ମଇଦାନରେ ୮୬୬ ଜଣ ସଭାପତି, ୬୧୬ ଜଣ ସାଧାରଣ ସଂପାଦକ ଓ ୧୭୬ଜଣ ଉପସଭାପତି ପ୍ରାର୍ଥୀ ରହିଛନ୍ତି। ସକାଳ ୮ଟାରୁ ମତଦାନ ଆରମ୍ଭ ହେବ। ସନ୍ଧ୍ୟା ସୁଦ୍ଧା ଫଳାଫଳ ଘୋଷଣା ହେବ। ରାତିରେ କିପରି ମତଦାନ ନିଜ ସପକ୍ଷରେ ଆଣିବେ ସେଥିଲାଗି ଆରମ୍ଭ ହୋଇଛି ରଣନୀତି। ରାତିରେ ବିରିୟାନୀ, ଖାଦ୍ୟ ବଣ୍ଟନ ନାଁରେ ଟଙ୍କା ବଣ୍ଟନ ହୋଇଛି। ନିର୍ବାଚନ ସକାଳୁ ପ୍ରାର୍ଥୀଙ୍କ ପକ୍ଷରୁ ସମସ୍ତ ଛାତ୍ର ଛାତ୍ରୀଙ୍କ ରୁମ୍ ସମ୍ମୁଖରେ ପହଞ୍ଚିବ ଗୁଡ୍ ମର୍ଣ୍ଣିଂ କାର୍ଡ । ଏଥିରେ ଗୋଲାପ ଫୁଲ ସହ ପ୍ରାର୍ଥୀଙ୍କ ନାଁକୁ ମନେ ପକାଇବେ ସମର୍ଥକ।

ରାଜ୍ୟରେ ୩୫୯ଟି ଉଚ୍ଚଶିକ୍ଷାନୁଷ୍ଠାନ (୩୪୬ଟି କଲେଜ ଓ ୧୩ଟି ବିଶ୍ଵବିଦ୍ୟାଳୟ)ରେ ଛାତ୍ର ସଂସଦ ନିର୍ବାଚନ ହେଉଛି। ପ୍ରାର୍ଥୀପତ୍ର ପ୍ରତ୍ୟାହାର ଓ ପ୍ରାର୍ଥୀପତ୍ର ନାକଚ ପରେ ଚୂଡ଼ାନ୍ତ ମଇଦାନରେ ୬ ହଜାର ୮୯୧ଜଣ ରହିଛନ୍ତି। କଲେଜରେ ୬ ହଜାର ୫୩୩ ଜଣ ଓ ବିଶ୍ଵବିଦ୍ୟାଳୟରେ ୩୫୮ ଜଣ ନିର୍ବାଚନ ଲଢ଼ୁଛନ୍ତି । ମହିଳା ପ୍ରାର୍ଥୀଙ୍କ ସଂଖ୍ୟା ୪୫.୨ ପ୍ରତିଶତ ରହିଛି। କଲେଜସ୍ତରରେ ୮୨୮ ଜଣ ସଭାପତି ପ୍ରାର୍ଥୀ, ୬୯୭ ଜଣ ଉପସଭାପତି ପ୍ରାର୍ଥୀ। ୫୯୩ ଜଣ ସାଧାରଣ ସଂପାଦକ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଛନ୍ତି।

Also Read :- ରୁହନ୍ତୁ ସାବଧାନ : ଆଜି ଓ କାଲି ଏହି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା !

ବୁଧବାର ‘ମୁଁ କାହିଁକି ପ୍ରାର୍ଥୀ ହୋଇଛି’ ବୈଠକ ପୂର୍ବରୁ ଓ ଚାଲିଥିବା ସମୟରେ ରାଜ୍ୟର ୧୦ରୁ ଅଧିକ କଲେଜରେ ଉତ୍ତେଜନା ଦେଖିବାକୁ ମିଳିଛି। ଉତ୍କଳ ବିଶ୍ଵବିଦ୍ୟାଳୟରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ବୈଠକ ଆରମ୍ଭ ପୂର୍ବରୁ ଉତ୍ତେଜନା ପ୍ରକାଶ ପାଇଥିଲା। ପ୍ରାୟ ୩ ଘଣ୍ଟା ଯାଏ ଏହି ଉତ୍ତେଜନା ରହିଥିଲା। ସେହିପରି ଭଞ୍ଜନଗର ଋଷିକୂଲ୍ୟା କଲେଜରେ ଛାତ୍ରଛାତ୍ରୀ ତାତି ଥିଲେ। ବାରିପଦା ବାବା ବଳିଆ କଲେଜରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟ ହାତାହାତି ହୋଇଛନ୍ତି। ଯାଜପୁର ଏନସି କଲେଜରେ ପ୍ରାର୍ଥୀ ନିଖୋଜ ହୋଇଥିବା ଅଭିଯୋଗ କରି ଗୋଟିଏ ଛାତ୍ର ଗୋଷ୍ଠୀ ଉତ୍ତେଜନା ପ୍ରକାଶ କରିଥିବା ବେଳେ ଛାତ୍ର ଅଶାନ୍ତ ହୋଇଥିଲା।

ସେହିପରି ମୟୂରଭଞ୍ଜ ଉଦଳା କଲେଜରେ ଛାତ୍ର ଅଶାନ୍ତି ଦେଖିବାକୁ ମିଳିଛି ଏତିକି ନୁହେଁ, ନୂଆପଡ଼ା ନ୍ୟାସନାଲ କଲେଜ ଫାଟକ ସମ୍ମୁଖରେ ଏକ ଛାତ୍ର ସଂଗଠନ ସହ ପୁଲିସର ଧସ୍ତାଧସ୍ତି ସହ ଗଣ୍ଡଗୋଳ ହୋଇଛି। ଢେଙ୍କାନାଳର ଓଡ଼ାପଡ଼ା କଲେଜରେ ଛାତ୍ର ଅଶାନ୍ତିକୁ ଦୃଷ୍ଟିରେ ରଖି କର୍ତ୍ତୃପକ୍ଷ ନିଜ ପକ୍ଷରୁ କଲେଜ ନିର୍ବାଚନ ବା ବାତିଲ ସହ ସାଇନ୍-ଡାଏ ଘୋଷଣା କରିଛନ୍ତି। ବଲାଙ୍ଗିରରେ ଦୁଇ ଛାତ୍ର ସଂଗଠନ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଛି। ଗଞ୍ଜାମ କଲେଜରେ ନିର୍ବାଚନ ବାତିଲ ନେଇ ଗଣ୍ଡଗୋଳ ହୋଇଛି। ସେହିପରି ବିନିକା ସିଦ୍ଧାର୍ଥ ଡିଗ୍ରୀ କଲେଜରେ ପ୍ରିନ୍ସିପାଲ୍ଙ୍କୁ ହତ୍ୟା ଧମକ ଦେଇ ଏକ ପୋଷ୍ଟର କଲେଜ ସମ୍ମୁଖରେ ଲାଗିଛି ।