ଭୁବନେଶ୍ୱର ୧୩/୦୨: ରାତିରୁ ଶୀତ ସମ୍ପୂର୍ଣ୍ଣ ବିଦାୟ ନେଇ ନାହିଁ । ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ରାତ୍ରିକାଳୀନ ଶୀତ କମିବାର ସମ୍ଭାବନା ଦେଖାଯାଉନି । ଏପଟେ କିନ୍ତୁ, ଦିନରେ ତାଉ ଦେଖାଇଲାଣି ଖରା । ଦିନ ତାପମାତ୍ରା କ୍ରମଶଃ ବଢ଼ିବାରେ ଲାଗିଛି । ଏବେଠାରୁ ଛୁଇଁଲାଣି ୩୪ ଡିଗ୍ରୀ ସେଲସିୟସ୍ । ଖରା ଆହୁରି ବଢ଼ିବ । ଆସନ୍ତା ୧୫/୧୬ ତାରିଖ ବେଳକୁ ଝାରସୁଗୁଡ଼ାରେ ଦିନ ତାପମାତ୍ରା ୩୬ କିମ୍ବା ୩୭ ଡିଗ୍ରୀ ଏବଂ ଭୁବନେଶ୍ୱରରେ ୩୫ ଡିଗ୍ରୀ ସେଲସିୟସ୍ ପହଞ୍ଚିପାରେ । ଏଭଳି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ ।

ରାଜ୍ୟରେ ଅନେକ ସ୍ଥାନରେ ରାତିରେ ଶୀତ ଅନୁଭୂତ ହେଉଛି । ଜି.ଉଦୟଗିରି, ସେମିଳିଗୁଡ଼ା, ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ୍ ତଳେ ରହିଛି । ଉପକୂଳ ଅଞ୍ଚଳରେ ମଧ୍ୟ ରାତି ତାପମାତ୍ରା ୧୪/୧୫ ଡିଗ୍ରୀ ପାଖାପାଖି ରହୁଛି । ପାଣିପାଗ ବିଭାଗର ବିସ୍ତାରିତ ପୂର୍ବାନୁମାନ ଚିତ୍ର ଅନୁସାରେ ୨୬ ପର୍ଯ୍ୟନ୍ତ ଓଡ଼ିଶାରେ ରାତି ତାପମାତ୍ରା କମିବାର ନାହିଁ । ରାତି ତାପମାତ୍ରା ସ୍ୱାଭାବିକଠାରୁ ୨ରୁ ୪ ଡିଗ୍ରୀ କମ୍ ରହିପାରେ । କେତେକ ଜାଗାରେ ଏହା ସ୍ୱାଭାବିକ ତୁଳନାରେ ୬ ଡିଗ୍ରୀ କମ୍ ରହିପାରେ ।

ଅନ୍ୟପଟେ ଦିନ ସ୍ଥିତି ଓଲଟା । ଦିନ ତାପମାତ୍ରା ଉପରମୁହାଁ ହେଲାଣି । ପାରଳାଖେମୁଣ୍ଡିରେ ଗୁରୁବାର ଦିନର ସର୍ବୋଚ୍ଚ ତାପମାତ୍ରା ୩୪ ଡିଗ୍ରୀ, ଝାରସୁଗୁଡ଼ା ୩୩.୮, ଭୁବନେଶ୍ୱର ୩୩.୭, ଢେଙ୍କାନାଳ ୩୩ ଡିଗ୍ରୀ ଛୁଇଁଥିଲା । ଝାରସୁଗୁଡ଼ାରେ ସ୍ୱାଭାବିକ ତୁଳନାରେ ଦିନ ତାପମାତ୍ରା ୩.୧ ଡିଗ୍ରୀ, ଭୁବନେଶ୍ୱରରେ ପ୍ରାୟ ୨ ଡିଗ୍ରୀ ଅଧିକ ରହିଛି ।

also read..

କମୁଛି ଶୀତ, ବଢ଼ୁଛି ପାରଦ: ୪ ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ ହେବନି ପରିବର୍ତ୍ତନ

ପାଣିପାଗ ବିଶେଷଜ୍ଞଙ୍କ ଆକଳନ ହେଲା, ବର୍ତ୍ତମାନ ରାତିରେ ଥଣ୍ଡା ରହିବା ସହ ଦିନରେ ଗରମ ବଢ଼ିବ । ଆଗକୁ ଏକ ପଶ୍ଚିମା ଝଡ଼ ସମ୍ଭାବନା ଥିବାରୁ ଆସନ୍ତା ୧୫ ଓ ୧୬ ତାରିଖରେ ଅସ୍ୱାଭାବିକ ହାରରେ ଦିନ ତାପମାତ୍ରା ବଢ଼ିପାରେ । ବର୍ତ୍ତମାନ ତୁଳନାରେ ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇପାରେ ଦିନ ତାପମାତ୍ରା । ଚଳିତ ଶୀତ ଋତୁ ପୂର୍ବର ସବୁ ରେକର୍ଡ ଭାଙ୍ଗି ସାରିଛି । ଗତ ଦଶନ୍ଧି ଭିତରେ ଏତେ ଲମ୍ବା ଶୀତ ଅବଧି କେବେ ଅନୁଭୂତ ହୋଇନଥିଲା । ଡିସେମ୍ବର, ଜାନୁଆରୀରେ ଶୀତ ଲହରୀ ବାରମ୍ବାର ରେକର୍ଡ ଭାଙ୍ଗିଥିବାବେଳେ ଫେବ୍ରୁଆରୀ ଶେଷ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ଶୀତ ପ୍ରକୋପ ଅନୁଭୂତ ହେବାକୁ ଯାଉଛି ।

ଅନ୍ୟପଟେ ବିଶେଷଜ୍ଞଙ୍କ କହିବାନୁସାରେ ଶୀତ ଅବଧି ଯେମିତି ଲମ୍ବା ରହିଛି, ଏଥର ଗ୍ରୀଷ୍ମ ବି ବେଶ ନାକେଦମ କରିବ । ଆଗକୁ ଖରା ପ୍ରକୋପ ଭୀଷଣ ହେବ । ଆମେରିକାର କଲମ୍ବିଆ ବିଶ୍ୱବିଦ୍ୟାଳୟର ଦୀର୍ଘ ଅବଧି ଆକଳନ ଅନୁସାରେ ଏଥର ଏଲ୍- ନିନୋ ପ୍ରଭାବରେ ଭାରତ ଓ ଦକ୍ଷିଣ ଏସିଆରେ ଗ୍ରୀଷ୍ମ ପ୍ରବାହ ଅବଧି ଲମ୍ବିପାରେ । ଆଗାମୀ ମାର୍ଚ୍ଚ, ଏପ୍ରିଲ ଓ ମେ’ ମାସରେ ଅସ୍ୱାଭାବିକ ଗରମ ଅନୁଭୂତ ହୋଇପାରେ ।

ଅନୁମାନ କରାଯାଉଛି, ଏହି ସମୟରେ ଓଡ଼ିଶା ସମେତ ପୂର୍ବ ଉପକୂଳ ରାଜ୍ୟରେ ଭୀଷଣ ଗରମ ରହିପାରେ । ଓଡ଼ିଶାର ଉପକୂଳ ଅଞ୍ଚଳରେ ଗରମ ଅସ୍ୱାଭାବିକ ସ୍ଥିତି ଆଣିପାରେ । ଏହି ରିପୋର୍ଟ ଅନୁସାରେ ବର୍ତ୍ତମାନ ଲା-ନିନା ଦୁର୍ବଳ ଅବସ୍ଥାକୁ ଆସିଲାଣି । ଆଗକୁ (ଜୁନ୍ ବେଳକୁ) ଏଲ୍-ନିନୋ ସ୍ଥିତି ଆସୁଛି । ଏଲ୍-ନିନୋ ସ୍ଥିତିରେ ସାଧାରଣତଃ ତାପମାତ୍ରା ବଢ଼ିଥାଏ । ତେଣୁ ଚଳିତବର୍ଷ ଗ୍ରୀଷ୍ମ ପ୍ରକୋପ ପ୍ରଚଣ୍ଡ ଓ ଅବଧି ଲମ୍ବା ହୋଇପାରେ ।

ଏହି ଖବର ବି ପଢନ୍ତୁ...

ଅହମ୍ମଦାବାଦ ପ୍ଲେନ୍ କ୍ରାଶ୍ : ମାମଲା ଆଗକୁ ନ ବଢାଇବାକୁ ୨୦ ଲକ୍ଷ ଯାଚିଥିଲା ଏୟାର ଇଣ୍ଡିଆ ! ଇଂଲଣ୍ଡ ଖବରକାଗଜର ବଡ ଦାବି