ଭୁବନେଶ୍ବର: ଇନଭେଷ୍ଟର୍ସ ମିଟରେ ଯୋଗଦେଇ ତିନିଦିନିଆ ଗୁଜରାଟ ଗସ୍ତରୁ ଫେରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଉ ସାଥିରେ ନେଇ ଆସିଛନ୍ତି ୪୮ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ। ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ବିକଶିତ ଭାରତ ଗଠନ ପାଇଁ ପୂର୍ବ ଭାରତର ଉନ୍ନତି ଅତ୍ୟାବଶ୍ୟକ। ଆଉ ଏହି ନିବେଶ ଜରିଆରେ ଓଡ଼ିଶା ଏହାର ନେତୃତ୍ବ ନେବାକୁ ପ୍ରସ୍ତୁତ।

ସୂଚନା ଅନୁସାରେ, ଗୁଜରାଟରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଶିଳ୍ପପତିଙ୍କ ଠାରୁ ୪୮ହଜାର ୩୩୦ କୋଟିର ପୁଞ୍ଜି ନିବେଶ ପ୍ରତିଶ୍ରୁତି ପାଇଛନ୍ତି। ଏସବୁ ପ୍ରକଳ୍ପରେ ୬୭ ହଜାର ୮୩୮ରୁ ଅଧିକ ନିଯୁକ୍ତି ସୃଷ୍ଟି ହେବ। ମୁଖ୍ୟମନ୍ତ୍ରୀ କହିଛନ୍ତି, ପାରାଦୀପ, ଧାମରା ଓ ଗୋପାଳପୁର ବନ୍ଦର ମାଧ୍ୟମରେ ଓଡ଼ିଶା ପୂର୍ବ ଏସିଆ ଓ ଇଣ୍ଡୋ-ପ୍ୟାସିଫିକ ବଜାର ସହ ସଂଯୋଗ ସୃଷ୍ଟି କରୁଛି। ଗୁଜରାଟ ରୋଡ୍ ଶୋ’ରେ ଧାତୁ ଶିଳ୍ପ, ରସାୟନ, ଫାର୍ମା, ଗ୍ରୀନ ଏନର୍ଜି, ଖାଦ୍ୟ ପ୍ରକ୍ରିୟାକରଣ, ଟେକ୍ସଟାଇଲ୍, ଆଇଟି, ସେମିକଣ୍ଡକ୍ଟର, ପର୍ଯ୍ୟଟନ, ଏରୋସ୍ପେସ ଓ ଡିଫେନ୍ସ ସହ ବିଭିନ୍ନ କ୍ଷେତ୍ରରେ ନିବେଶ ପ୍ରସ୍ତାବ ମିଳିଛି।

ଉଲ୍ଲେଖଯୋଗ୍ୟ, ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ, ମୁଖ୍ୟ ସଚିବ ଅନୁ ଗର୍ଗ, ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମା ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଗୁଜରାଟ ଗସ୍ତରେ ଯାଇଥିଲେ । ଗୁଜରାଟର ଅହମଦାବାଦ, ମୁନ୍ଦ୍ରା ଓ ଭଦୋଦରାରେ ୧୩୨ରୁ ଅଧିକ ବୈଠକ ଆୟୋଜିତ ହୋଇଥିବା ବେଳେ ୮ଟି MoU ଓ ୬୩ଟି ଇନଭେଷ୍ଟମେଣ୍ଟ ଇଣ୍ଟେନ୍ସନ ଫର୍ମ ସାଇନ୍ ହୋଇଛି। ସରକାରଙ୍କ GO-SWIFT ସିଙ୍ଗଲ୍ ଉଇଣ୍ଡୋ ବ୍ୟବସ୍ଥା ମାଧ୍ୟମରେ ଶୀଘ୍ର ଅନୁମୋଦନ ଓ ନିବେଶକଙ୍କୁ ସମସ୍ତ ସହଯୋଗ ଯୋଗାଇଦିଆଯିବ ବୋଲି ଆଶ୍ବାସନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।