ଭୁବନେଶ୍ୱର ୨୫।୦୧ : ପରଲୋକରେ ଅଭିଜିତ ମଜୁମ୍‌ଦାର । ଓଲିଉଡ୍‌ର ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି । ଭୁବନେଶ୍ୱର ଏମ୍ସରେ ଦାଦାଙ୍କ ଦେହାନ୍ତ ହୋଇଛି । ତେବେ ଦାଦାଙ୍କ ଦେହାନ୍ତ ଖବର ଶୁଣି ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋସିଆଲ୍ ମିଡିଆରେ ଲେଖିଛନ୍ତି ଯେ, ବିଶିଷ୍ଟ କଣ୍ଠଶିଳ୍ପୀ ଓ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ବିୟୋଗ ବିଷୟରେ ଜାଣି ମୁଁ ଅତ୍ୟନ୍ତ ଦୁଃଖିତ । ତାଙ୍କର ବିୟୋଗ ଆମ ସଙ୍ଗୀତ, ସିନେମା ଓ ସଂସ୍କୃତି ପାଇଁ ଏକ ଅପୂରଣୀୟ କ୍ଷତି। ଶୋକସନ୍ତପ୍ତ ପରିବାର ପ୍ରତି ମୋର ସମବେଦନା ଜଣାଇବା ସହ ଦିବଙ୍ଗତ ଆତ୍ମାଙ୍କ ଶାନ୍ତି ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି।

​​​​​​​

 

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋସିଆଲ୍‌ ମିଡିଆରେ ଲେଖିଛନ୍ତି ଯେ, ଓଡ଼ିଶାର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ଅଭିଜିତ୍‍ ମଜୁମଦାରଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ନିଜର ନିଆରା ସଙ୍ଗୀତ ଶୈଳୀ ମାଧ୍ୟମରେ ସେ ଦୀର୍ଘ ଦଶନ୍ଧି ଧରି ଓଡ଼ିଆ ଶ୍ରୋତାଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ । ତାଙ୍କର ଅକାଳ ବିୟୋଗ ଓଡ଼ିଆ କଳା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି ।

​​​​​​​

ସଙ୍ଗୀତ ନିର୍ଦ୍ଦେଶ ଅଭିଜିତ୍ ମଜମୁଦାର ଲିଭିର୍ ଜନିତ ସମସ୍ୟା ପାଇଁ ଦୀର୍ଘ ଦିନ ହେଲା ଜୀବନ ମରଣ ସହ ସଂଘର୍ଷ କରି ହାରିଗଲେ । ଆଜି ସକାଳ ୯ଟା ୨୦ ମିନିଟରେ ୫୩ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ହ୍ୟୁମାନ୍ ସାଗରଙ୍କ ପରେ ଅଭିଜିତଙ୍କ ମୃତ୍ୟୁ ହୋଇଯାଇଛି । ଯାହାକି ଓଲିଉଡ୍ ଜଗତରେ ଅପୂରଣୀୟ କ୍ଷତ ସୃଷ୍ଟି ହୋଇଛି । ଜଣେ ଉଚ୍ଚ କୋଟିର ସଙ୍ଗୀତ ନିର୍ଦ୍ଦେଶକଙ୍କୁ ହରାଇ ସଙ୍ଗୀତ ଜଗତ ଶୋକାକୂଳ ହୋଇଛି ।