ଭୁବନେଶ୍ଵର: ଆଜି କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ନିଯୁକ୍ତି ମେଳାରେ ମୋଟ ୪ ହଜାର ୬୨୩ ଜଣଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି ରାଜ୍ୟ ସରକାର। ନବ ନିଯୁକ୍ତ ସରକାରୀ କର୍ମଚାରୀଙ୍କୁ ସୁତ୍ରୀ ଗୁରୁ ମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ। ଦୁର୍ନୀତି, ସହନଶୀଳତା, ସମୟାନୁ ବର୍ତିତା ଭଳି ୫ ସୁତ୍ରୀ ନୀତିକୁ ମନେ ରଖି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି।

ଆଜି ରାଜ୍ୟ ସରକାରଙ୍କ ତରଫରୁ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହୋଇଥିବା ୧୫ ତମ ମେଗା ନିଯୁକ୍ତି ମେଳା ରେ ମୋଟ ୪ ହଜାର ୬୨୩ ଜଣଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି। ରାଜ୍ୟ ସରକାରଙ୍କ ୭ ଟି ବିଭାଗରେ ଏମାନଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ନିଯୁକ୍ତି ମେଳା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି । ଜଙ୍ଗଲ ଓ ପରିବେଶ ବିଭାଗ ର ୧୫୪ ଜଣ, ପଞ୍ଚାୟତିରାଜ ବିଭାଗର ୫୨, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ୪୦୧୩ ଜଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗର ୭୦, MSME ର ୧୪୩, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା- ୧୪ ଜଣ ଓ ଇସ୍ପାତ୍ ଓ ଖଣି ବିଭାଗର ୭୭ ଜଣ ନିଯୁକ୍ତି ପତ୍ର ପାଇଛନ୍ତି।

Also Read: ଏପ୍ରିଲ ୨୭ରୁ ହୋଇପାରେ ଖରା ଛୁଟି, ସଙ୍କେତ ଦେଲେ ଗଣଶିକ୍ଷା ମନ୍ତ୍ରୀ

ରାଜ୍ୟରେ ଯୁବବର୍ଗଙ୍କ ନିଯୁକ୍ତି ସମ୍ୱନ୍ଧରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୨୦୨୪ଜୁନ ମାସରୁ ଆଜି ସୁଦ୍ଧା ସରକାରୀ ଚାକିରୀରେ ୪୪,୦୮୨ ଓ ବେସରକାରୀ କ୍ଷେତ୍ରରେ ୯୨,୦୦୦ ଜଣଙ୍କୁ ନିଯୁକ୍ତି ପ୍ରଦାନ କରାଗଲାଣି । ନବନିଯୁକ୍ତମାନେ ରାଜ୍ୟର ବୃହତ୍ତର ସ୍ୱାର୍ଥରକ୍ଷା ପାଇଁ ପୂର୍ଣ୍ଣ ଦକ୍ଷତା ଓ କର୍ତ୍ତବ୍ୟବୋଧ, ସମର୍ପଣ ଓ ସ୍ୱଚ୍ଛତାର ସହିତ ଦାୟିତ୍ୱ ନିର୍ବାହ କରିବେ ବୋଲି ଆଶାବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ ସେମାନଙ୍କୁ କର୍ମକ୍ଷେତ୍ରରେ ପାଳନ କରିବା ପାଇଁ ୫ଟି ପରାମର୍ଶ ଦେଇଥିଲେ ।

୧- ଦୁର୍ନୀତିରୁ ସବୁବେଳେ ଦୂରେଇ ରୁହନ୍ତୁ, ଦୁର୍ନୀତି ବିରୁଦ୍ଧରେ ସରକାର ଶୂନ୍ୟସହନଶୀଳତା ଅବଲମ୍ୱନ କରୁଛନ୍ତି ।

୨- ଗଣତନ୍ତ୍ରରେ ଜନତା ହେଉଛନ୍ତି ଭଗବାନ ଓ ଜନତାଙ୍କ ସ୍ୱର ହିଁ ଭଗବାନଙ୍କ ସ୍ୱର । ତେଣୁ ସହୃଦୟତାର ସହିତ ନିଜ ନିଜ ସ୍ତରରେ ଜନତାଙ୍କ କଥା ଶୁଣିବେ ଓ ତା’ର ସମାଧାନ କରିବାକୁ ଚେଷ୍ଟା କରିବେ ।

୩- କାର୍ଯ୍ୟ ସମ୍ପାଦନ କରିବା ସମୟରେ ନିଜର ବୈଚାରିକ ମତ ପ୍ରତିବନ୍ଧକ ହେବା ଉଚିତ ନୁହେଁ । ସରକାରଙ୍କ ଆଭିମୁଖ୍ୟ ହିସାବରେ ନିଜ ନିଜର କର୍ତ୍ତବ୍ୟ ସମ୍ପାଦନ କରିବେ ।

୪- ସମୟାନୁବର୍ତ୍ତିତା- ନିର୍ଦ୍ଦିଷ୍ଟ ସମୟ ଭିତରେ କାର୍ଯ୍ୟ ସମ୍ପାଦନ କରିବେ ।

୫- କାର୍ଯ୍ୟକ୍ଷେତ୍ରରେ ଭଦ୍ର ଓ ଶାଳୀନତା ସହିତ ବାର୍ତ୍ତାଳାପ ଓ ବ୍ୟବହାର ପ୍ରଦର୍ଶନ କରିବେ । ନଚେତ୍ ନିଜେ ବଦନାମ୍ ହେବା ସହିତ ସରକାର ବଦନାମ୍ ହେବାର ଆଶଙ୍କା ରହିଛି।

ଶେଷରେ ମୁଖ୍ୟମନ୍ତ୍ରୀ ନବନିଯୁକ୍ତଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରି ଦୁର୍ନୀତି ବିରୁଦ୍ଧରେ ଶୂନ୍ୟ ସହନଶୀଳତା ନୀତି ଓ ମହିଳା ମାନଙ୍କ ପ୍ରତି ସମ୍ମାନଜନକ ବ୍ୟବହାରକୁ ନିଜ କାର୍ଯ୍ୟଶୈଳୀର ଅଭିନ୍ନ ଅଙ୍ଗ ଭାବେ ଗ୍ରହଣ କରିବାକୁ କହିଥିଲେ । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ କେନ୍ଦ୍ର ଓ ଜନଜାତି ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ୍ ନବନିଯୁକ୍ତଙ୍କୁ ଶୁଭେଚ୍ଛା ଜଣାଇ କହିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଆଜି ଓଡ଼ିଶାରେ ଯୁବବର୍ଗଙ୍କ ପାଇଁ ବ୍ୟାପକ ନିଯୁକ୍ତି ମିଳୁଛି । ଜନସେବାକୁ ସର୍ବୋଚ୍ଚ ବୃତ୍ତି ଭାବେ ଗ୍ରହଣ କରି କର୍ମକ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ସେ ଯୁବବର୍ଗଙ୍କୁ ପରାମର୍ଶ ଦେଇଥିଲେ ।

Also Read: ଜନଗଣନାକାରୀ ପରିଚୟ ପତ୍ର ଓ ନିଯୁକ୍ତି ପତ୍ର ରଖିବା ଜରୁରୀ, ବାଧା ସୃଷ୍ଟିକଲେ ଜରିମାନା ସହ ୩ବର୍ଷ ଜେଲ୍

ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ଓ MSME ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଥିଲେ ଯେ, ଆପଣମାନଙ୍କ ଏହି ନିଯୁକ୍ତି କେବଳ ଏକ ପଦବୀ ନୁହେଁ, ଏହା ଜନସେବା ପାଇଁ ଆପଣମାନଙ୍କ ଦାୟିତ୍ୱ । ଆଜିଠୁ ଆପଣମାନଙ୍କ ଦାୟିତ୍ୱବୋଧ, ଆପଣମାନଙ୍କ ପାଇଁ ନୂଆ ପରିଚୟ ସୃଷ୍ଟି କରିବ । ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ କହିଥିଲେ ଯେ, ଏହି ନିଯୁକ୍ତି ରାଜ୍ୟର ସାଢ଼େ ଚାରିକୋଟି ଜନତାଙ୍କ ସେବା କରିବାର ଦାୟିତ୍ୱ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସରେ ରାଜ୍ୟରେ କ୍ରମାଗତ ଭାବରେ ନିଯୁକ୍ତି ମେଳା ଆୟୋଜନ ହୋଇ ଚାଲିଛି । ଏହି ନିଯୁକ୍ତି ସରକାରଙ୍କ ଶକ୍ତି ଓ ସାମର୍ଥ୍ୟକୁ ବୃଦ୍ଧି କରୁଛି ।

କାର୍ଯ୍ୟକ୍ରମରେ MSME ବିଭାଗରେ ନିଯୁକ୍ତି ପାଇଥିବା ଦୃଷ୍ଟିବାଧିତ ସହକାରୀ ଶିଳ୍ପ ଅଧିକାରୀ ଶ୍ରୀ ବିକାଶ ରଞ୍ଜନ ପାଢ଼ୀ, ଜଙ୍ଗଲ ବିଭାଗରେ ACF ଭାବେ ନିଯୁକ୍ତି ପାଇଥିବା ଅଭିଶେକ ପ୍ରଧାନ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ TGT ଭାବେ ନିଯୁକ୍ତି ପାଇଥିବା ଅଞ୍ଜଳୀ ମୁଣ୍ଡା ଓ ଇସ୍ପାତ ଓ ଖଣି ବିଭାଗରେ ଖଣି ଅଧିକାରୀ ଭାବେ ନିଯୁକ୍ତି ପାଇଥିବା ତପସ୍ୱିନୀ ପ୍ରିୟଦର୍ଶିନୀ ପ୍ରମୁଖ ସ୍ୱଚ୍ଛ ଓ ପାରଦର୍ଶୀ ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ରାଜ୍ୟରେ ଯୁବବର୍ଗଙ୍କୁ ସରକାରୀ ନିଯୁକ୍ତି ମିଳୁଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ।

ଏହି ଅବସରରେ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ, ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଡ. ଏନ୍. ତିରୁମାଳା ନାଏକ ସମସ୍ତଙ୍କୁ ସ୍ୱାଗତ କରିଥିଲେ ଏବଂ MSME ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ରଶ୍ମିତା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।