ଭୁବନେଶ୍ଵର: ରାଜ୍ୟରେ ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି ତାତି । ଆକାଶରୁ ବର୍ଷୁଛି ନିଆଁ ପିଣ୍ଡୁଳା । ଉପକୂଳରୁ ପଶ୍ଚିମ ଯାଏଁ ସବୁଠି ଡହ ଡହ ଖରା । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଅସ୍ତବ୍ୟସ୍ତ ଜନଜୀବନ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ଆଗୁଆ ଖରା ଛୁଟି ଘୋଷଣା ହୋଇପାରେ। ଏ ନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଗୁରୁବାର ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଏପ୍ରିଲ ୨୭ ତାରିଖରୁ ହୋଇପାରେ ଖରାଛୁଟି। ଏନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ସହ ସବିଶେଷ ଭାବେ ଅବଗତ କରାଯାଇଛି। ମୁଖ୍ୟମନ୍ତ୍ରୀ ବିଚାର କରି ବିଧିବଦ୍ଧ ଘୋଷଣା କରିବେ। ଆଜି ଏନେଇ ସ୍ଵତନ୍ତ୍ର ବୈଠକ ବସିଥିଲା। ବିଶେଷ ଭାବେ ରାଜସ୍ଵ ବିଭାଗ ସହ ଆଲୋଚନା ହୋଇଛି।

ଏହା ପୂର୍ବରୁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରତିକ୍ରିୟା ରଖି କହିଥିଲେ, ଏଥର ଆଗୁଆ ହେବ ଖରା ଛୁଟି । ଦିନ ଦୁଇ ଦିନରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ । ରାଜସ୍ବ ବିଭାଗ ଏବଂ ଗଣଶିକ୍ଷା ବିଭାଗ ସହ ଆଲୋଚନା ପରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପ୍ରସ୍ତାବ ଯାଇଛି । ଗଣଶିକ୍ଷା ବିଭାଗ, ରାଜସ୍ବ ବିଭାଗ ଏବଂ ଏସଆରସିଙ୍କ ମଧ୍ୟରେ ମିଳିତ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକ ପରେ ଆଗୁଆ ଛୁଟି ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପ୍ରସ୍ତାବ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ଦିନେ ଦୁଇ ଦିନ ଭିତରେ ନିଷ୍ପତ୍ତି ନେଇପାରନ୍ତି । ଅଙ୍ଗନଓ୍ବାଡି ବନ୍ଦ ହେଲେ ଖାଦ୍ୟ ପହଞ୍ଚାଇବାରେ ବ୍ୟବସ୍ଥା କରିବୁ ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି ।

Also Read:- ସ୍କୁଲ ଖୋଲାରହିବ ନା ଛୁଟି ହେବ, ନିଷ୍ପତ୍ତିକୁ ନେଇ ବଡ଼ ବୟାନ ଦେଲେ ମନ୍ତ୍ରୀ

ଏହା ପୂର୍ବରୁବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀକହିଥିଲେ,ରାଜ୍ୟରେ ଏବେ ଖରାର ପ୍ରକୋପ ଜାରି ରହିଛି । ଯାହାକୁ ନେଇ ରାଜ୍ୟର ଅନେକ ଜିଲ୍ଲାରେ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି । ତାପମାତ୍ରା ବଢୁଥିବାରୁ ୧୮ରୁ ଅଧିକ ଜିଲ୍ଲାରେ ଛୁଟି ଘୋଷଣା ହୋଇସାରିଲାଣି । ଏପିରିକି କିଛି କିଛି ଜିଲ୍ଲା ମଧ୍ୟ ନିଜ ନିଜ ଅଞ୍ଚଳରେ ଛୁଟି ଅବଧିକୁ ବୃଦ୍ଧି କରୁଛନ୍ତି।