ଭୁବନେଶ୍ୱର: ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକ ରିଭର ଫ୍ରଣ୍ଟ ଡେଭଲପମେଣ୍ଟ ପ୍ରକଳ୍ପ ସମ୍ପର୍କରେ ସମୀକ୍ଷା କରିଛନ୍ତି । ବୈଠକରେ ମୁଖ୍ୟମନ୍ତ୍ରୀ ପ୍ରକଳ୍ପ ପାଇଁ ସମସ୍ତ ପ୍ରକ୍ରିୟା ଯଥାଶୀଘ୍ର ଶେଷ କରି ତୁରନ୍ତ କାର୍ଯ୍ୟ ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ୨୧୦ କୋଟି ଟଙ୍କା ବ୍ୟୟରେ କଟକ ମହାନଦୀ କୂଳର ୪୨୬ ଏକର ଅଞ୍ଚଳକୁ ଏହି ପ୍ରକଳ୍ପ ଜରିଆରେ ବିକଶିତ କରାଯିବ। ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲର ନିର୍ଦ୍ଦେଶ ଅନୁଯାୟୀ ୨୮୪ ଏକର ଅଞ୍ଚଳରେ ସବୁଜ ବଳୟ ସୃଷ୍ଟି କରାଯିବ ଏବଂ ଅବଶିଷ୍ଟ ୧୪୨ ଏକର ଅଞ୍ଚଳକୁ ପର୍ଯ୍ୟଟନ ଉପଯୋଗୀ କରାଯିବା ସହିତ ବିଭିନ୍ନ ଯାନିଯାତ୍ରା ପାଇଁ ମଧ୍ୟ ଉପଯୋଗୀ କରାଯିବ । ଏଥିରେ ଓଡ଼ିଶା ହାଟ, ହେରିଟେଜ ଭିଲେଜ, ପିକନିକ୍ ଏରିଆ, ଇଣ୍ଟରପ୍ରିଟେସନ ସେଣ୍ଟର, ଫୁଡ କୋର୍ଟ, ଲନ, ବଗିଚା, ମହାନଦୀ କୂଳ ସ୍ଥିତ ବିଭିନ୍ନ ୱାଟରବଡିର ସୌନ୍ଦର୍ଯ୍ୟକରଣ ଏବଂ ଅନ୍ୟାନ୍ୟ କାର୍ଯ୍ୟ ରହିଛି । ଏସବୁ ନିର୍ମାଣ କାର୍ଯ୍ୟରେ ଗ୍ରୀନ ଟ୍ରିବ୍ୟୁନାଲ ଗାଇଡଲାଇନ ପାଳନ କରାଯିବ।

ଏହି ପ୍ରକଳ୍ପକୁ ପର୍ଯ୍ୟଟକମାନଙ୍କ ପାଇଁ ଏକ ଜାତୀୟ ସ୍ତରର ଆକର୍ଷଣୀୟ କେନ୍ଦ୍ର ଭାବେ ଗଢ଼ି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ବୈଠକରେ ଗୁରୁତ୍ୱ ଦେଇଥିଲେ। ଏଥିପାଇଁ ଗୁଜରାଟର ସାବରମତୀ ଡିଜାଇନକୁ ଅନୁଧ୍ୟାନ କରିବା ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ । ସମସ୍ତ ପ୍ରାରମ୍ଭିକ ପ୍ରକ୍ରିୟା ଯଥାଶୀଘ୍ର ଶେଷ କରି ପ୍ରଥମ ପର୍ଯ୍ୟାୟ କାମ ତୁରନ୍ତ ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

Also Read: ନିୟମିତ ହେଲା ସ୍କିମାଟିକ୍ କନିଷ୍ଠ ଶିକ୍ଷକଙ୍କ ଚାକିରି, ଉପକୃତ ହେଲେ ୧୩ ହଜାରରୁ ଅଧିକ ଶିକ୍ଷକ

ମହାନଦୀ କୂଳ ସୁରକ୍ଷା ପାଇଁ ଜଳ ସମ୍ପଦ ବିଭାଗ ପକ୍ଷରୁ ଯେଉଁ ନିର୍ମାଣ କାର୍ଯ୍ୟ ହେଉଛି, ସେହି ପ୍ରକଳ୍ପ ଗୁଡ଼ିକର ମଧ୍ୟ ସୌନ୍ଦର୍ଯ୍ୟକରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଏହାଦ୍ୱାରା ଏହି ପ୍ରକଳ୍ପ ଗୁଡିକ ନଦୀତଟକୁ ସୁରକ୍ଷା ଦେବା ସହିତ ପର୍ଯ୍ୟଟକମାନଙ୍କ ପାଇଁ ମଧ୍ୟ ଆକର୍ଷଣର କେନ୍ଦ୍ର ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ବୈଠକରେ ମୁଖ୍ୟମନ୍ତ୍ରୀ ଦ୍ୱିତୀୟ ପର୍ଯ୍ୟାୟ କାମ ବେଳେ ଧବଳେଶ୍ୱର ମନ୍ଦିରର ସୌନ୍ଦର୍ଯ୍ୟକରଣ ସହିତ ନ୍ୟାସନାଲ ଲ’ ୟୁନିର୍ଭସିଟି ନିକଟସ୍ଥ ପଠାକୁ ବିକଶିତ କରିବା ପାଇଁ ପରାମର୍ଶ ଦେଇଥିଲେ । ଅଧିକ ଆକର୍ଷଣୀୟ କରିବା ପାଇଁ ମହାନଦୀ ମଧ୍ୟରେ କ୍ରୁଜ ଚଳାଚଳ ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ମତ ଦେଇଥଲେ । ଏ ସବୁ ସୌନ୍ଦର୍ଯ୍ୟକରଣ କାମ ପାଇଁ ଆବଶ୍ୟକ ହେଲେ ଅଧିକ ଅର୍ଥ ଯୋଗାଇ ଦିଆଯିବ ବୋଲି ସେ କହିଥିଲେ ।

​​​​​​​

ବୈଠକରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶାଶ୍ୱତ ମିଶ୍ର, ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ, ଜଳ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା, ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜିବ ମିଶ୍ର, ନିର୍ଦ୍ଦେଶକ ପୌର ପ୍ରଶାସନ ଅରିନ୍ଦମ ଡାକୁଆ, କଟକ ମହାନଗର ନିଗମ ଆୟୁକ୍ତ କିରଣଦୀପ୍ କୌର ସହୋତା ପ୍ରମୁଖ ଉପସ୍ଥିତ ଥିଲେ ।