ଭୁବନେଶ୍ବର ୩।୪: ଏପ୍ରିଲ ପହିଲାରୁ ରାଜ୍ୟରେଡିଜିଟାଲ୍ ଜନଗଣନା ଆରମ୍ଭ ହୋଇଛି। ଯେଉଁଥିରେ ପ୍ରଥମେ ରାଜ୍ୟପାଳ ନିଜରସ୍ଵ-ଗଣନା(Self-enumeration) କରି ପ୍ରକ୍ରିୟାର ଶୁଭାରମ୍ଭ କରିଥିଲେ । ଏହା ଏକ ପରୀକ୍ଷାମୂଳକ ଡିଜିଟାଲ୍ ପଦକ୍ଷେପ, ଯେଉଁଥିରେ ନାଗରିକମାନେ ନିଜେ ଅନଲାଇନରେ ତଥ୍ୟ ପ୍ରଦାନ କରିପାରିବେ ।ଏହି ପରିପ୍ରେକ୍ଷୀରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ସରକାରୀ ବାସଭବନରେନିଜରସ୍ଵ-ଗଣନା କରିଛନ୍ତି ।

ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ ଗୃହଗଣନା ଏବଂ ଗୃହତାଲିକା-୨୦୨୬ ଅବସରରେ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । “ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟର ଓଡ଼ିଶା ସ୍ଥିତ ଜନଗଣନା ନିର୍ଦ୍ଦେଶାଳୟ ଏବଂ ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସମନ୍ୱୟରେ ଜନଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି ।

ଓଡ଼ିଶାର ୩୦ଟି ଜିଲ୍ଲାରେ ଜନଗଣନାର ପ୍ରଥମ ପର୍ଯ୍ୟାୟରେ ଗୃହଗଣନା ଏବଂ ଗୃହତାଲିକା ପ୍ରସ୍ତୁତି ଆସନ୍ତା ଏପ୍ରିଲ ୧୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହି କାର୍ଯ୍ୟକ୍ରମରେ, ଏପ୍ରିଲ ୧୬ ତାରିଖରୁ ମେ’ ୧୫ ତାରିଖ ପର୍ଯ୍ୟନ୍ତ ତାଲିମ ପ୍ରାପ୍ତ ଗଣନାକାରୀ ଓ ସୁପରଭାଇଜର ମାନେ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରିବେ ।

ଏହା ପୂର୍ବରୁ ଏପ୍ରିଲ ୧ ତାରିଖରୁ ଏପ୍ରିଲ ୧୫ ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ସ୍ଵ-ଗଣନା କାର୍ଯ୍ୟକ୍ରମ ଜାରି ରହିଛି । ଏଥିରେ ସେଲ୍ଫ ଏନୁମରେସନ୍ ପୋର୍ଟାଲ https://se.census.gov.in ମାଧ୍ୟମରେ ଜନସାଧାରଣ ନିଜର ତଥ୍ୟ ନିଜେ ପ୍ରଦାନ କରୁଛନ୍ତି । ଆପଣମାନଙ୍କୁ ଅନୁରୋଧ, ଆପଣ ଯଦି ଏ ପର୍ଯ୍ୟନ୍ତ ତଥ୍ୟ ଦେଇନାହାନ୍ତି, ତେବେ ଏହି ପୋର୍ଟାଲରେ ନିଜର ତଥ୍ୟ ଦିଅନ୍ତୁ ଏବଂ ଜନ ଗଣନାରେ ସହଯୋଗ କରନ୍ତୁ । ମୁଁ ବି ସେଲ୍ଫ ଏନୁମରେସନ୍ କରିଛି । ଆପଣ ବି କରନ୍ତୁ ।

Also Read:-Digital Census 2027: ୧୫ ବର୍ଷ ପରେ ପ୍ରଥମ ଥର Digital Survey, ଜାଣନ୍ତୁ କେଉଁ ୩୩ଟି ପ୍ରଶ୍ନର ଦେବାକୁ ହେବ ଉତ୍ତର

ଏପ୍ରିଲ ୧୬ ତାରିଖରୁ ତାଲିମପ୍ରାପ୍ତ ଗଣନାକାରୀ ମାନେ ଘର-ଘର ବୁଲି ତଥ୍ୟ ସଂଗ୍ରହ କରିବେ । ଏହି ତଥ୍ୟ ଆମ ରାଜ୍ୟ ତଥା ଦେଶର ଯୋଜନା ପ୍ରଣୟନ ଓ କାର୍ଯ୍ୟାନ୍ଵୟନ ସକାଶେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେଣୁ, ଏହି ତଥ୍ୟ ପ୍ରଦାନ ନିମନ୍ତେ ଆପଣମାନେ ସମସ୍ତେ ସହଯୋଗର ହାତ ବଢାଇ କାର୍ଯ୍ୟକ୍ରମକୁ ସଫଳ କରନ୍ତୁ । ଆମ ସରକାର ଏହି କାର୍ଯ୍ୟକ୍ରମ ପାଇଁ ସମସ୍ତ ପ୍ରସ୍ତୁତି କରିସାରିଛନ୍ତି । ଗଣନାକାରୀ ଆପଣଙ୍କ ଘରକୁ ଯେଉଁ ସମୟରେ ତଥ୍ୟ ସଂଗ୍ରହ କରିବା ପାଇଁ ଯିବେ, ତାଙ୍କୁ ସଠିକ ତଥ୍ୟ ପ୍ରଦାନ କରି, ଆମ ରାଜ୍ୟ ତଥା ଦେଶର ବିକାଶରେ ସହାୟତା କରନ୍ତୁ ।

ଓଡ଼ିଶା ସରକାରଙ୍କ ପକ୍ଷରୁ ଏହି ଜାତୀୟ କାର୍ଯ୍ୟକ୍ରମର ସଫଳତା ନିମନ୍ତେ ଆପଣମାନଙ୍କ ଆନ୍ତରିକ ଯୋଗଦାନ ନିମନ୍ତେ ମୁଁ ଅନୁରୋଧ କରୁଛି ।”