ନୂଆଦିଲ୍ଲୀ: କକ୍ରୋଚ୍‌ ଜନତା ପାର୍ଟି (ସିଜେପି) ନେତା ଆଶୁତୋଷ ରାଙ୍କା ଏବଂ ସୌରଭ ଦାସଙ୍କୁ ଆହୁରି ଜେଲ୍‌ରେ ରହିବାକୁ ପଡ଼ିବ । ସେମାନଙ୍କୁ ଆଶ୍ବସ୍ତି ନଦେଇ କୋର୍ଟ ଜେଲ୍‌ ଅବଧି ବୃଦ୍ଧି କରିଛନ୍ତି । ପୂର୍ବରୁ ଅକ୍ଟୋବର ୧୪ରେ ସେମାନଙ୍କୁ ୫ ଦିନିଆ ନ୍ୟାୟିକ ହାଜତକୁ ପଠାଯାଇଥିଲା । ଦିଲ୍ଲୀର ଜନ୍ତର ମନ୍ତରକୁ ବିକ୍ଷୋଭ ସ୍ଥଳ ତାଲିକାକୁ ହଟାଇବା ପରେ ମଧ୍ୟ, ରାଙ୍କା ଏବଂ ସୌରଭ ସେଠାରେ ଆନ୍ଦୋଳନ କରିଥିଲେ । ଏହି ଅଭିଯୋଗରେ ଅକ୍ଟୋବର ୧୩ରେ ଦୁଇ ଜଣଙ୍କୁ ପୋଲିସ ଅଟକ ରଖିଥିଲା । ପରଦିନ ସେମାନଙ୍କୁ ଗିରଫ କରାଯାଇଥିଲା ।
 
ଆଶୁତୋଷ ଏବଂ ସୌରଭଙ୍କୁ ସୋମବାର କୋର୍ଟରେ ହାଜର କରାଯାଇଥିଲା । ଶୁଣାଣି ପରେ ସେମାନଙ୍କୁ ତିହାର ଜେଲ୍‌ ନିଆଯାଇଛି ଏବଂ ଆଗାମୀ ଶୁଣାଣି ବୁଧବାର ହେବ ବୋଲି ଜଣାପଡ଼ିଛି । ତେବେ କୋର୍ଟଙ୍କ ଏହି ନିଷ୍ପତ୍ତିରେ ଖୁସି ନାହାନ୍ତି ସିଜେପିର ଲିଗାଲ୍‌ ମୁଖ୍ୟ ରତ୍ନା ସିଂହ । କୋର୍ଟଙ୍କ କାର୍ଯ୍ୟାନୁଷ୍ଠାନକୁ ନେଇ ସେ କ୍ଷୋଭ ପ୍ରକାଶ କରିଛନ୍ତି । 

CJP ଲିଗାଲ୍ ହେଡ୍‌ଙ୍କ କ୍ଷୋଭ 
ରତ୍ନା ସିଂହ ଆଜିର କୋର୍ଟ କାର୍ଯ୍ୟାନୁଷ୍ଠାନକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ‘ଆମେ ଯାହା ଦେଖିଲୁ ତାହା ଏକ ପ୍ରହସନ ବ୍ୟତୀତ ଆଉ କିଛି ନୁହେଁ। ଲୋକଙ୍କ ସ୍ୱାଧୀନତାକୁ କିଭଳି କ୍ଷୁର୍ଣ୍ଣ କରାଯାଉଛି ଏବଂ କିଭଳି ସ୍ଥିତି ପରିଚାଳନା କରାଯାଉଛି, ସେ ନେଇ ଏକ ତଦନ୍ତ ହେବା ଦରକାର। ଏହି ଜୁଡିସିଆଲ୍ କଷ୍ଟୋଡି ବୃଦ୍ଧି ପାଇଁ କୌଣସି ଆଇନଗତ କାରଣ ନଥିଲା।’ ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ‘ପୁରା ପ୍ରକ୍ରିୟା ମଧ୍ୟରେ କେବଳ ଉତ୍ତେଜକ ବିବୃତି ଦିଆଯାଇଥିଲା। SDMଙ୍କୁ ମଧ୍ୟ ତିନି ଘଣ୍ଟା ଅପେକ୍ଷା କରିବାକୁ ପଡ଼ିଥିଲା। ମୁଁ ମୋ ଜୀବନରେ ପ୍ରଥମ ଥର ପାଇଁ ଏଭଳି ଦୃଶ୍ୟ ଦେଖିଲି।’

ସେପଟେ ପ୍ରାଶସନ ପକ୍ଷରୁ ଜାଣିଶୁଣି ପ୍ରକ୍ରିୟାକୁ ବିଳମ୍ବ କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି ।  SDM କୋର୍ଟଗୁଡ଼ିକର ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇବା ସହ ସେଗୁଡ଼ିକୁ ଉଚ୍ଛେଦ କରାଯିବା ଉଚିତ୍ ବୋଲି ରତ୍ନା ସିଂହ ଦାବି କରିଛନ୍ତି । ଆଇନଜୀବୀମାନେ ବୁଝାଇଥିଲେ ଯେ, ସ୍ୱୀକୃତିପତ୍ର ଯାଞ୍ଚ ହେବା ପ୍ରକ୍ରିୟାରେ ଥିବା ବେଳେ କାହାକୁ ଜେଲରେ ରଖାଯାଇପାରିବ ନାହିଁ। ତଥାପି ସେମାନଙ୍କୁ ଦୁଇ ଦିନିଆ ହାଜତକୁ ପଠାଗଲା। ଯୁବପିଢ଼ି ଦେଖୁଛନ୍ତି କିପରି ଆଇନର ଅପବ୍ୟବହାର କରି ସ୍ୱର ଚାପିବାକୁ ଚେଷ୍ଟା କରାଯାଉଛି । କିନ୍ତୁ ଏହି ପ୍ରୟାସ ସଫଳ ହେବ ନାହିଁ ବୋଲି କହିଛନ୍ତି ରତ୍ନା ସିଂହ।