ଭୁବନେଶ୍ବର ୪।୧୧: ଉତ୍କଳ ବିଶ୍ୱବିଦ୍ୟାଳୟରେ ଚାଞ୍ଚଲ୍ୟ । ହଷ୍ଟେଲ ଖାଦ୍ୟରୁ ମିଳିଲା ମଲା ବେଙ୍ଗ । ଗୋଟିଏ ପଟେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଜଣ୍ଡିସ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ, ହଷ୍ଟେଲ ଖାଇବାରେ ମଲା ବେଙ୍ଗ ବାହାରିବା ପୁଣି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଉତ୍କଳ ବିଶ୍ୱବିଦ୍ୟାଳୟ ଲେଡିଜ୍ ହଷ୍ଟେଲ ୭ରେ ଏଭଳି ଚିତ୍ର ଦେଖିବାକୁ ମିଳିଛି ।

ମଙ୍ଗଳବାର ରାତି ଖାଇବାରେ ହୋଇଥିବା ଚିଲି ସୋୟାବିନରେ ମଲା ବେଙ୍ଗ ପଡ଼ିଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ହଷ୍ଟେଲରେ ଚାଞ୍ଚଲ୍ୟ ଖେଳିଯାଇଥିଲା । ବର୍ତ୍ତମାନ ସମାନ ହଷ୍ଟେଲର ଦୁଇ ଜଣ ଛାତ୍ରୀଙ୍କ ସ୍ୱାସ୍ଥ୍ୟ ରିପୋର୍ଟରେ ଜଣ୍ଡିସ୍ ହୋଇଥିବା ନେଇ ସ୍ପଷ୍ଟ ହୋଇଥିବା ବେଳେ ୧୦ରୁ ଅଧିକ ସନ୍ଦିଗ୍ଧଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ନିଆଯାଇଛି । ଝାଡ଼ାବାନ୍ତି ସହ ଜଣ୍ଡିସ୍ର କାରଣ ବର୍ତ୍ତମାନ ସ୍ପଷ୍ଟ ହୋଇନଥିବା ବେଳେ, ବିଶ୍ୱବିଦ୍ୟାଳୟର ଛାତ୍ରୀ ନିବାସର ଖାଦ୍ୟ ଆଉ ପାଣି ନମୁନାକୁ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି । ହେଲେ ଏହାରି ମଧ୍ୟରେ ଖାଦ୍ୟରୁ ମଲା ବେଙ୍ଗ ବାହାରିବା ଛାତ୍ରୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Also Read:- ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ଆଜିଠୁ ଖୋଲିଲା ବାଲେଶ୍ୱରର କୁଳଡିହା ଅଭୟାରଣ୍ୟ

ଅନ୍ୟପଟେ ଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମର ଏକ ସ୍ୱତନ୍ତ୍ର ଟିମ୍ ବିଶ୍ୱବିଦ୍ୟାଳୟରେ ପହଞ୍ଚି ଖାଦ୍ୟ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛନ୍ତି ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ହଷ୍ଟେଲ ଗୁଡ଼ିକରେ ୧,୫୦୦ ଲିଟର ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବା ସହ ବିଭିନ୍ନ ସ୍ଥାନରେ ପାଣି ବଏଲର ସ୍ଥାପନ କରାଯାଇଛି । ସାବଧାନତା ପଦକ୍ଷେପ ସ୍ୱରୂପ କ୍ୟାମ୍ପସ ପରିସରରେ ଚାଲୁଥିବା ସମସ୍ତ ଖାଦ୍ୟ ଦୋକାନଗୁଡ଼ିକୁ ସାମୟିକ ଭାବେ ବନ୍ଦ କରିଦିଆଯାଇଛି । ଏହାସହ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ କାର୍ଯ୍ୟକ୍ଷମ କରାଯାଇଛି ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି ।

Watch Video: