ନୂଆଦିଲ୍ଲୀ: ଫ୍ରାନ୍ସର ଟୋମ୍ବଲେନ୍ ସହରରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୧୧ ଜଣଙ୍କର ମୃତ୍ୟୁ ଘଟିଛି। ରବିବାର ଦିନ ଘଟିଥିବା ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ବ୍ୟକ୍ତି ସ୍କାଏ ଡାଇଭର୍ସ ଥିଲେ ବୋଲି ରଏଟର୍ସ ପକ୍ଷରୁ ସୂଚନା ମିଳିଛି। ଫ୍ରାନ୍ସର ନାନ୍ସି (Nancy) ସହର ନିକଟବର୍ତ୍ତୀ ଟୋମ୍ବଲେନଠାରେ ଏହି ବିମାନଟି ଏକ ଏକ ପଡ଼ିଆରେ କ୍ରାଶ୍ ହୋଇଯାଇଥିଲା। ଫ୍ରେଞ୍ଚ ଗଣମାଧ୍ୟମ 'ଲେ ପାରିସିଏନ୍'ର ରିପୋର୍ଟ ଅନୁଯାୟୀ, ମୃତକଙ୍କ ମଧ୍ୟରେ ୫ ଜଣ ପ୍ରଶିକ୍ଷକ , ୫ ଜଣ ଶିକ୍ଷାର୍ଥୀ ଏବଂ ଜଣେ ପାଇଲଟ୍ ରହିଛନ୍ତି।

ଏହି ଦୁର୍ଘଟଣା ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ଘଟିଥିଲା। ମୁଁ ନିକଟସ୍ଥ ଏକ ମଲ୍‌କୁ ସପିଂ କରିବାକୁ କାର୍‌ରେ ଯାଉଥିବା ସମୟରେ ହଠାତ୍ ବିମାନଟି ତଳକୁ ମୁହାଁଇ ସିଧା ମାଟିରେ ପିଟି ହୋଇଯାଉଥିବାର ଦେଖିବାକୁ ପାଇଥିଲି ବୋଲି ଜଣେ ପ୍ରତ୍ୟେକ୍ଷଦର୍ଶୀ ସୂଚନା ଦେଇଛନ୍ତି ।

ଘଟଣା ପରେ ମ୍ୟୁର୍ଥ-ଏଟ୍-ମୋସେଲ୍ ଜାତୀୟ ପୋଲିସ ପକ୍ଷରୁ ସୋସିଆଲ ମିଡିଆରେ ଏକ ଜରୁରୀ ସୂଚନା ଜାରି କରାଯାଇଛି। ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ଜରୁରୀକାଳୀନ ଗାଡ଼ିଗୁଡ଼ିକୁ ଯାତାୟାତ ପାଇଁ ବାଟ ଦେବା ଉଦ୍ଦେଶ୍ୟରେ ପୋଲିସ ଜନସାଧାରଣଙ୍କୁ ଦୁର୍ଘଟଣାସ୍ଥଳଠାରୁ ଦୂରେଇ ରହିବାକୁ ଅନୁରୋଧ କରିଛି।

ଟୋମ୍ବଲେନରରୁ ସାଲଭାଡୋର ଆଲେଣ୍ଡେ' ରାସ୍ତା ଆଡ଼କୁ ନ ଯିବାକୁ କୁହାଯାଇଛି। ସରକାରୀ ଓକିଲଙ୍କ କାର୍ଯ୍ୟାଳୟ, ସ୍ଥାନୀୟ ପୋଲିସ ଏବଂ ଜରୁରୀକାଳୀନ ଚିକିତ୍ସା ସେବାର ପ୍ରତିନିଧିମାନେ ଘଟଣାର ଅନୁସନ୍ଧାନ କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ବିମାନଟି କେଉଁ କାରଣରୁ ଦୁର୍ଘଟଣାଗ୍ରସ୍ତ ହେଲା, ତାହାର ପ୍ରକୃତ କାରଣ ଜଣାପଡ଼ିନାହିଁ। ଏନେଇ ଏକ ବୈଷୟିକ ଟିମ୍ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଛି।