ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ତିକ୍ତତା କମ୍ ହେବା ପରେ ଭାରତ ସରକାର ଏବେ ବିମାନ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ବସ୍ତି ଦେଇଛନ୍ତି। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ବୁଧବାର, ଘରୋଇ ଏୟାରଲାଇନ୍ସଙ୍କ ପାଇଁ ଏୟାରପୋର୍ଟରେ ଲାଗୁଥିବା ଲ୍ୟାଣ୍ଡିଂ ଏବଂ ପାର୍କିଂ ଶୁଳ୍କରେ ୨୫ ପ୍ରତିଶତ ଛାଡ଼ କରିବାକୁ ଘୋଷଣା କରିଛି। ଏହି ପଦକ୍ଷେପର ଉଦ୍ଦେଶ୍ୟ ବିମାନ ଇନ୍ଧନ ବା ଏଟିଏଫ୍‌ର ବଢ଼ିଥିବା ଦାମ୍ ପରେ ବି ବିମାନ ଟିକେଟ ଦାମକୁ ନିୟନ୍ତ୍ରଣରେ ରଖିବା।

କାହିଁକି ଏହି ନିଷ୍ପତ୍ତି ?

ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ମନ୍ତ୍ରୀ ରାମ ମୋହନ ନାୟଡୁ କହିଛନ୍ତି ବୈଶ୍ବିକ ପରିସ୍ଥିତି, ବିଶେଷକରି ପଶ୍ଚିମ ଏସିଆ ସଙ୍କଟ କାରଣରୁ ବିମାନ ଇନ୍ଧନ ଦାମ୍‌ ବୃଦ୍ଧି ଦେଖିବାକୁ ମିଳିଛି। ଏମିତିରେ ଏୟାରଲାଇନ୍ସର ପରିଚାଳନା ଖର୍ଚ୍ଚ ବୋଝ ବଢ଼ିଛି। ଯଦି ସରକାର ଏହି ପଦକ୍ଷେପ ନନେବେ ତେବେ ଏୟାରଲାଇନ୍ସ ଏହାର ସିଧା ବୋଝ ଯାତ୍ରୀଙ୍କ ଉପରେ ପକାଇବେ। ଏହାଦ୍ବାରା ଟିକେଟ ଦାମ ଅଧିକ ବଢ଼ିଯିବ। ମନ୍ତ୍ରୀ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟ ସାଧାରଣ ନାଗରିକଙ୍କ ପାଇଁ ବିମାନ ଯାତ୍ରାକୁ ସୁଲଭ ଏବଂ ସୁବିଧାଜନକ କରିବା।

Also Read: Air India CEO Resigns: ଏୟାର ଇଣ୍ଡିଆକୁ ବଡ଼ ଝଟକା, ପଦ ଛାଡିଲେ CEO କ୍ୟାମ୍ପବେଲ୍ ୱିଲସନ୍

୪୦୦ କୋଟି ଟଙ୍କାର ଆଶ୍ବସ୍ତି

ସରକାରଙ୍କ ଏହି ନିଷ୍ପତ୍ତି ଦ୍ବାରା ଦେଶର ଏୟାରଲାଇନ୍ସ କମ୍ପାନିଙ୍କୁ ଆଗାମୀ ୩ ମାସ ପାଇଁ ପ୍ରାୟ ୪୦୦ କୋଟି ଟଙ୍କାର ସଞ୍ଚୟ ହେବ। ମନ୍ତ୍ରଣାଳୟ ଏୟାରପୋର୍ଟ ଇକୋନୋମିକ ରେଗୁଲେଟୋରୀ ଅଥରିଟି ଏବଂ ଭାରତୀୟ ବିମାନବନ୍ଦର ପ୍ରାଧିକରଣକୁ ତୁରନ୍ତ ଏହି ନିର୍ଦ୍ଦେଶକୁ ଲାଗୁ କରିବା ପାଇଁ କହିଛି।

ନାୟଡୁ କହିଛନ୍ତି, ବିଶ୍ବ ସ୍ତରରେ ବିମାନ ଇନ୍ଧନ ଦାମ୍‌ରେ ୧୦୦ ପ୍ରତିଶତରୁ ଅଧିକ ବୃଦ୍ଧି ଦେଖିଯାଇଛି। ହେଲେ ସରକାର ବିଭିନ୍ନ ପଦକ୍ଷେପ ନେଇ ଏହାର ପ୍ରଭାବ ପଡ଼ିବାକୁ ଦେଇନାହାଁନ୍ତି। ତେବେ ଏହି ନୂଆ ନିଷ୍ପତ୍ତି ଦ୍ବାରା ଏୟାରପୋର୍ଟଗୁଡ଼ିକୁ ହେବାକୁ ଥିବା କ୍ଷତିର ଭରଣା ପାଇଁ ସରକାର ଭବିଷ୍ୟତରେ ଟାରିଫ୍ ନିର୍ଦ୍ଧାରଣ ସମୟରେ ଆଡଜଷ୍ଟମେଣ୍ଟ ବିକଳ୍ପ ରଖିଛନ୍ତି। ମନ୍ତ୍ରଣାଳୟ ଲଗାତାର ସ୍ଥିତିର ସମୀକ୍ଷା କରୁଛନ୍ତି। ଆବଶ୍ୟକ ପଡ଼ିଲେ ଭବିଷ୍ୟତରେ ଆହୁରି ମଧ୍ୟ ଜରୁରୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ।