ନୂଆଦିଲ୍ଲୀ: ଭାରତର ଅଗ୍ରଣୀ ବିମାନ ଚଳାଚଳ ସଂସ୍ଥା 'ଏୟାର ଇଣ୍ଡିଆ'ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) କ୍ୟାମ୍ପବେଲ୍ ୱିଲସନ୍ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଗତ ସପ୍ତାହରେ ବୈଠକରେ ତାଙ୍କ ଇସ୍ତଫାପତ୍ର ଗୃହୀତ ହୋଇଛି। ତେବେ ବୋର୍ଡ ପକ୍ଷରୁ କୌଣସି ନୂଆ ଉତ୍ତରାଧିକାରୀଙ୍କୁ ନିଯୁକ୍ତି ଦିଆଯିବା ପର୍ଯ୍ୟନ୍ତ ସେ କମ୍ପାନୀ ସହ ରହି ନିଜର ଦାୟିତ୍ୱ ତୁଲାଇବେ ବୋଲି ଜଣାପଡ଼ିଛି। କମ୍ପାନୀ ବର୍ତ୍ତମାନ ବିଭିନ୍ନ ଅପରେସନାଲ୍ ସମସ୍ୟା, ବଢ଼ୁଥିବା ଖର୍ଚ୍ଚ ଏବଂ ବଡ଼ ଧରଣର ଆର୍ଥିକ କ୍ଷତି ଦେଇ ଗତି କରୁଥିବା ବେଳେ ଏହି ନେତୃତ୍ୱ ପରିବର୍ତ୍ତନ ହେବାକୁ ଯାଉଛି।

କାର୍ଯ୍ୟକାଳ ପୂରିବା ପୂର୍ବରୁ ଛାଡ଼ିଲେ ପଦ

ଜାନୁଆରୀ ୨୦୨୨ରେ ଏୟାର ଇଣ୍ଡିଆର ଘରୋଇକରଣ ହେବା ପରେ ସେହି ବର୍ଷ ସେପ୍ଟେମ୍ବର ମାସରେ ୱିଲସନ୍ ଏକ ୫ ବର୍ଷିୟା ଚୁକ୍ତିରେ ଏୟାର ଇଣ୍ଡିଆ ସିଇଓ ଭାବେ ଯୋଗ ଦେଇଥିଲେ। ତାଙ୍କର କାର୍ଯ୍ୟକାଳ ଆସନ୍ତା ବର୍ଷ (୨୦୨୭) ସେପ୍ଟେମ୍ବରରେ ଶେଷ ହେବାର ଥିଲା। କିନ୍ତୁ କାର୍ଯ୍ୟକାଳ ଶେଷ ହେବା ପରେ ସେ ଆଉ ରହିବାକୁ ଚାହୁଁନଥିବା ନେଇ ଚଳିତ ବର୍ଷ ଜାନୁଆରୀରେ ଇଚ୍ଛା ପ୍ରକାଶ କରିଥିଲେ। ସେବେଠାରୁ ତାଙ୍କର ଉତ୍ତରାଧିକାରୀ ସନ୍ଧାନ ଆରମ୍ଭ ହୋଇଥିଲା। ସୁଗମ ହସ୍ତାନ୍ତର ପାଇଁ ବୋର୍ଡ ନୂଆ ସିଇଓ ନିଯୁକ୍ତ କରିବା ପର୍ଯ୍ୟନ୍ତ ସେ କାର୍ଯ୍ୟଭାର ତୁଲାଇବେ। ବର୍ତ୍ତମାନ କମ୍ପାନୀ କିଛି ସମ୍ଭାବ୍ୟ ପ୍ରାର୍ଥୀଙ୍କ ସହ ଆଲୋଚନା କରୁଥିବା ବେଳେ ଆସନ୍ତା ସପ୍ତାହରେ ଏନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାର ଅଛି।

ବଢ଼ୁଥିବା ଖର୍ଚ୍ଚ ଏବଂ ବଡ଼ ଦୁର୍ଘଟଣାର ଚାପ

ବର୍ତ୍ତମାନ ଏୟାର ଇଣ୍ଡିଆ ଅନେକ ବଡ଼ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି।

  •  ପଶ୍ଚିମ ଏସିଆ ସଙ୍କଟ ଯୋଗୁଁ ଆକାଶମାର୍ଗରେ ଲାଗିଥିବା କଟକଣା ବିମାନଗୁଡ଼ିକୁ ଲମ୍ବା ରାସ୍ତା ଦେଇ ଯିବାକୁ ବାଧ୍ୟ କରୁଛି, ଯାହା ଫଳରେ ଇନ୍ଧନ ଓ ଅପରେସନାଲ୍ ଖର୍ଚ୍ଚ ଯଥେଷ୍ଟ ବୃଦ୍ଧି ପାଇଛି।
  •  ରିପୋର୍ଟ ଅନୁଯାୟୀ, ୨୦୨୬ ଆର୍ଥିକ ବର୍ଷ ପାଇଁ ଏୟାରଲାଇନ୍ସର ମୋଟ କ୍ଷତି ପ୍ରାୟ ୨୦,୦୦୦ କୋଟି ଟଙ୍କା ଛୁଇଁପାରେ।
  •  ଏହା ସହିତ ଗତ ୨୦୨୫ ଜୁନ୍ ୧୨ ତାରିଖରେ ଏୟାର ଇଣ୍ଡିଆର ଏକ ବୋଇଂ ଡ୍ରିମଲାଇନର୍ ବିମାନ (ଫ୍ଲାଇଟ୍ AI 171) ଅହମ୍ମଦାବାଦ ବିମାନବନ୍ଦରରୁ ଉଡ଼ାଣ ଭରିବାର କିଛି ସମୟ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଭୟଙ୍କର ଦୁର୍ଘଟଣାରେ ୨୪୧ ଜଣଙ୍କ ପ୍ରାଣହାନୀ ଘଟିଥିଲା। ଏହି ଘଟଣାର ପୂର୍ଣ୍ଣାଙ୍ଗ ରିପୋର୍ଟ ଆସନ୍ତା ୨୦୨୬ ଜୁନ୍ ୧୨ ତାରିଖରେ ପ୍ରକାଶ ପାଇବାର ଅଛି। ନୂଆ ସିଇଓ ଏହି ରିପୋର୍ଟ ପ୍ରକାଶ ପାଇବା ପରେ ହିଁ ଦାୟିତ୍ୱ ନେବେ ବୋଲି ଆଶା କରାଯାଉଛି।

ଏୟାରଲାଇନ୍ସ ଶିଳ୍ପରେ ଲଗାତାର ନେତୃତ୍ୱ ପରିବର୍ତ୍ତନ

ଏୟାର ଇଣ୍ଡିଆ ଏକ୍ସପ୍ରେସର (Air India Express) ସିଇଓ ଆଲୋକ ସିଂହଙ୍କ କାର୍ଯ୍ୟକାଳ ମଧ୍ୟ ଗତ ମାର୍ଚ୍ଚ ୧୯ ତାରିଖରେ ଶେଷ ହୋଇଛି। କେବଳ ଏୟାର ଇଣ୍ଡିଆ ନୁହେଁ, ବରଂ ଭାରତର ସବୁଠାରୁ ବଡ଼ ଏୟାରଲାଇନ୍ସ 'ଇଣ୍ଡିଗୋ' (IndiGo) ରେ ମଧ୍ୟ ଚଳିତ ବର୍ଷ ନେତୃତ୍ୱ ପରିବର୍ତ୍ତନ ହୋଇଛି। ଡିସେମ୍ବରରେ ବ୍ୟାପକ ବିମାନ ସେବା ବାଧାପ୍ରାପ୍ତ ହେବା ପରେ ମାର୍ଚ୍ଚ ୧୦ ତାରିଖରେ ପିଟର ଏଲବର୍ସ ଇଣ୍ଡିଗୋ ସିଇଓ ପଦରୁ ଦେଇଥିଲେ। ତାଙ୍କ ସ୍ଥାନରେ ମାର୍ଚ୍ଚ ୩୦ ତାରିଖରେ ୱିଲିୟମ୍ ୱାଲ୍ସଙ୍କୁ ନୂଆ ମୁଖ୍ୟ ଭାବେ ନିଯୁକ୍ତି ଦିଆଯାଇଛି।