ନୂଆଦିଲ୍ଲୀ, ୧୦/୦୯ : ଭାରତ ଆସିପାରନ୍ତି ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ୍ । ବ୍ରିକ୍ସ ସମ୍ମିଳନୀରେ ସାମିଲ ହେବାକୁ ସେ ଭାରତ ଆସିବେ ବୋଲି ଅନୁମାନ କରାଯାଉଛି । ଏନେଇ ଚାଇନାର ବୈଦେଶିକ ମନ୍ତ୍ରାଳୟ ଗୁରୁବାର ଘୋଷଣା କରିପାରେ । ଯଦି ତାଙ୍କ କାର୍ଯ୍ୟସୂଚୀ ଚୂଡାନ୍ତ ହୁଏ ତାହାଲେ ସେ ଶନିବାର ନୂଆଦିଲ୍ଲୀରେ ପହଁଚିବେ । ସେ ସନ୍ଧ୍ୟା ୬ଟାରେ ଭାରତ ମଣ୍ଡପମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆଲୋଚନା କରିପାରନ୍ତି ।

ବ୍ରିକ୍ସ ସମ୍ମିଳନୀରେ ମୋଦୀ ଏବଂ ଜିନପିଙ୍ଗ୍ ଭାରତ ମଣ୍ଡପମରେ ଦ୍ୱିପାକ୍ଷିକ ଆଲୋଚନା କରିପାରନ୍ତି । ଏହି ବୈଠକ ଦୁଇ ଦେଶର ସମ୍ପର୍କ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । ସବୁଠାରୁ ଖାସ୍ କଥା ହେଲା ଯେ, ଭାରତ ମାଟିରେ ଦୀର୍ଘ ୭ ବର୍ଷ ପରେ ଦୁଇ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବ ।

Also Read :- ଆମେରିକା ଉପରେ ଇରାନର ବଡ଼ ଆଟାକ୍ ! ଧ୍ୱଂସ ହୋଇଗଲା ଏକାଧିକ ଯୁଦ୍ଧ ବିମାନ

୧୨, ୧୩ରେ ବ୍ରିକ୍ସ ସମ୍ମିଳନୀ

ଭାରତ ସେପ୍ଟେମ୍ବର ୧୨ ଏବଂ ୧୩ ତାରିଖରେ ଭାରତ ମଣ୍ଡପମରେ ୧୮ ତମ ବ୍ରିକ୍ସ ସମ୍ମିଳନୀର ଅଧ୍ୟକ୍ଷତା କରିବ । ସମ୍ମିଳନୀରେ ସମସ୍ତ ସଦସ୍ୟ ଦେଶ ସାମିଲ ହୋଇପାରନ୍ତି । ଏଥିରେ ରାଜନୈତିକ, ସୁରକ୍ଷା, ଆର୍ଥିକ ଏବଂ ପରସ୍ପର ମଧ୍ୟରେ ସହଭାଗିତା ନେଇ ଆଲୋଚନା କରାଯିବ । ଚଳିତ ବର୍ଷ ବ୍ରିକ୍ସ ନିଜର ୨୦ ବର୍ଷ ପୂରଣ ମଧ୍ୟ କରୁଛି ।

ସୂଚନାଯୋଗ୍ୟ, ଜିନପିଙ୍ଗ୍ ଶେଷ ଥର ପାଇଁ ୨୦୧୯ ଅକ୍ଟୋବର ୧୧ ଏବଂ ୧୨ ତାରିଖରେ ଭାରତ ଆସିଥିଲେ । ସେ ତାମିଲନାଡୁର ମାମଲ୍ୟାପୂରମରେ ପହଁଚିଥିଲେ । ଏଠାରେ ମୋଦୀଙ୍କ ସହ ସେ ଶିଖର ସମ୍ନିଳନୀରେ ଭାଗ ନେଇଥିଲେ । ୨୦୧୮ରେ ଦୁଇ ଦେଶ ମଧ୍ୟରେ ହୋଇଥିବା ପ୍ରଥମ ଶିଖର ସମ୍ମିଳନୀ ପରେ ଦୁଇ ନେତା ଅନେକ ପ୍ରସଙ୍ଗରେ ଆଲୋଚନା କରିଥିଲେ ।