ନୂଆଦିଲ୍ଲୀ,୦୫।୧୦:ଚୀନ୍ର ଜଣେ ୬୦ ବର୍ଷୀୟା ମହିଳା ଏବେ ଅନ୍ଲାଇନ୍ ଗେମିଂ ଲାଗି ଚର୍ଚ୍ଚାରେ ଅଛନ୍ତି । ତାଙ୍କର ନାମ ହେଲା ଝୋଙ୍ଗ ଜୁଆନଜୁଆନ୍ । ‘ଆଣ୍ଟି ଜୁଆନ୍’ ଭାବେ ମଧ୍ୟ ସେ ପରିଚିତ । ଏକଦା ପୁଅକୁ ଭିଡିଓ ଗେମ୍ ଖେଳିବାରୁ ରୋକୁଥିବା ଜୁଆନ୍ ଏବେ ଜଣେ ପ୍ରସିଦ୍ଧ ଗେମିଂ ଲାଇଭ ଷ୍ଟ୍ରିମର ପାଲଟିଛନ୍ତି । ସୋସିଆଲ୍ ମିଡିଆରେ ତାଙ୍କର ୫.୨୭ ଲକ୍ଷରୁ ଅଧିକ ଅନୁଗାମୀ ଅଛନ୍ତି। 

ଝୋଙ୍ଗ ଗୁଆଙ୍ଗଡୋଙ୍ଗ ପ୍ରଦେଶର ବାସିନ୍ଦା । ସେ ପ୍ରାଥମିକ ଶିକ୍ଷା ଶେଷ କରିଥିବାବେଳେ ବିଭିନ୍ନ ପ୍ରକାର ପାର୍ଟ ଟାଇମ କାମ କରି ପରିବାର ଚଳାଉଥିଲେ । ତେବେ ନିଜ କିଶୋର ପୁଅ ସ୍ୟୁଡୋର ଗେମିଂ ନିଶା ତାଙ୍କୁ ବ୍ୟଥିତ କରିଥିଲା । ସେ ପୁଅକୁ ଭିଡିଓ ଗେମ୍ ଖେଳିବାଲାଗି ବାରମ୍ବାର ରୋକିଲେ ବି ପୁଅ ମାନୁନଥିଲା । ଏହାପରେ ପୁଅର ମନସ୍ତତ୍ତ୍ୱକୁ ବୁଝିବା ଲାଗି ଝୋଙ୍ଗ ଭିଡିଓ ଗେମ୍ ଖେଳିବାକୁ ମନସ୍ଥ କରିଥିଲେ । ପ୍ରଥମତଃ ଅନଲାଇନ୍ ଗେମ୍ ଖେଳିବା ତାଙ୍କ ଲାଗି ବହୁ କଷ୍ଟକର ହୋଇଥିଲା । ପରେ ସ୍ୟୁଡୋ ତାଙ୍କୁ ଗେମ୍ ଖେଳିବାର କୌଶଳ ଶିଖାଇଥିଲେ ।

ଧୀରେ ଧୀରେ ଝୋଙ୍ଗଙ୍କର ଦକ୍ଷତା ବଢ଼ିଲା । ୨୦୨୨ରେ ସେ ଲାଇଭଷ୍ଟ୍ରିମ୍ ଆରମ୍ଭ କଲେ । ଅଦ୍ୟାବଧି ସେ ୮ ହଜାର ଘଣ୍ଟାରୁ ଅଧିକ ସମୟ ଗେମ୍ ଖେଳିସାରିଛନ୍ତି । ଝୋଙ୍ଗ ପ୍ରାୟତଃ ସୁଟିଂ ଗେମ୍ ଖେଳିଥାନ୍ତି । ପ୍ରତିଦିନ ସେ ୨ ଥର ଲାଇଭ୍ ଆସିଥାନ୍ତି । ତାଙ୍କର ପ୍ରତି ସେସନଙ୍କୁ ଅତି କମରେ ୧୦ ହଜାର ଦର୍ଶକ ଦେଖିଥାନ୍ତି । ବର୍ତ୍ତମାନ ଗେମିଂ ଲାଇଭ ଷ୍ଟ ତାଙ୍କ ପାଇଁ ଏକ ସଫଳ କ୍ୟାରିୟର ପାଲଟିଥିବା ସେ ପ୍ରକାଶ କରିଛନ୍ତି ।