ନୂଆଦିଲ୍ଲୀ: ପଶ୍ଚିମ ଦିଲ୍ଲୀର କୀର୍ତ୍ତି ନଗର ଅଞ୍ଚଳରେ ଏକ ଦ୍ରୁତଗାମୀ ଏସ୍‌ୟୁଭି କାର୍‌ ଧକ୍କାରେ ବୃଦ୍ଧ ଦମ୍ପତି ଗୁରୁତର ହୋଇଛନ୍ତି। ଶୁକ୍ରବାର ସକାଳ ପ୍ରାୟ ୮:୪୫ ମିନିଟରେ ଆର୍ଯ୍ୟ ସମାଜ ମନ୍ଦିର ନିକଟରେ ଏହି ଦୁର୍ଘଟଣା ଘଟିଥିଲା। କାର୍‌ ଚଲାଉଥିବା ୪୯ ବର୍ଷୀୟା ନବଲୀନ୍ କୌର ନାମକ ଜଣେ ମହିଳା ଦୁର୍ଘଟଣା ଘଟାଇବା ପରେ ମାତ୍ର ୪୦ ସେକେଣ୍ଡ ମଧ୍ୟରେ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ। 

ସିସିଟିଭି ଫୁଟେଜରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ୭୦ ବର୍ଷରୁ ଅଧିକ ବୟସ୍କ ଏହି ବୃଦ୍ଧ ଦମ୍ପତି ରାସ୍ତାର ବାମ ପାଖରେ ଚାଲି ଚାଲି ଯାଉଥିଲେ । ଏହି ସମୟରେ ପଛପଟୁ ଆସି କାରଟି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ସେମାନେ କିଛି ବାଟ ଛିଟିକି ପଡ଼ିଥିଲେ । ଦୁର୍ଘଟଣାରେ ୭୧ ବର୍ଷୀୟା କୁସୁମ ଟାଗ୍ରା ରାସ୍ତା କଡ଼ର ଏକ ବିଦ୍ୟୁତ୍ ଖୁଣ୍ଟ ନିକଟରେ ପଡ଼ିଥିବା ବେଳେ, ତାଙ୍କର ୭୯ ବର୍ଷୀୟ ସ୍ୱାମୀ ଦୟାନନ୍ଦ ଟାଗ୍ରା ଦୁଇ ସେକେଣ୍ଡ ପାଇଁ କାର୍‌ ବନେଟ୍‌‌ ଉପରେ ପଡ଼ିବା ପରେ ରାସ୍ତା ଉପରେ ମୁହଁ ମାଡ଼ି କଚାଡ଼ି ହୋଇ ପଡ଼ିଥିଲେ। 

ବୃଦ୍ଧଙ୍କ ମୁଣ୍ଡ ଓ ମୁହଁରେ ଗଭୀର ଆଘାତ ଲାଗିଥିଲା ଏବଂ ରାସ୍ତାରେ ରକ୍ତ ଜୁଡ଼ୁବୁଡ଼ୁ ହୋଇ ପଡ଼ିଥିଲେ । ଦୁର୍ଘଟଣା ପରେ କାର୍‌ ଚାଳକ ନବଲୀନ୍ କୌର ଗାଡ଼ିରୁ ଓହ୍ଲାଇ ବୃଦ୍ଧଙ୍କ ନିକଟକୁ ଯାଇ ତାଙ୍କ ସ୍ଥିତି ଯାଞ୍ଚ କରିଥିଲେ। ଏହାପରେ ବୃଦ୍ଧାଙ୍କୁ ଦୂରରୁ ଦେଖି ଦୁଇ ହାତ ଯୋଡ଼ି ଠାକୁରଙ୍କୁ ପ୍ରାର୍ଥନା କଲା ଭଳି ଅଭିନୟ କରିଥିଲେ  । ଏହାର ମାତ୍ର କେଇ ସେକେଣ୍ଡ ମଧ୍ୟରେ ପୁଣି କାର୍‌ ଭିତରକୁ ଯାଇ ସେଠାରୁ ଦ୍ରୁତ ଗତିରେ ପଳାଇଥିଲେ। ସ୍ଥାନୀୟ ଲୋକ ଓ ଶ୍ରମିକମାନେ ତୁରନ୍ତ ଆସି ଦମ୍ପତିଙ୍କୁ ଉଦ୍ଧାର କରିଥିଲେ।

ପୁଲିସର ସୂଚନା ଅନୁଯାୟୀ, ଆହାତ ବୃଦ୍ଧ ଦମ୍ପତିଙ୍କ ସନ୍ତାନମାନେ ଆମେରିକାରେ ରହୁଛନ୍ତି।  କୁସୁମ ଟାଗ୍ରା ଏବଂ ଦୟାନନ୍ଦ ଟାଗ୍ରାଙ୍କୁ କୀର୍ତ୍ତି ନଗରସ୍ଥିତ କାଲରା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦିଲ୍ଲୀ ପୁଲିସ୍‌ କାର୍‌ ଚାଳକ ନବଲୀନ୍ କୌରଙ୍କୁ ଗିରଫ କରିବା ସହ ଦୁର୍ଘଟଣାରେ ବ୍ୟବହୃତ କ୍ରେଟା କାରକୁ ଜବତ କରିଛି। ବେପରୁଆ ଗାଡ଼ି ଚଳାଇବା ଅଭିଯୋଗରେ ଭାରତୀୟ ନ୍ୟାୟ ସଂହିତାର ଧାରା ୨୮୧ ଏବଂ ୧୨୫A ଅଧୀନରେ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛି ପୁଲିସ ।