ପାଟନା: ବିହାର ବିଧାନପରିଷଦ (ଏମଏଲସି)ର ୮ଟି ଆସନରେ ହେଉଥିବା ନିର୍ବାଚନ ମଧ୍ୟରେ ମୋକମାରୁ ଜନତା ଦଳ ୟୁନାଇଟେଡ (ଜେଡିୟୁ) ବିଧାୟକ ଅନନ୍ତ ସିଂହଙ୍କ ଚାଞ୍ଚଲ୍ୟକର ବୟାନ ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି କରିଛି। ଦଳର ବରିଷ୍ଠ ନେତା ତଥା ଏମଏଲସି ପ୍ରାର୍ଥୀ ନିରଜ କୁମାରଙ୍କ ସହ ଟଣାଓଟରାରେ ଅନନ୍ତ ସିଂହ କହିଛନ୍ତି ଯେ ଯେବେ ନୀତିଶ କୁମାର କିଛି ବି ନଥିଲେ ସେତେବେଳେ ତାଙ୍କ ସହ ଥିଲେ ଓ ୯ ଜଣଙ୍କ ହତ୍ୟା (ମର୍ଡର) କରାଇଥିଲେ। ଅନନ୍ତ ସିଂହଙ୍କ ଏହି ବୟାନ ସେତେବେଳେ ଆସିଛି ଯେତେବେଳେ ବିହାର ବିଧାନ ପରିଷଦର ପାଟନା ସ୍ନାତକ ସିଟ୍ ସମେତ ୮ ଆସନରେ ଅକ୍ଟୋବର ୨୩ରେ ଭୋଟ ହେବାକୁ ଯାଉଛି।

ଏହି ନିର୍ବାଚନରେ ଅନନ୍ତ ସିଂହ ନିଜ ପାର୍ଟିର ପ୍ରାର୍ଥୀ ନିରଜ କୁମାରଙ୍କୁ ଖୋଲାଖୋଲି ବିରୋଧ କରୁଛନ୍ତି ଓ ପ୍ରଶାନ୍ତ କିଶୋରଙ୍କ ଜନସୁରାଜ ପାର୍ଟି ପ୍ରାର୍ଥୀ ଅନୁଜ ସିଂହଙ୍କୁ ସମର୍ଥନ କରୁଛନ୍ତି। ସେ କହିଛନ୍ତି ଯେ ଯେତେବେଳେ ନୀତିଶ କୁମାରଙ୍କ ସହ ଖୁବ କମ ଲୋକ ଥିଲେ ସେତେବେଳେ ବି ସେ ତାଙ୍କ ସହ ଥିଲେ। ସେ ନୀତିଶ କୁମାର ଓ ପାର୍ଟି ଲାଗି ଯେତିକି ବଳିଦାନ ଦେଇଛନ୍ତି କୌଣସି ନେତା ସେତିକି କରି ନଥିବେ ବୋଲି କହିଛନ୍ତି । ଏହି ସନ୍ଦର୍ଭରେ ସେ ୯ ଜଣଙ୍କ ହତ୍ୟା କରାଇଥିବା କଥା କହିଛନ୍ତି। ତେବେ ଅନନ୍ତ ସିଂହ ତାଙ୍କ ଦାବିରୁ ପରେ ଓହରି ଯାଇଛନ୍ତି।

ଅନନ୍ତ ସିଂହ କହିଛନ୍ତି ଯେ ତାଙ୍କ ବୟାନର ଭୁଲ ବ୍ୟାଖ୍ୟା କରାଯାଇଛି। ସେ ସଫେଇରେ କହିଛନ୍ତି ଯେ ମୁଁ ଅନେକ ବଳିଦାନ ଦେଇଛି। ସେ କହିଛନ୍ତି ଯେ ଲାଲୁ ଯାଦବଙ୍କ ସରକାର କାଳରେ ନୀତିଶ କୁମାରଙ୍କୁ ସମର୍ଥନ ଯୋଗୁ ମୋର ୯ ଜଣ ସାଥୀଙ୍କୁ ହତ୍ୟା କରିଦିଆଯାଇଥିଲା। ଏହା ମୋ ଲାଗି ବ୍ୟକ୍ତିଗତ କ୍ଷତି ଥିଲା।