ନୂଆଦିଲ୍ଲୀ: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ଯୋଗୁଁ ବିପଦରେ ପଡ଼ିଛି ଚାକିରି । ଅନେକ କ୍ଷେତ୍ରରେ ଏଆଇର ଚାହିଦା ବୃଦ୍ଧି ପାଇଥିବା ବେଳେ ହଜାର ହଜାର ଲୋକ ଚାକିରି ହରାଇଛନ୍ତି । ଫଳରେ ମାନବ ସମ୍ବଳ ଉପରେ କମ୍ପାନୀଗୁଡ଼ିକର ନିର୍ଭରଶୀଳତା କମୁଛି । ଏହାକୁ ନେଇ ଚୀନ୍ରେ ବେଶି ଚିନ୍ତା ବଢ଼ିଛି । ତେଣୁ ଚୀନର ଏକ କୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। କୋର୍ଟ ରାୟ ଦେଇଛନ୍ତି ଯେ, ଚୀନର କମ୍ପାନୀଗୁଡ଼ିକ AI ପାଇଁ କର୍ମଚାରୀମାନଙ୍କୁ ଆଇନଗତ ଭାବରେ ବହିଷ୍କାର କରିପାରିବେ ନାହିଁ।

ଟେକ୍ନୋଲୋଜି କ୍ଷେତ୍ରରେ ବର୍ଦ୍ଧିତ ସ୍ୱୟଂଚାଳିତ ଧାରା ମଧ୍ୟରେ ଏହି ନିଷ୍ପତ୍ତି ଶ୍ରମିକଙ୍କ ଅଧିକାର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଉଦାହରଣ ପାଲଟିଛି। ହାଙ୍ଗଝୁର ଏକ କୋର୍ଟ ଟେକ୍ନୋଲୋଜି କମ୍ପାନୀର ‘ବେଆଇନ ବହିଷ୍କାର’ ଧାରାକୁ ନେଇ ପ୍ରଶ୍ନ କରିଥିଲେ । ସଂପୃକ୍ତ କମ୍ପାନୀ ଜଣେ କର୍ମଚାରୀଙ୍କୁ ଏକ ଭିନ୍ନ ଚାକିରିରେ ପୁନଃନିଯୁକ୍ତ କରିଥିଲା ଏବଂ ତାଙ୍କ କାମ AI ଦ୍ୱାରା ସମ୍ପାଦିତ ହୋଇପାରିବ ବୋଲି ତାଙ୍କ ଦରମାକୁ ଯଥେଷ୍ଟ ହ୍ରାସ କରିଥିଲା । ପରେ କର୍ମଚାରୀଙ୍କୁ କମ୍ପାନୀରୁ ବହିଷ୍କାର କରାଯାଇଥିଲା ।

ଅନ୍ତର୍ଜାତୀୟ ଶ୍ରମିକ ଦିବସରେ, କମ୍ପାନୀ ଏବଂ ଶ୍ରମିକଙ୍କ ଅଧିକାରକୁ ସୁରକ୍ଷା ଦେବା ପାଇଁ କେତେକ ଐତିହାସିକ ମାମଲାର ହାଙ୍ଗଝୁ ଇଣ୍ଟରମିଡିଏଟ୍ ପିପୁଲ୍ସ କୋର୍ଟ ଶୁଣାଣି କରିଛନ୍ତି ।

ଝୋଉ ନାମକ ଜଣେ କର୍ମଚାରୀ ୨୦୨୨ରେ ଏକ କମ୍ପାନୀରେ ଗୁଣବତ୍ତା ପର୍ଯ୍ୟବେକ୍ଷକ ଭାବରେ କାମ କରିବା ଆରମ୍ଭ କରିଥିଲେ । ପ୍ରତି ମାସରେ ୨୫୦୦୦ ୟୁଆନ ରୋଜଗାର କରୁଥିଲେ। କିନ୍ତୁ ସମୟ ସହିତ, କମ୍ପାନୀ ତାଙ୍କର କିଛି କାମ ପରିଚାଳନା ପାଇଁ AI ବ୍ୟବହାର କରିବା ଆରମ୍ଭ କରିଥିଲା ଏବଂ ତାଙ୍କର ଦରମା ୧୫୦୦୦ ୟୁଆନକୁ ହ୍ରାସ କରିଥିଲା। ତାଙ୍କୁ ଏକ ନିମ୍ନ-ସ୍ତରୀୟ ପଦବୀ ମଧ୍ୟ ପ୍ରଦାନ କରାଯାଇଥିଲା। ତଥାପି, ଝୋଉ ନୂତନ ଭୂମିକା ଏବଂ ଦରମା କାଟ ଅନ୍ୟାୟ ବୋଲି ଯୁକ୍ତି ଦେଖାଇ ପରିବର୍ତ୍ତନକୁ ପ୍ରତ୍ୟାଖ୍ୟାନ କରିଥିଲେ। ପରବର୍ତ୍ତୀ ସମୟରେ କମ୍ପାନୀ ତାଙ୍କୁ ବାହାର କରିଦେଇଥିଲା ।