ଭୁବନେଶ୍ବର: ତାମିଲନାଡୁରେ ଜଣେ ଓଡ଼ିଆ ଯୁବକଙ୍କ ଉପରେ ହୋଇଥିବା ଅମାନୁଷିକ ଆକ୍ରମଣ ଘଟଣାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରତିକ୍ରିୟା ରଖିଛନ୍ତି। ମୁଖ୍ୟମନ୍ତ୍ରୀ ଏହାକୁ ନିନ୍ଦା କରିବା ସହ ଜଣେ ଓଡ଼ିଆ ପୁଅକୁ ଆକ୍ରମଣ ଘଟଣାରେ ଉଦବେଗ ପ୍ରକାଶ କରିଛନ୍ତି।

ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଏକ ପୋଷ୍ଟ କରି କହିଛନ୍ତି, ଜଣେ ନିରୀହ ଓଡ଼ିଆ ପୁଅ ଉପରେ ଏଭଳି ବର୍ବରୋଚିତ ଆକ୍ରମଣ ଅତ୍ୟନ୍ତ ନିନ୍ଦନୀୟ। ଓଡ଼ିଶା ସରକାର ଏହି ଘଟଣାକୁ ଅତ୍ୟନ୍ତ ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି ଏବଂ ତାମିଲନାଡୁ ପ୍ରଶାସନ ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି। ପୀଡ଼ିତଙ୍କୁ ସମସ୍ତ ପ୍ରକାର ଉତ୍ତମ ଚିକିତ୍ସା ଓ ସହାୟତା ଯୋଗାଇ ଦେବା ସହ ଦୋଷୀଙ୍କୁ କଠୋର ଦଣ୍ଡ ଦେବା ପାଇଁ ପ୍ରଶାସନିକ ସ୍ତରରେ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଛି।’ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘‘ଓଡ଼ିଆଙ୍କ ସୁରକ୍ଷା ଓ ସ୍ଵାଭିମାନ ଆମ ପାଇଁ ସର୍ବୋପରି। ରାଜ୍ୟ ବାହାରେ କର୍ମରତ ପ୍ରତ୍ୟେକ ଓଡ଼ିଆ ଭାଇଭଉଣୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଆମ ସରକାର ସଂକଳ୍ପବଦ୍ଧ।’’

ସୂଚନାଯୋଗ୍ୟ, ଓଡ଼ିଶାର ଜଣେ ଯୁବକଙ୍କୁ ତାମିଲନାଡୁରେ ଚାରି ଜଣ ନାବାଳକ ମାରଣାସ୍ତ୍ର ଧରି ଆକ୍ରମଣ କରିଥିଲେ। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଅବଶ୍ୟ ପରେ ଆକ୍ରମଣକାରୀଙ୍କୁ ଅଟକ ରଖାଯାଇଥିଲା। ଏହା ପରେ ତିନି ଜଣଙ୍କୁ ବାଳ ସୁଧାର ଗୃହକୁ ପଠାଯାଇଥିଲା ଏବଂ ଜଣଙ୍କୁ ପାଠପଢ଼ା କାରଣ ଦର୍ଶାଇ ଜାମିନରେ ମୁକ୍ତ କରାଯାଇଥିଲା। ପୀଡ଼ିତ ବର୍ତ୍ତମାନ ତିରୁଭଲ୍ଲୁର ସରକାରୀ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।