କେନ୍ଦୁଝର ୧୧।୪: ଆଜିଠାରୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଆସି ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ହେଲିକପ୍ଟର ଯୋଗେ ଭୁବନେଶ୍ୱରରୁ ଆସି କେନ୍ଦୁଝର ବୋଦାପଳଶା ଫୁଟବଲ ପଡ଼ିଆ ଠାରେ ଅବତରଣ କରିଥିଲେ ମୁଖ୍ୟମନ୍ତ୍ରୀ । ସେଠାରୁ ସିଧାସଳଖ ଚନ୍ଦ୍ରଶେଖର ମନ୍ଦିରକୁ ଯାଇ ସେଠାରେ କିଛି ସମୟ ପୂଜାର୍ଚ୍ଚନା କରିଥିଲେ । ତା ପରେ ଚନ୍ଦ୍ରଶେଖର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରକୁ ଯାଇ ସେଠାରେ ଶତବାର୍ଷିକୀ ଉତ୍ସବର ଉଦ୍ଘାଟନ ପୂର୍ବକ ଫଳକ ଉନ୍ନୋଚନ କରିଥିଲେ । ଏହି ସମୟରେ ସ୍କୁଲର ଛାତ୍ରଛାତ୍ରୀ ମାନେ ପୁଷ୍ପ ବୃଷ୍ଟି କରି ମୁଖ୍ୟମନ୍ତ୍ରୀଙ୍କୁ ସ୍ଵାଗତ କରିଥିଲେ ।

ଏହାପରେ ମୁଖ୍ୟମନ୍ତ୍ରୀ ସିଧା ଯାଇ ଅରଡେଇ ନାଳ ସେତୁର ଶୁଭ ଉଦ୍ଘାଟନ କରିଥିଲେ । ମୁଖ୍ୟମନ୍ତ୍ରୀ ସେଠାରୁ ସିଧା ଆସି ବୋଦାପଳସା ଚନ୍ଦ୍ରଶେଖର ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଳନ କାର୍ଯ୍ୟକ୍ରମ ପାଇଁ ଆୟୋଜିତ ସଭାରେ ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହିତ ପାଟଣା ଓ ତେଲକୋଇ ବିଧାୟକ ମଧ୍ୟ ଉପସ୍ଥିତ ଥିଲେ ।

Also Read:- କେନ୍ଦ୍ର-ରାଜ୍ୟ ସହଯୋଗରେ ହେବ ମେଟ୍ରୋ ରେଳ ପ୍ରକଳ୍ପ, ସଫଳ ହୋଇନି ଏକୁଟିଆ ପ୍ରୟାସ

ପ୍ରଥମେ କେନ୍ଦୁଝରର ଅଧିଷ୍ଠାତ୍ରୀ ଦେବୀ ମା’ ତାରିଣୀଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରି ଶୁଭାକାର୍ଯ୍ୟ ଆରମ୍ଭ କରିଥିଲେ । ଏହାପରେ ଏକ ସ୍ମରଣିକା ପୁସ୍ତକ ଉନ୍ମୋଚନ କରିଥିଲେ । ମୁଖ୍ୟମନ୍ତ୍ରୀ ପ୍ରଥମେ ଜୟ ଜଗନ୍ନାଥ, ଜୟ ମା’ ତାରିଣୀ ଓ ପ୍ରଭୁ ବଳଦେବଜୀଉ ଓ ଜୟ ଚନ୍ଦ୍ରଶେଖର ମହାଦେବଙ୍କ ନାମ ସ୍ମରଣ କରି ନିଜର ଅଭିଭାଷଣ ଆରମ୍ଭ କରିଥିଲେ । କେନ୍ଦୁଝରର ମାଟି ହେଉଛି ବୀର ଓ ବିଦ୍ବାନ ମାନଙ୍କ ମାଟି ବୋଲି କହିଥିଲେ । ଏହି ଅଞ୍ଚଳର ପ୍ରତିଟି ଶିଳାରେ ଜ୍ଞାନ ଓ ପରିକ୍ରମାର ଗାଥା ଲିପିବଦ୍ଧ ହୋଇ ରହିଅଛି ।

ମୁଖ୍ୟମନ୍ତ୍ରୀ ସଭାରେ ଜିଲ୍ଲାପାଳଙ୍କୁ ପଚାରିଥିଲେ ଆପଣ ଏଠାରେ ଏକ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ସରକାରୀ ଜମି ଯୋଗାଇ ଦେବେ କି ? ଜିଲ୍ଲାପାଳ ସରକାରୀ ଜମି ଯୋଗାଇ ଦେବେ ବୋଲି କହିବାରୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଆପଣ ୭ ଏକର ଜମି ଯୋଗାଇ ଦେଲେ ମୁଁ ୭ କୋଟି ଟଙ୍କା ଦେବି ବୋଲି ଘୋଷଣା କରିଥିଲେ । ସେଠାରେ ଉପସ୍ଥିତ ଛାତ୍ରଛାତ୍ରୀ ମାନେ ବଡ ହୋଇ କ’ଣ ହେବେ ବୋଲି ଅନେକଙ୍କୁ ପଚାରିଥିଲେ । ଶିକ୍ଷା ବ୍ୟବସ୍ଥାର ସୁଧାର ଆଣିବା ପାଇଁ ଭିତ୍ତିଭୂମି ସହ ଅନେକ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି ଓ ଆହୁରି ମଧ ନିଯୁକ୍ତି ଦିଆଯିବ ବୋଲି କହିଥିଲେ । ଶେଷରେ ସଭାକାର୍ଯ୍ୟ ସମାପନ ହୋଇଥିଲା ।