ଭୁବନେଶ୍ବର ୨୭।୧୨: ଓଡ଼ିଶାରେ ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର । ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି ମୁଖ୍ୟ ନିର୍ବାଚନ କମିଶନର । ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ପ୍ରତିକ୍ରିୟା ରଖିଛନ୍ତି ସିଇସି ଜ୍ଞାନେଶ କୁମାର । ସେ କହିଛନ୍ତି, ପରିବାର ସହ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଛି । ୨୯ ତାରିଖରେ ବୁଥ୍ ସ୍ତରୀୟ ଅଧିକାରୀଙ୍କ ସହ ବୈଠକ ରହିଛି । ଏଥିପାଇଁ ଓଡ଼ିଶା ଗସ୍ତରେ ଆସିଛି ବୋଲି ଜ୍ଞାନେଶ କୁମାର କହିଛନ୍ତି । ୩ ଦିନିଆ ଓଡ଼ିଶା ଗସ୍ତ ରହିଛି ବୋଲି ମଧ୍ୟ କହିଛନ୍ତି ଜ୍ଞାନେଶ କୁମାର ।

ସୂଚନାଯୋଗ୍ୟ ଯେ, ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ସକାଳରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ପରେ ପୁରୀ ଅଭିମୁଖେ ବାହାରିଥିଲେ ମୁଖ୍ୟ ନିର୍ବାଚନ କମିଶନର । ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ ଜ୍ଞାନେଶ କୁମାର । ମହାପ୍ରଭୁଙ୍କ ଦର୍ଶନ ପରେ ସେ କୋଣାର୍କ ଗସ୍ତ କରିବେ । ଆସନ୍ତା ୨୮ ତାରିଖରେ ସେ ରଘୁରାଜପୁର, ଧଉଳି ଶାନ୍ତି ସ୍ତୂପ, ଖଣ୍ଡଗିରି, ଉଦୟଗିରି ଏବଂ ମୁକ୍ତେଶ୍ୱର ମନ୍ଦିର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।

​​​​​​​

ମୁଖ୍ୟ ନିର୍ବାଚନ କମିଶନର ୨୯ ତାରିଖ ଅପରାହ୍ନ ୩ଟା ସମୟରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅଡ଼ିଟୋରିୟମରେ ବୁଥ୍ ସ୍ତରୀୟ ଅଧିକାରୀମାନଙ୍କ ସହ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ଅଧ୍ୟକ୍ଷତା କରି ସେମାନଙ୍କୁ ସମ୍ବୋଧନ କରିବେ । ସେହି ରାତିରେ ମୁଖ୍ୟ ନିର୍ବାଚନ କମିଶନ ଭୁବନେଶ୍ୱରରୁ ପ୍ରତ୍ୟାବର୍ତ୍ତନ କରିବାର କାର୍ଯକ୍ରମ ରହିଛି ।