ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ନେତାମାନେ ଶୁକ୍ରବାର କହିଛନ୍ତି ଯେ ବ୍ରିକସ୍ ସମ୍ମିଳନୀକୁ ନେଇ କଂଗ୍ରେସ ନେତା ଶଶି ଥରୁରଙ୍କ ସିନିୟର ନେତା ପି.ଚିଦମ୍ବରମଙ୍କ ପୂର୍ବ ବୟାନରୁ ଅଲଗା ରାୟ ରଖିବା ପାର୍ଟି ଭିତରେ ଅନ୍ତର୍ଦ୍ୱନ୍ଦ୍ୱକୁ ଉଜାଗର କରିଛି। ପୂର୍ବତନ ଅର୍ଥମନ୍ତ୍ରୀ ଚିଦାମ୍ବରମ ବ୍ରିକସ୍ ଉପରେ ପ୍ରଶ୍ନ ଉଠାଇ ବିବାଦ ଛିଡା କରିଥିଲେ। ସେ କହିଥିଲେ ଯେ ‘ନିକଟରେ ହୋଇଥିବା ଏହି ସମୂହଙ୍କ ବିଭିନ୍ନ ବୈଠକରେ ସେପରି କୌଣସି ଖାସ ଫଳାଫଳ ଦେଖାଯାଇନି’।

ତେବେ କଂଗ୍ରେସ ନେତା ଶଶି ଥରୁର ବ୍ରିକସ୍ ସମ୍ମିଳନୀର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଏହି ସମୂହ ‘ଗ୍ଲୋବାଲ ସାଉଥ’ ଲାଗି ଜରୁରି ମଞ୍ଚ ଓ ଏହା ଭାରତର କୂଟନୈତିକ କ୍ଷମତାକୁ ଦର୍ଶାଉଛି ବୋଲି କହିଛନ୍ତି। ଗଣମାଧ୍ୟମ ସହ ଆଲୋଚନାରେ ବିଜେପି ସାଂସଦ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି ଯେ ଗୋଟିଏ ପାର୍ଟିର ଦୁଇ ନେତା ଜଣେ ଜଣଙ୍କ ବିପରିତ ବୟାନ ଦେଉଛନ୍ତି। ଶଶି ଥରୁରଙ୍କ କହିବା ବିଲକୁଲ ସଠିକ ଯେ ଏହା ଗ୍ଲୋବାଲ ମଞ୍ଚ ଦେଉଛି। ଖଣ୍ଡେଲୱାଲ କହିଛନ୍ତି ଯେ ନିଜ କାର୍ଯ୍ୟକାଳରେ ଚିଦମ୍ବରମ ଏପରି ସମ୍ମିଳନୀର ଗୁରୁତ୍ୱ ବୁଝୁଥିଲେ, କିନ୍ତୁ ଆଜି ବିରୋଧୀ ଦଳରେ ଥିବାରୁ ସେ ଏହା ଉପରେ ପ୍ରଶ୍ନ ଉଠାଉଛନ୍ତି। ଏହା ତାଙ୍କର ଦୈତ ଆଭିମୁଖ୍ୟକୁ ଦର୍ଶାଉଛି।

ସେହିପରି ଶିବସେନା ମୁଖପାତ୍ର କୃଷ୍ଣା ହେଗଡେ କହିଛନ୍ତି ଯେ କଂଗ୍ରେସ ପାର୍ଟିରେ ଅନ୍ତରୀଣ ବିବାଦ ଏବେ ବେଶ୍ ବଢି ଯାଇଛି। କାରଣ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଚିଦାମ୍ବରମ ବ୍ରିକସ୍ ରୁ କୌଣସି ଲାଭ ମିଳିବନି ବୋଲି କହି ଭାରତର ବୈଶ୍ୱିକ ଛବିକୁ ଖରାପ କରିବାକୁ ଉଦ୍ୟମ କରିଛନ୍ତି। ଏଥିରେ ତାଙ୍କ ପାର୍ଟିର ସାଥୀ ସାଂସଦ ଶଶି ଥରୁର କହିଛନ୍ତି ବ୍ରିକସ୍ ଭାରତ ଲାଗି ଲାଭଦାୟୀ ଏକ ମୂଲ୍ୟବାନ ମଞ୍ଚ। ଏଥିରେ ବିଜେପି ନେତା ଆର.ପି.ସିଂହ ଚିଦାମ୍ବରମଙ୍କ ତୁଳନା ‘ଅସନ୍ତୁଷ୍ଟ ଫୁଫା’ ସହ କରିଛନ୍ତି। ତେବେ ଶିବସେନା ୟୁବିଟି ନେତା ଆନନ୍ଦ ଦୁବେ ଏହି ପ୍ରସଙ୍ଗକୁ ନେଇ ରାଜନୀତି ହେବା ଉଚିତ ନୁହେଁ ବୋଲି କହିଛନ୍ତି।