ଛତ୍ରପୁର: ସମୁଦ୍ରରେ ମାଛ ମାରିବା ଉପରେ ବୁଧବାର ଠାରୁ ଲାଗିଲା କଟକଣା । ଏପ୍ରିଲ ୧୫ ରୁ ଜୁନ ୧୪ ପ୍ରାୟ ୬୧ ଦିନ ପ୍ରଯ୍ୟନ୍ତ ସମୁଦ୍ରରେ ମାଛ ମାରିବା ଉପରେ କଟକଣା ଜାରି କରିଛନ୍ତି ମତ୍ସ୍ୟ ବିଭାଗ । ଏହି ୬୧ ଦିନ ମଧ୍ୟରେ ସମସ୍ତ ପ୍ରକାରର ଟ୍ରଲର ଓ ସମସ୍ତ ପ୍ରକାରର ଡଙ୍ଗା( କେବଳ ୮.୫ ମି ଦୈର୍ଘ୍ୟ ପର୍ଯ୍ୟନ୍ତ ପାରମ୍ପରିକ ଓ ଯାନ୍ତ୍ରିକ ଡଙ୍ଗା ବ୍ୟତୀତ) ସମୁଦ୍ରରେ ମାଛଧରା ନିଷେଧ ରହିଛି ।

ଏହି ସମୟରେ ମାଛଙ୍କ ପ୍ରଜନନ ସମୟ ଓ ସମୁଦ୍ର ଅଶାନ୍ତ ରହୁଥିବାରୁ ମାଛ ମାରିବା ଉପରେ ମତ୍ସ୍ୟଜୀବିକୁ ବାରଣ କରାଯାଇଥାଏ । ଏହି ସମୟରେ ସମୁଦ୍ରରେ ମାଛ ଅଣ୍ଡା ଦାନ କରିବା ସହ ସେମାନଙ୍କ ସଂଖ୍ୟା ବୃଦ୍ଧି ଏବଂ ଯାଆଁଳା ସୁରକ୍ଷା ପାଇଁ ଏହି କଟକଣା ଲଗାଯାଇଥାଏ । ଏହି କଟକଣା ଲାଗୁ ହେବା ଦ୍ୱାରା ଶହ ଶହ ମତ୍ସଜୀବି ସେମାନଙ୍କ ଜୀବିକା ଉପରେ ବିଶେଷ ପ୍ରଭାବ ପକାଇଥାଏ ।

ମତ୍ସ୍ୟଜୀବୀଙ୍କୁ କ୍ଷତି ପୂରଣ ପାଇଁ ଦାବି

ଗଞ୍ଜାମ ଜିଲ୍ଲାରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ଅଧିକାଂଶ ଲୋକ ଦୈନିକ ସମୁଦ୍ରକୁ ଯାଇ ମାଛ ମାରିଥାନ୍ତି । ସେମାନଙ୍କ ଜୀବିକା କହିଲେ ସମୁଦ୍ରରେ ମାଛଧରିବା । ସେମାନେ ସର୍ବଦା ସମୁଦ୍ର ଉପରେ ନିର୍ଭର କରିଥାନ୍ତି। ମାଛ ଧରିଲେ ଯାହାର ଚୁଲି ଜଳେ ସେମାନେ ଚଳିବେ କିପରି ଯାହାକି ସେମାନଙ୍କ ସମସ୍ୟାକୁ ଦୁଇ ଗୁଣିତ ପକାଇଦେଇଛି । ଏହି ସମୟରେ ଜୀବିକା ହରାଇ ପ୍ରଭାବିତ ହେଉଥିବା ମତ୍ସ୍ୟଜୀବୀଙ୍କୁ କ୍ଷତି ପୂରଣ ପାଇଁ ଦାବି ହୋଇଛି |

Also Read: ସବୁ ଆପାର୍ଟମେଣ୍ଟରେ ଲାଗିବ IP ସିସିଟିଭି କ୍ୟାମେରା, କମିଶନରେଟ ପୋଲିସର କଡ଼ା ନିର୍ଦ୍ଦେଶ

ଅନ୍ୟ ପକ୍ଷରେ ପ୍ରଜନନ ପରେ ମାଛ ସଂଖ୍ୟା ବୃଦ୍ଧି ହେବ ଯାହାଫଳରେ ମତ୍ସ୍ୟଜୀବିମାନେ ଅଧିକରୁ ଅଧିକ ମାଛ ଧରିପାରିବେ । ସରକାରଙ୍କ ନିର୍ଦ୍ଦେଶ ମୁତାବକ ମତ୍ସ୍ୟଜୀବୀଙ୍କୁ ସଚେତନତା କରାଯାଉଛି । ସାଗର ମିତ୍ର ଜରିଆରେ ସଚେତନତା ସହ ଗାଁ ଗାଁରେ ପୋଷ୍ଟର ଲଗାଯାଉଛି । ଏହି ପ୍ରଜନନ ହେଲେ ଆଗାମୀ ଦିନରେ ଅଧିକରୁ ଅଧିକ ମାଛ ମିଳିବ ବୋଲି ସାଗର ମିତ୍ର ପକ୍ଷରୁ ମତ୍ସ୍ୟଜୀବୀଙ୍କୁ ସଚେତନତା କରାଯାଉଛି। ଏ ନେଇ ସାମୁଦ୍ରିକ ମତ୍ସ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

ଗଞ୍ଜମ ଉପକୂଳବର୍ତ୍ତୀ ଅଞ୍ଚଳରେ ୨୭ଟି ସାମୁଦ୍ରିକ ଗ୍ରାମ ରହିଛି । ସାଗର ମିତ୍ର ଜରିଆରେ ସେମାନଙ୍କୁ ସଚେତନତା ସହ ସେମାନେ ଏହି ସବୁ ଅଞ୍ଚଳ ବୁଲି ମତ୍ସ୍ୟଜୀବୀମାନଙ୍କୁ ସଚେତନତା କରାଉଥିବା ସାମୁଦ୍ରିକ ମତ୍ସ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ବେନିୟମ ଭାବେ ସମୁଦ୍ରକୁ ମାଛ ମାରିବା ପାଇଁ ଯିବେ ସେମାନଙ୍କ ଡଙ୍ଗାକୁ ଜବତ କରାଯିବା ବୋଲି ନିର୍ଦ୍ଦେଶ ରହିଛି |