ଚେନ୍ନାଇରେ ଓଡ଼ିଆ ମହିଳାଙ୍କୁ ନିର୍ମମ ଭାବରେ ହତ୍ୟା ଅଭିଯୋଗ I ତାମିଲନାଡୁ ଏକ୍ସପ୍ରେସରେ ସୁଟ୍କେଶ ଭିତରୁ ବାହାରିଲା ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ I ଓଡ଼ିଶାରେ ଡେରା ପକାଇଛି ତାମିଲନାଡୁର ସ୍ପେଶାଲ ପୋଲିସ ଟିମ I ହତ୍ୟାର ଗୁମର ଖୋଲିଲା ନାଲି ରଙ୍ଗର ଟ୍ରଲି ସୁଟ୍କେଶ I ହତ୍ୟା ପଛରେ ରହିଛି ଓଡିଶା ଲିଙ୍କ I ଓଡ଼ିଶାର ବିଭିନ୍ନ ସ୍ଥାନରେ ଚେନ୍ନାଇ ପୋଲିସର ଚଢ଼ାଉ Iଦୈନିକ ଜାଗରଣ'ର ରିପୋର୍ଟ ଅନୁଯାୟୀ, ଜଗତସିଂହପୁରର ଜଣେ ମହିଳାଙ୍କୁ ହତ୍ୟା କରିଥିବା ସନ୍ଦେହରେ ଏକ ଦମ୍ପତିଙ୍କୁ ଖୋଜିବା ପାଇଁ ଚେନ୍ନାଇ ପୋଲିସ ଓଡ଼ିଶାର ବିଭିନ୍ନ ସ୍ଥାନରେ ଚଢ଼ଉ କରିଛି। ଉକ୍ତ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ତାମିଲନାଡୁ ଏକ୍ସପ୍ରେସ ଟ୍ରେନ୍ରେ ଥିବା ଏକ ସୁଟକେସ୍ ଭିତରୁ ମିଳିଥିଲା। ମୃତ ମହିଳାଙ୍କ ପରିଚୟ ହାୟାଥୁନ୍ ନିଶା (୩୮) ବୋଲି ଜଣାପଡିଛି , ଯିଏକି ଜଗତସିଂହପୁର ଜିଲ୍ଲାର ବାସିନ୍ଦା ଥିଲେ।

ଗତ ଅଗଷ୍ଟ ୫ ତାରିଖରେ ଆଗ୍ରା ରେଳ ଷ୍ଟେସନରେ ଏକ ନାଲି ରଙ୍ଗର ଟ୍ରଲି ବ୍ୟାଗ୍ ଭିତରୁ ପ୍ରଥମେ ତାଙ୍କ ଶରୀରର କଟା ଅଂଶଗୁଡ଼ିକ ଉଦ୍ଧାର କରାଯାଇଥିଲା। ରିପୋର୍ଟ ଅନୁଯାୟୀ, ତଦନ୍ତ ପରେ ପୋଲିସ ଚେନ୍ନାଇର ଗୁଡୁଭାଞ୍ଚେରୀ ସ୍ଥିତ ନିଶାଙ୍କ ଭଡ଼ା ଘର ପର୍ଯ୍ୟନ୍ତ ପହଞ୍ଚିଥିଲା ଏବଂ ସେଠାରୁ ଗତ ଶୁକ୍ରବାର ଦିନ ତାଙ୍କ ଶରୀରର ଆହୁରି ଅନେକ ଅଂଶ ଉଦ୍ଧାର କରାଯାଇଥିଲା।ଅଧିକାରୀମାନେ କହିଛନ୍ତି ଯେ ହତ୍ୟାକାଣ୍ଡ ପରେ ମୃତ ମହିଳାଙ୍କ ମୁଣ୍ଡକୁ ଘର ଭିତରେ ଥିବା ଏକ ପାତ୍ରରେ ରଖାଯାଇଥିଲା। ତାଙ୍କ ଶରୀରର ଅନ୍ୟ ଅଂଶଗୁଡ଼ିକୁ ଅଟା ଓ ପରିବା ସହିତ ମିଶାଇ ପ୍ରେସର କୁକରରେ ସିଝାଯାଇଥିଲା। ଓଡ଼ିଶାର ବାସିନ୍ଦା ୩୮ ବର୍ଷୀୟା ହୟାତୁନ୍ ନିଶା, ଯେଉଁ ଘରେ ହତ୍ୟାର ଶିକାର ହୋଇଥିଲେ, ସେଠାକୁ ସେ ମାତ୍ର ୧୫ ଦିନ ପୂର୍ବେ ରହିବାକୁ ଆସିଥିଲେ। ଓଡ଼ିଶାର ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ନିଶା ଚେନ୍ନାଇର ଏକ ଘରୋଇ ସଂସ୍ଥାରେ କାମ କରୁଥିଲେ ଏବଂ ଆସାମର ମାଣିକ ଉଦ୍ଦିନ୍ ଲସ୍କର ଓ ଓଡ଼ିଶାର ଭଗବତୀ ମାଝୀଙ୍କ ସହ ଭଡ଼ା ଘରେ ରହୁଥିଲେ। ରିପୋର୍ଟରେ କୁହାଯାଇଛି ଯେ ଉକ୍ତ ଦୁଇଜଣ ଓଡ଼ିଶା ପଳାଇ ଯାଇଥିବା ସନ୍ଦେହ କରାଯାଉଛି ଏବଂ ଚେନ୍ନାଇ ପୋଲିସ ସେମାନଙ୍କୁ ଠାବ କରିବା ପାଇଁ ସ୍ଥାନୀୟ ପୋଲିସର ସହଯୋଗ ଲୋଡ଼ିଛି।

ଅଗଷ୍ଟ ୫ ତାରିଖରେ ଆଗ୍ରା ଷ୍ଟେସନରେ ଟ୍ରେନ୍ ନଂ ୧୨୬୨୧ (ତାମିଲନାଡୁ ଏକ୍ସପ୍ରେସ)ର ପଛ ଭାଗରେ ଥିବା ସାଧାରଣ ବଗି (ଜେନେରାଲ କମ୍ପାର୍ଟମେଣ୍ଟ)ରୁ ମୁଣ୍ଡବିହୀନ ଓ ପଚିସଢ଼ି ଯାଇଥିବା ମୃତଦେହର ଅଂଶବିଶେଷ ମିଳିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା। ରିପୋର୍ଟ ଅନୁଯାୟୀ, ଆଗ୍ରା ସରକାରୀ ରେଳବାଇ ପୋଲିସ (GRP) ଏକ ମାମଲା ରୁଜୁ କରିଥିଲା ଏବଂ ପରେ ମୃତ ମହିଳାଙ୍କ ପରିଚୟ ସ୍ପଷ୍ଟ କରିଥିଲା। ପରବର୍ତ୍ତୀ ସମୟରେ , ଚେନ୍ନାଇ ସେଣ୍ଟ୍ରାଲର ସରକାରୀ ରେଳବାଇ ପୋଲିସ ଏବଂ ରେଳ ସୁରକ୍ଷା ବଳ (RPF)ର ଅପରାଧ ଗୁଇନ୍ଦା ଶାଖା ପ୍ଲାଟଫର୍ମ-୪ର ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲେ।

ଫୁଟେଜରେ ଦେଖିବାକୁ ମିଳିଥିଲା ଯେ ଅଗଷ୍ଟ ୩ ତାରିଖ ରାତି ପ୍ରାୟ ୧୦ଟା ସମୟରେ ଜଣେ ପୁରୁଷ ଓ ଜଣେ ମହିଳା ଏକ ଟ୍ରଲି ବ୍ୟାଗ୍ ଧରି ଟ୍ରେନରେ ଚଢ଼ିଥିଲେ I ଏହି ବ୍ୟାଗ୍ଟି ସେହି ବ୍ୟାଗ୍ ସହ ସମାନ ଥିଲା ଯେଉଁଥିରୁ ପରେ ନିଶାଙ୍କ ମୃତଦେହର ଅଂଶବିଶେଷ ମିଳିଥିଲା। ରିପୋର୍ଟ ଅନୁଯାୟୀ, ପରବର୍ତ୍ତୀ ସମୟରେ ସେହି ଦୁଇଜଣ ଟ୍ରେନରୁ ଓହ୍ଲାଇ ପଡ଼ିଥିଲେ I ପରବର୍ତ୍ତୀ ସମୟରେ ଏହି ଦୁଇଜଣ କୁଆଡେ ଗଲେ ତାର କୌଣସି ପତା ପାଉନି ପୋଲିସ I