ମୁମ୍ଵାଇ ୨୮।୧୨: ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ପାଇଁ ସମସ୍ୟା ବଢ଼ିବାକୁ ଯାଉଛି । ହାଇଦ୍ରାବାଦ ପୁଲିସ ଗତବର୍ଷ ‘ପୁଷ୍ପା ୨: ଦ ରୁଲ୍’ର ପ୍ରିମିୟର ସମୟରେ ହୋଇଥିବା ଦଳାଚକଟା ମାମଲାରେ ତଦନ୍ତ ଶେଷ କରିଛି । ଶନିବାର ଚିକ୍କଡପଲ୍ଲୀ ପୁଲିସ ନାମପଲ୍ଲୀ କୋର୍ଟରେ ଅତିରିକ୍ତ ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟଙ୍କ ସାମ୍ନାରେ ଏଥିନେଇ ୧୦୦ ପୃଷ୍ଠାର ବିସ୍ତୃତ ଚାର୍ଜସିଟ୍ ଦାଖଲ କରିଛି । ସେଥିରେ ଅଲ୍ଲୁ ଅର୍ଜୁନ ଏବଂ ଅନ୍ୟ ୨୩ଜଣଙ୍କ ନାମ ରହିଛି । ସେମାନଙ୍କ ମଧ୍ୟରେ ଅଲ୍ଲୁଙ୍କ ମ୍ୟାନେଜର, ତାଙ୍କ କର୍ମଚାରୀ ଏବଂ ୮ ଜଣ ବାଉନ୍ସର ବି ଅଛନ୍ତି । ଚାର୍ଜସିଟ୍ରେ ସନ୍ଧ୍ୟା ଥିଏଟରର ପରିଚାଳନା କର୍ତ୍ତୁପକ୍ଷଙ୍କୁ ପ୍ରାଥମିକ ଅଭିଯୁକ୍ତ ଏବଂ ଅଲ୍ଲୁଙ୍କୁ ୧୧ ନମ୍ବର ଅଭିଯୁକ୍ତ ଭାବେ ଦର୍ଶାଯାଇଛି ।

୨୦୨୪ ଡିସେମ୍ବର ୪ ତାରିଖ ରାତିରେ ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ଏହି ଅଘଟଣ ଘଟିଥିଲା । ‘ପୁଷ୍ପା-୨’ର ପ୍ରିମିୟର ସମୟରେ ନିଜ ପ୍ରିୟ ଷ୍ଟାର ଅଲ୍ଲୁଙ୍କ ଏକ ଝଲକ ପାଇବାକୁ ସେଠାରେ ହଜାର ହଜାର ପ୍ରଶଂସକଙ୍କ ଭିଡ଼ ଏକତ୍ରିତ ହୋଇଥିଲା । ଏହି ସମୟରେ ଦଳାଚକଟା ହେବାରୁ ୩୫ ବର୍ଷୀୟା ମହିଳା ଏମ୍.ରେବତୀ ପ୍ରାଣ ହରାଇଥିଲେ । ତାଙ୍କ ସାନ ପୁଅ ଗୁରୁତର ଆହତ ହୋଇଥିଲେ। ଲିସ ଚାର୍ଜସିଟ ଏହାକୁ ଦାୟିତ୍ୱହୀନତାର ପରିଣାମ ଭାବେ ଦର୍ଶାଯାଇଛି ।

ଚାର୍ଜସିଟ୍ ଅନୁସାରେ, ସେଠାରେ ସୁରକ୍ଷାକୁ ଅଣଦେଖା କରାଯାଇଥିଲା । ଥିଏଟର ପରିଚାଳନା କର୍ତ୍ତୃପକ୍ଷ ଭିଆଇପି ଅତିଥିଙ୍କ ପାଇଁ ଅଲଗା ପ୍ରବେଶ ଏବଂ ପ୍ରସ୍ଥାନର ବ୍ୟବସ୍ଥା କରିନଥିଲେ । ସେହିପରି ସୁରକ୍ଷା କାରଣରୁ ପୁଲିସ ଅଲ୍ଲୁ ଅର୍ଜୁନଙ୍କୁ ସେଠାକୁ ଯିବାକୁ ଅନୁମତି ଦେବାକୁ ସ୍ପଷ୍ଟ ଭାବେ ମନା କରିଥିଲା । ତଥାପି ସେ ସେଠାରେ ପହଞ୍ଚିଥିଲେ । ଅନ୍ୟପଟେ ତାଙ୍କର ବ୍ୟକ୍ତିଗତ ସୁରକ୍ଷାକର୍ମୀଙ୍କ କିଛି କାର୍ଯ୍ୟ ଯୋଗୁ ସ୍ଥିତି ବିଗିଡିଯାଇଥିବା ଦର୍ଶାଯାଇଛି ।