ଚଣ୍ଡିଖୋଲ: ସୋସିଆଲ ମିଡିଆରେ ଏଆଇ ତିଆରି ବାଘ ଫଟୋ ଭାଇରାଲ୍ କରି ଅଞ୍ଚଳରେ ଆତଙ୍କ ସୃଷ୍ଟି କରିବା ଯୁବକଙ୍କୁ ମହଙ୍ଗା ପଡ଼ିଛି । ବାଘକୁ ଖୋଜିବାକୁ ଯାଇ ପ୍ରଶାସନ ନାକେଦମ୍ ହେବା ପରେ ଶେଷରେ ଘଟଣାର ସତ ସାମ୍ନାକୁ ଆସିଛି । ଘଟଣା ଘଟିଛି ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ବଣିଆରି ଗାଁରେ ।

ସୂଚନା ଅନୁଯାୟୀ, ଶନିବାର ବଣିଆରି ଅଞ୍ଚଳରେ ଏକ ବାଘ ବୁଲୁଥିବା ନେଇ ସୋସିଆଲ ମିଡିଆରେ ଏକ ଫଟୋ ଜୋରଦାର ଭାଇରାଲ ହୋଇଥିଲା । ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ନିଜେ ବାଘକୁ ଦେଖିଥିବା ଏବଂ ତା’ର ଫଟୋ ନିଜ ମୋବାଇଲରେ ଉଠାଇଥିବା ଦାବି କରିଥିଲେ । ଏହି ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ କୋକୁଆ ଭୟ ଖେଳିଯାଇଥିଲା ।

ଖବର ପାଇ ଘଟଣାସ୍ଥଳରେ ସ୍ଥାନୀୟ ରେଞ୍ଜର, ଚଣ୍ଡିଖୋଲ ଫରେଷ୍ଟର, ଯାଜପୁର ରୋଡ୍ ଏସଡିପିଓ ଏବଂ ବାଲିଚନ୍ଦ୍ରପୁର ପୋଲିସ ପହଞ୍ଚି ବ୍ୟାପକ ତନାଘନା ଆରମ୍ଭ କରିଥିଲେ । ଗାଁ ନିକଟସ୍ଥ ବିଭିନ୍ନ ସ୍ଥାନରେ ବାଘର ପାଦଚିହ୍ନ ପଡ଼ିଥିବା ନେଇ ଚର୍ଚ୍ଚା ହେଉଥିବାରୁ ପୋଲିସ ଓ ବନ ବିଭାଗ ମିଳିତ ଭାବେ ଖୋଜାଖୋଜି କରିଥିଲେ । ମାତ୍ର ଦୀର୍ଘ ସମୟର ସର୍ଚ୍ଚ ଅପରେସନ୍ ପରେ ମଧ୍ୟ ବାଘର କୌଣସି ସ୍ପଷ୍ଟ ସୂଚନା ମିଳି ନ ଥିଲା ।

ଯାଞ୍ଚ ସମୟରେ ପରେ ଯେଉଁ ତଥ୍ୟ ଆସିଥିଲା, ତାହା ଜାଣି ସମସ୍ତେ ମୁଣ୍ଡରେ ହାତ ଦେଇଥିଲେ । ଫଟୋର ସତ୍ୟାସତ୍ୟ ଯାଞ୍ଚ କରିବା ପାଇଁ ପୋଲିସ ବାଘ ଦେଖିଥିବା ନେଇ ଦାବି କରିଥିବା ଯୁବକଙ୍କୁ ଅଧିକ ପଚରାଉଚରା କରିଥିଲା । ପୋଲିସର ପଚରାଉଚରାରେ ଯୁବକ ଜଣକ ନିଜର ଦୋଷ ସ୍ୱୀକାର କରିଥିଲେ । ଫଟୋଟି ସତ୍ୟ ନୁହେଁ, ବରଂ ଏଆଇ ସାହାଯ୍ୟରେ ତିଆରି କରି ସୋସିଆଲ ମିଡିଆରେ ଛଡ଼ିଥିବା ସେ ମାନିଥିଲା ।

ଏହାପରେ ବାଲିଚନ୍ଦ୍ରପୁର ପୋଲିସ ଯୁବକଙ୍କୁ ଅଟକ ରଖି ଥାନାକୁ ନେଇଛି । କେଉଁ ଉଦ୍ଦେଶ୍ୟ ନେଇ ଯୁବକ ଜଣକ ଏଭଳି ମିଛ ଫଟୋ ଛାଡ଼ି ଲୋକଙ୍କୁ ଆତଙ୍କିତ କରୁଥିଲେ, ସେ ନେଇ ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି ।