ଭୁବନେଶ୍ବର ୨୨।୩: ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ କରିଥିବା ବିଜୁ ଜନତା ଦଳର ୬ ଜଣ ବିଧାୟକ ନିଲମ୍ବିତ ହେବା ପରେ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି । ନିଲମ୍ବନକୁ ସହଜରେ ଗ୍ରହଣ କରିପାରୁନାହାନ୍ତି କିଛି ବିଧାୟକ । ଏହି ପରିପ୍ରେକ୍ଷୀରେ ନିଲମ୍ବିତ ବିଜେଡି ବିଧାୟକ ଚକ୍ରମଣି କହଁର ମୁହଁ ଖୋଲିଛନ୍ତି । ସେ କହିଛନ୍ତି, ନିଲମ୍ବନ ନିର୍ଦ୍ଦେଶକୁ ମୁଁ ଗ୍ରହଣ କରି ପାରୁନି । ଭାବି ଚିନ୍ତି ଭୋଟ୍ ଦେଇଛି । ବିଜୁ ଲିଗାସୀକୁ ଭୋଟ୍ ଦେଇଛି । ପ୍ରଥମ ଭୋଟ୍ ଦଳର ନିର୍ଦ୍ଦେଶରେ ଦେଇଛି । ଦ୍ଵିତୀୟ ଭୋଟ୍ ସ୍ୱାଧୀନ ପ୍ରାର୍ଥୀଙ୍କୁ ଦେଇଛି । ଦଳର ନିର୍ଦ୍ଦେଶକୁ କେବେ ଅବହେଳା କରିନି । ଏବେ ଦଳ କ’ଣ କରିବ ସେଇଟା ସେମାନେ ନିଷ୍ପତ୍ତି ନେବେ । ଆମେ ଲୋକଙ୍କ ସେବାରେ ଥିଲୁ, ଅଛୁ ଆଉ ରହିବୁ । ରାଜ୍ୟସଭା ନିର୍ବାଚନରେ ହ୍ୱିପ୍ ଲାଗୁ ହୁଏ ନାହିଁ । ମୁଁ ବିଶ୍ଵାସ ଘାତକତା କରିନାହିଁ । ବାଲିଗୁଡା ଜନ ସାଧାରଣଙ୍କ ସହ ଅଛି । ମୁଁ ବିଜେଡି ସହିତ ଥିଲି, ଅଛି ଆଉ ରହିବି ବୋଲି ଚକ୍ରମଣୀ କହିଛନ୍ତି ।

୬ ବିଧାୟକ ନିଲମ୍ବିତ:

ଶନିବାର ବିଜେଡିର ରାଜନୈତିକ ବ୍ୟାପାର କମିଟି ବୈଠକ ପରେ ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ କରିଥିବା ୬ ଜଣ ବିଧାୟକଙ୍କୁ ନିଲମ୍ବିତ କରାଯାଇଥିଲା । ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, ଜୟଦେବ (ଭୁବନେଶ୍ବର) ବିଧାୟକ ନବ କିଶୋର ମଲ୍ଲିକ, କଟକ-ଚୌଦ୍ବାର ବିଧାୟକ ସୌଭିକ ବିଶ୍ବାଳ, ବସ୍ତା ବିଧାୟକ ସୁବାସିନୀ ଜେନା, ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ ଓ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କୁ ବିଜେଡି ନିଲମ୍ବିତ କରିଥିଲା । ଏ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଗଣମାଧ୍ୟମକୁ ସୂଚନା ଦେଇଥିଲେ ।

Also Read:- BJD Politics : ଦଳକୁ ଦୁର୍ବଳ ପାଇଁ ଚାଲିଥିଲା ଚେଷ୍ଟା, ସାଧାରଣ ନିର୍ବାଚନ ପରେ ହୋଇଥିଲା ଷଡ଼ଯନ୍ତ୍ର​​​​​​​

କ୍ରସ୍ ଭୋଟିଂ କରିଥିଲେ ୬ ବିଧାୟକ:​​​​​​​

ଉଲ୍ଲେଖଯୋଗ୍ୟ ଯେ, ଗତ ୧୬ ତାରିଖରେ ରାଜ୍ୟର ୪ଟି ରାଜ୍ୟସଭା ଆସନ ପାଇଁ ଭୋଟ୍ ଗ୍ରହଣ କରାଯାଇଥିଲା । ଏହି ନିର୍ବାଚନରେ ବିଜେଡି ୬ ଜଣ ବିଧାୟକ କ୍ରସ୍ ଭୋଟିଂ କରିଥିଲେ । ଏମାନେ ବିଜେପି ସମର୍ଥିତ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ଭୋଟ୍ ଦେଇଥିଲେ । ଯାହାକୁ ନେଇ ବିଜେଡି ଏହି ୬ ଜଣ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଥିଲା । ମାର୍ଚ୍ଚ ୨୦ ତାରିଖ ଅପରାହ୍ନ ୫ଟା ସୁଦ୍ଧା କାରଣ ଦର୍ଶାଇବା ପାଇଁ ଉଲ୍ଲେଖ କରିଥିଲା । ସୋ’ କଜ୍‌ର ଉତ୍ତର ରଖି ୬ ବିଧାୟକ ସିଧାସଳଖ ଦଳକୁ ଚ୍ୟାଲେଞ୍ଜ ଦେଇଥିଲେ । ଏହା ଉପରେ ଶୃଙ୍ଖଳା କମିଟି ବୈଠକ ଆଲୋଚନା ହୋଇଥିଲା । ଏମାନଙ୍କ ବାବଦରେ କି ନିଷ୍ପତ୍ତି ନିଆଯିବ ସେନେଇ ବରିଷ୍ଠମାନେ ବିଚାରବିମର୍ଶ କରିବା ପରେ ଦଳର ସଭାପତିଙ୍କୁ ଜଣାଇଥିଲେ । ଏନେଇ ରାଜନୈତିକ ବ୍ୟାପାର କମିଟି ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇଥିଲା । ଦଳର ଏହି ୬ ବିଧାୟକଙ୍କୁ ନିଲମ୍ବିତ କରାଯାଇଥିବା ଦଳ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ।

ଶୁଣନ୍ତୁ କ'ଣ କହୁଛନ୍ତି ନିଲମ୍ବିତ ବିଜେଡି ବିଧାୟକ ଚକ୍ରମଣି କହଁର:-