Anti-Paper Leak Bill 2026: ଦେଶରେ ପ୍ରତିଯୋଗିତାମୂଳକ ଓ ସରକାରୀ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ଓ ଅନ୍ୟାନ୍ୟ ଅନିୟମିତତାକୁ ରୋକିବା ପାଇଁ କେନ୍ଦ୍ର ସରକାର ସୋମବାର ଲୋକସଭାରେ ପବ୍ଲିକ ଏଗ୍‌ଜାମିନେସନ୍ସ (ପ୍ରିଭେନସନ୍ ଅଫ୍ ଅନଫେୟାର୍ ମିନ୍ସ) ସଂଶୋଧନ ବିଲ୍-୨୦୨୬ ଉପସ୍ଥାପନ କରିଛନ୍ତି। ୨୦୨୪ରେ ପ୍ରଣୀତ ଆଇନକୁ ଆହୁରି କଡ଼ା କରିବା ପାଇଁ ଏହି ସଂଶୋଧନ ଆଣାଯାଇଛି। ସଂଶୋଧନରେ ସମୟ ଭିତରେ ମାମଲାର ତଦନ୍ତ, ଏବଂ ମାମଲାର ତୁରନ୍ତ ସମାଧାନ ପାଇଁ ସ୍ୱତନ୍ତ୍ର ନ୍ୟାୟିକ ଢାଞ୍ଚା ତିଆରି କରିବାର ପ୍ରସ୍ତାବ ରହିଛି। ଚଳିତ ବର୍ଷ ବିଭିନ୍ନ ପରୀକ୍ଷାରେ ପେପର ଲିକ୍ ଏବଂ ଏହାକୁ ନେଇ ହୋଇଥିବା ବିକ୍ଷୋଭ ପରେ ସରକାର କହିଛନ୍ତି ଯେ, ପରୀକ୍ଷା ବ୍ୟବସ୍ଥାର ବିଶ୍ୱସନୀୟତା ବଜାୟ ରଖିବା ପାଇଁ କଠୋର ଦଣ୍ଡ ଓ ଶୀଘ୍ର ଆଇନଗତ ପ୍ରକ୍ରିୟା ଆବଶ୍ୟକ।

ଦଣ୍ଡ ଆହୁରି କଡ଼ା

ସଂଶୋଧିତ ବିଲ୍‌ରେ ପରୀକ୍ଷାରେ ଅନିୟମିତତା କରୁଥିବା ବ୍ୟକ୍ତିଙ୍କ ପାଇଁ କାରାଦଣ୍ଡ ବୃଦ୍ଧି କରାଯାଇଛି। ସେହିପରି ପରୀକ୍ଷା ପରିଚାଳନା ସହ ଜଡିତ ସେବା ପ୍ରଦାନକାରୀ ସଂସ୍ଥାଙ୍କ ବିରୋଧରେ ସର୍ବାଧିକ ୪ ବର୍ଷ ପରିବର୍ତ୍ତେ ୮ ବର୍ଷ ପର୍ଯ୍ୟନ୍ତ ନିଷେଧାଦେଶ ଜାରି କରାଯାଇପାରିବ। ସେମାନଙ୍କ ଉପରେ ସର୍ବାଧିକ ଜରିମାନା ୧ କୋଟି ଟଙ୍କା ପରିବର୍ତ୍ତେ ୫ କୋଟି ଟଙ୍କା ଲାଗିପାରିବ।

ନିର୍ଦ୍ଦେଶକ ଓ ବରିଷ୍ଠ ଅଧିକାରୀଙ୍କ ପାଇଁ କଡ଼ା ଦଣ୍ଡ

କୌଣସି ସଂସ୍ଥାର ନିର୍ଦ୍ଦେଶକ କିମ୍ବା ବରିଷ୍ଠ ପରିଚାଳନା ଅଧିକାରୀ ଏଭଳି ଅପରାଧରେ ସମ୍ପୃକ୍ତ ଥିବା ପ୍ରମାଣିତ ହେଲେ, ସେମାନଙ୍କୁ ସର୍ବନିମ୍ନ ୫ ବର୍ଷ କାରାଦଣ୍ଡ ଭୋଗିବାକୁ ପଡ଼ିବ। ପୂର୍ବ ଆଇନରେ ଏହି ସୀମା ୩ ବର୍ଷ ଥିଲା। ଏହାସହ ୫ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ମଧ୍ୟ ହୋଇପାରିବ, ଯାହା ପୂର୍ବରୁ ୧ କୋଟି ଟଙ୍କା ଥିଲା। ପେପର ଲିକ୍ ପରି ସଂଗଠିତ ଅପରାଧ ମାମଲାରେ ସର୍ବନିମ୍ନ କାରାଦଣ୍ଡ ୫ ବର୍ଷରୁ ବଢ଼ାଇ ୭ ବର୍ଷ କରାଯାଇଛି। ସେହିପରି ସର୍ବନିମ୍ନ ଜରିମାନା ୧ କୋଟିରୁ ବଢ଼ାଇ ୧୦ କୋଟି ଟଙ୍କା କରାଯାଇଛି।

ତଦନ୍ତ ଓ ବିଚାର ପାଇଁ ନିର୍ଦ୍ଦିଷ୍ଟ ସମୟସୀମା

ବିଲରେ ଅପରାଧିକ ମାମଲାର ତଦନ୍ତ ଓ ବିଚାର ପ୍ରକ୍ରିୟା ପାଇଁ ସମୟସୀମା ନିର୍ଦ୍ଧାରଣ କରାଯାଇଛି। ପୁଲିସ, କେନ୍ଦ୍ରୀୟ ତଦନ୍ତ ସଂସ୍ଥା କିମ୍ବା ସ୍ୱତନ୍ତ୍ର ଟାସ୍କ ଫୋର୍ସକୁ ଦୁଇ ମାସ ମଧ୍ୟରେ ତଦନ୍ତ ଶେଷ କରିବାକୁ ପଡ଼ିବ। ଚାର୍ଜସିଟ୍ ଦାଖଲ ହେବା ପରେ ତିନି ମାସ ମଧ୍ୟରେ ବିଚାର ପ୍ରକ୍ରିୟା ଶେଷ କରିବାକୁ ଚେଷ୍ଟା କରାଯିବ।

ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ସେସନ୍ସ କୋର୍ଟକୁ ସ୍ୱତନ୍ତ୍ର ଫାଷ୍ଟ ଟ୍ରାକ୍ କୋର୍ଟ ଭାବେ ମନୋନୀତ କରାଯିବ। ଏହି କୋର୍ଟରେ ଦୈନିକ ଶୁଣାଣି ହେବ ଏବଂ ସ୍ୱତନ୍ତ୍ର ପବ୍ଲିକ ପ୍ରୋସିକ୍ୟୁଟର ନିଯୁକ୍ତ କରାଯିବେ। ଏହି କୋର୍ଟର ରାୟ ବିରୋଧରେ ହାଇକୋର୍ଟର ଡିଭିଜନ ବେଞ୍ଚରେ ଆବେଦନ କରାଯାଇପାରିବ, ଯାହାକୁ ତିନି ମାସ ମଧ୍ୟରେ ନିଷ୍ପତ୍ତି କରିବାର ପ୍ରସ୍ତାବ ରହିଛି। ବିଲ୍ରେ କେନ୍ଦ୍ର ସରକାରଙ୍କୁ ପରୀକ୍ଷା ସମ୍ବନ୍ଧୀୟ ଅପରାଧର ତଦନ୍ତ ପାଇଁ ସ୍ୱତନ୍ତ୍ର ସ୍ପେଶାଲ ଟାସ୍କ ଫୋର୍ସ (STF) ଗଠନ କରିବାର କ୍ଷମତା ମଧ୍ୟ ଦିଆଯାଇଛି।

୨୦୨୪ ଆଇନର ଆଧାରରେ ସଂଶୋଧନ

ଏହି ସଂଶୋଧନ ପବ୍ଲିକ ଏଗ୍‌ଜାମିନେସନ୍ସ (ପ୍ରିଭେନସନ୍ ଅଫ୍ ଅନଫେୟାର୍ ମିନ୍ସ) ଆକ୍ଟ-୨୦୨୪ ଉପରେ ଆଧାରିତ। ପ୍ରଶ୍ନପତ୍ର ଲିକ୍, ପରୀକ୍ଷା ବ୍ୟବସ୍ଥାରେ ଅନଧିକୃତ ପ୍ରବେଶ, ଉତ୍ତରଖାତାରେ କାରସାଦି, ଅନ୍ୟର ପରିଚୟରେ ପରୀକ୍ଷା ଦେବା ଏବଂ ସଂଗଠିତ ନକଲକୁ ଏହି ଆଇନରେ ଜାମିନବିହୀନ, ବୁଝାମଣା ଯୋଗ୍ୟ ନୁହେଁ ଅପରାଧ ଭାବେ ଘୋଷଣା କରାଯାଇଥିଲା। ସରକାର କହିଛନ୍ତି ଯେ, ଏହି ସଂଶୋଧନ ମାଧ୍ୟମରେ କଠୋର ଦଣ୍ଡ, ସମୟବଦ୍ଧ ତଦନ୍ତ ଓ ବିଚାର ପ୍ରକ୍ରିୟା ସହ ସ୍ୱତନ୍ତ୍ର ନ୍ୟାୟିକ ବ୍ୟବସ୍ଥା ଗଠନ କରାଯିବ। ଏହା ଦ୍ୱାରା ସରକାରୀ ପରୀକ୍ଷାରେ ସ୍ୱଚ୍ଛତା, ନିରପେକ୍ଷତା ଓ ବିଶ୍ୱସନୀୟତା ବୃଦ୍ଧି ପାଇବ।

Also Read- ହସ୍ପିଟାଲରୁ ଡିସଚାର୍ଜ ହେଲେ ସୋନମ ୱାଙ୍ଗଚୁକ୍, ଅନଶନ ଭଙ୍ଗକୁ ନେଇ ଦେଲେ ସଫେଇ

NEET-UG ଓ UGC-NET ବିବାଦ ପରେ କଡ଼ା ପଦକ୍ଷେପ

୨୦୨୪ରେ NEET-UG ଏବଂ UGC-NET ପରୀକ୍ଷାରେ ପେପର ଲିକ୍ ବିବାଦ ପରେ ଏହି ଆଇନ ପ୍ରଣୟନ କରାଯାଇଥିଲା। କିନ୍ତୁ ଚଳିତ ବର୍ଷ ମଧ୍ୟ ପୁଣିଥରେ ପେପର ଲିକ୍ ଘଟଣା ସାମ୍ନାକୁ ଆସିବା ପରେ ଆଇନର ପ୍ରଭାବକୁ ନେଇ ପ୍ରଶ୍ନ ଉଠିଥିଲା। ସେହି ଦୁର୍ବଳତାକୁ ଦୂର କରିବା ପାଇଁ ସରକାର ଏହି ନୂଆ ସଂଶୋଧନ ଆଣିଛନ୍ତି।

NTAରେ ବଡ଼ ଧରଣର ପରିବର୍ତ୍ତନ

ଏହି ସଂଶୋଧନ ସହ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ରେ ମଧ୍ୟ ବ୍ୟାପକ ସଂସ୍କାର କରାଯାଉଛି। ସମ୍ପ୍ରତି କେନ୍ଦ୍ର ସରକାର NTAର ୪୭ ଜଣ ଅଧିକାରୀଙ୍କ ସେବା ସମାପ୍ତ କରିଛନ୍ତି। କେତେକ ଅଧିକାରୀଙ୍କ ବିରୋଧରେ ଆଇନଗତ ଓ ଆପରାଧିକ କାର୍ଯ୍ୟାନୁଷ୍ଠାନର ପ୍ରସ୍ତାବ ମଧ୍ୟ ରହିଛି। ପରୀକ୍ଷା ବ୍ୟସ୍ଥା ଉପରେ ପୁଣିଥରେ ଲୋକଙ୍କ ବିଶ୍ୱାସ ଫେରାଇ ଆଣିବା ପାଇଁ ସରକାର ଇନଫୋସିସ୍ ସହ-ପ୍ରତିଷ୍ଠାତା ନନ୍ଦନ ନିଲେକାନିଙ୍କ ନେତୃତ୍ୱରେ ଏକ ଉଚ୍ଚ-କ୍ଷମତାସମ୍ପନ୍ନ ପରୀକ୍ଷା ସଂସ୍କାର କାର୍ଯ୍ୟ ବାହିନୀ ଗଠନ କରିଛନ୍ତି। ଏହାସହ NTA ସାଇକୋମେଟ୍ରିକ ପରୀକ୍ଷା କେନ୍ଦ୍ର ପରିଚାଳନା, ସୂଚନା ସୁରକ୍ଷା, ସତର୍କତା ଓ ତଦନ୍ତ ବିଭାଗ ପାଇଁ ଚାରିଟି ବରିଷ୍ଠ ପଦବୀ ସହ ଯୁବ ପେସାଦାରଙ୍କ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ମଧ୍ୟ କରିଛି।