IDBI Bank Sale: ବିକ୍ରି ହୋଇଯିବ ସରକାରୀ ବ୍ୟାଙ୍କ ଆଇଡିବିଆଇ(IDBI)ର ଶେୟାର। କେନ୍ଦ୍ରୀୟ କ୍ୟାବିନେଟ୍ ଆଜି (୧୪ ଅକ୍ଟୋବର) ଏହାର କ୍ରେତାଙ୍କ ନାଁରେ ମୋହର ମାରିଛି। କ୍ୟାବିନେଟର ଏହି ନିଷ୍ପତ୍ତି ପରେ କେନ୍ଦ୍ର ସରକାର ଓ ଏଲ୍‌ଆଇସି ମିଶି ବ୍ୟାଙ୍କରେ ଥିବା ନିଜର ୬୦.୭୨% ଶେୟାର କାନାଡ଼ାର ଆରବପତି ବ୍ୟବସାୟୀ ପ୍ରେମ ବତ୍ସଙ୍କ କମ୍ପାନୀ ଫେୟରଫ୍ୟାକ୍ସକୁ ବିକ୍ରି କରିବେ।

ଏହି ଡିଲ୍ ୫୨,୮୭୭ କୋଟି ଟଙ୍କାରେ ଫାଇନାଲ୍ ହୋଇଛି। ୨୦୨୨ରେ ଟାଟା ଗ୍ରୁପକୁ ଏୟାର ଇଣ୍ଡିଆ ବିକ୍ରି କରିବା ପରେ ଏହା କେନ୍ଦ୍ର ସରକାରଙ୍କର ସବୁଠାରୁ ବଡ଼ ନିବେଶ। ଟଙ୍କା ନିବେଶ ଆକାରରେ ଦେଖିଲେ ଏହା ଏୟାର ଇଣ୍ଡିଆର ୧୮ ହଜାର କୋଟି ଡିଲ୍ ଠାରୁ ତିନି ଗୁଣା ବଡ଼ ଡିଲ୍ ହେବ। ଏନେଇ ସୂଚନା ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ଭାରତର ଫାଇନାନ୍ସିଆଲ୍ ସର୍ଭିସ୍‌ରେ ଏହା ଏକ ବଡ ବିଦେଶୀ ପୁଞ୍ଜି ନିବେଶ ବୋଲି ସେ କହିଛନ୍ତି।

ଏହି ଡିଲ୍‌ ମାଧ୍ୟମରେ ସରକାର ବ୍ୟାଙ୍କରେ ଥିବା ନିଜର ୩୦.୪୮% ଓ ଏଲ୍ଆଇସି ନିଜର ୩୦.୨୪% ଅଂଶଧନ ବିକ୍ରି କରିବ। IDBI ବ୍ୟାଙ୍କରେ ନିଜର ଅଂଶଧନ ବିକ୍ରି କରିବା ପରେ ସରକାରଙ୍କ ପାଖରେ ୧୫% ଓ ଏଲଆଇସି ପାଖରେ ୧୯ ପ୍ରତିଶତ ଅଂଶଧନ ରହିବ। ଅର୍ଥାତ ଦୁଇ ଜଣଙ୍କ ପାଖରେ ମୋଟ ୩୪% ଅଂଶଧନ ରହିବ।
Also Read- ସେପ୍ଟେମ୍ବରରେ ରେକର୍ଡ ଭାଙ୍ଗିଲା ଦର ବୃଦ୍ଧି: ୫ ମାସରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଲା ପାଇକାରୀ ମୁଦ୍ରାସ୍ଫୀତି

ଅନୁମାନ ଠାରୁ ୫ ଟଙ୍କା ଅଧିକ ଦେଲା ବୋଲି ଡିଲ୍ ଫାଇନାଲ୍

IDBI ବ୍ୟାଙ୍କର ଉଚିତ ମୂଲ୍ୟ ଅର୍ଥାତ୍ ଫେୟାର ଭାଲ୍ୟୁ ସ୍ଥିର କରିବା ପାଇଁ କେନ୍ଦ୍ର ସରକାର ଦୁଇ ସ୍ୱତନ୍ତ୍ର ଏଜେନ୍ସିଙ୍କର ସହଯୋଗ ନେଇଥିଲେ। ଏହି ଏଜେନ୍ସିମାନେ କାଲକୁଲେସନ କରିବା ପରେ ଆଇଡିବିଇ ବ୍ୟାଙ୍କର ପ୍ରତି ଶେୟାର ମୂଲ୍ୟ ୭୫.୯୯ ଟଙ୍କା ହେବା ଦରକାର ବୋଲି କହିଥିଲେ। ହେଲେ କାନାଡ଼ା କମ୍ପାନୀ ଫେୟାରଫ୍ୟାକ୍ସ ଏହା ଠାରୁ ଅଧିକ ୫.୦୧ ଟଙ୍କା ଅର୍ଥାତ୍ ପ୍ରତି ଶେୟାର ୮୧ ଟଙ୍କା ବୋଲି ଲଗାଇଥିଲା। ସରକାରୀ ଅନୁମାନ ଠାରୁ ୫.୦୧ ଟଙ୍କା ଅଧିକ ମିଳୁଥିବାରୁ ଡିଲ୍ ଫାଇନାଲ୍ ହୋଇଥିଲା।

ଦୁଇଟି ପର୍ଯ୍ୟାୟରେ ବିକ୍ରି ପ୍ରକ୍ରିୟା

IDBI ବ୍ୟାଙ୍କ ଶେୟାର ବିକ୍ରି କରିବା ପ୍ରକ୍ରିୟା ୨୦୨୨ ଅକ୍ଟୋବର ୭ ତାରିଖରୁ ଆରମ୍ଭ ହୋଇଥିଲା। ସେତେବେଳେ ସରକାର ବ୍ୟାଙ୍କ କିଣିବାକୁ ଇଚ୍ଛୁକ ଥିବା କ୍ରେତାଙ୍କ ଠାରୁ ଆବେଦନ ଆହ୍ୱାନ କରିଥିଲେ। ପ୍ରାରମ୍ଭରୁ ଏଥିରେ ୫ ବଡ଼ କମ୍ପାନୀ ଆଗ୍ରହ ପ୍ରକାଶ କରିଥିଲେ। ତେବେ ସରକାର ଏହି କମ୍ପାନଗୁଡ଼ିକର ସମସ୍ତ କାଗଜପତ୍ର ଯାଞ୍ଚ କରିବା ପରେ କେବଳ ୪ଟି କମ୍ପାନୀ ଏଥିପାଇଁ ଯୋଗ୍ୟ ହୋଇଥିଲେ। ଶେଷ ପର୍ଯ୍ୟାୟରେ ଦୁଇ କମ୍ପାନୀ ନିଜର ସମସ୍ତ କାଗଜପତ୍ର ଓ ବୋଲି ମୂଲ୍ୟ ପୈଠ କରିଥିଲେ। ଏମାନଙ୍କ ମଧ୍ୟରୁ ସବୁଠାରୁ ଭଲ ବୋଲିଂ ଲଗାଇ କାନାଡ଼ାର ଫେୟାରଫ୍ୟାକ୍ସ ଡିଲ୍‌ ନିଜ ନାଁରେ କରିଥିଲା।

ସାମାନ୍ୟ ଗ୍ରାହକଙ୍କ ଆକାଉଣ୍ଟରେ କ’ଣ ପଡ଼ିବ ପ୍ରଭାବ ?

ଫେୟାରଫ୍ୟାକ୍ସ ଫାଇନାନ୍ସିଆଲ୍ ହେଉଛି କାନାଡାର ଏକ ଫାଇନାନ୍ସିଆଲ୍ ହୋଲ୍ଡିଂ କମ୍ପାନୀ। ଏହାର ମାଲିକ ହେଉଛନ୍ତି ଭାରତୀୟ ବଂଶୋଦ୍ଭବ କାନାଡିଆନ୍ ଆରବପତି ପ୍ରେମ ବତ୍ସ। ଯାହାଙ୍କୁ କାନାଡ଼ାର ୱାରେନ୍ ବଫେଟ୍ ବୋଲି କୁହାଯାଏ। ତେବେ ଏହି ଡିଲ୍‌ରେ ସାଧାରଣ ନାଗରିକଙ୍କ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। ହେଲେ ବ୍ୟାଙ୍କର ମାଲିକାନା ପରିବର୍ତ୍ତନ ହେଲେ ଏଥିରେ ଅନେକ କିଛି ପରିବର୍ତ୍ତନ ହୋଇପାରେ। ଗ୍ରାହକଙ୍କୁ ଅଧିକ ଟେକ୍ନୋଲୋଜିଗତ ସୁବିଧା ଓ ଏକାଧିକ ନୂଆ ବ୍ୟବସ୍ଥା ଆରମ୍ଭ ହୋଇପାରେ।

କାନାଡାର ୱାରେନ ବଫେ ଭାରତୀୟ ବଂଶୋଦ୍ଭବ ପ୍ରେମ ବତ୍ସ କିଏ ?

ପ୍ରେମ ବତ୍ସଙ୍କ ଜନ୍ମମ ୫ ଅଗଷ୍ଟ ୧୯୫୦ରେ ହାଇଦ୍ରାବାଦର ଏକ ମଧ୍ୟବିତ୍ତ ପରିବାରରେ ହୋଇଥିଲା। ୧୯୭୧ ମସିହାରେ ସେ ଆଇଆଇଟି ମାଡ୍ରାସରୁ ରାସାୟନିକ ଇଞ୍ଜିନିୟରିଂରେ ସ୍ନାତକ ହାସଲ କରିବା ପରେ ବ୍ୟାପକ ସୁଯୋଗ ସନ୍ଧାନରେ କାନାଡା ଚାଲିଯାଇଥିଲେ। ସେଠାରେ ସେ ୱେଷ୍ଟର୍ଣ୍ଣ ଓଣ୍ଟାରିଓ ବିଶ୍ୱବିଦ୍ୟାଳୟରୁ ବ୍ୟବସାୟ ଆଡମନିଷ୍ଟ୍ରେସନରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ। ଏହି ଶିକ୍ଷାଗତ ଯୋଗ୍ୟତା ତାଙ୍କୁ କାନାଡାର ଫାଇନାନ୍ସିଆଲ୍ ବିଜନେଶ କ୍ଷେତ୍ରରେ ଏକ ପ୍ରମୁଖ ଚେହେରା ଭାବେ ଗଢ଼ି ତୋଳିଥିଲା। ଆଜି ତାଙ୍କ କମ୍ପାନୀ ଫେୟାରଫ୍ୟାକ୍ସର ବଜାର ମୂଲ୍ୟ ୫,୩୧୦.୨୬ ବିଲିୟନ କାନାଡିଆନ ଡଲାର ରହିଛି।