ନୂଆଦିଲ୍ଲୀ, ୨୫। ୦୭ : କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ପ୍ରତିକ୍ରିୟା ସାମନାକୁ ଆସିଛି। ସୋସିଆଲ ମିଡିଆ ଏକ୍ସରେ ସେ କହିଛନ୍ତି ବିଜେପି କାର୍ଯ୍ୟକର୍ତ୍ତାଙ୍କ ପାଇଁ ପଦଠାରୁ ବହୁ ଅଧିକ ମହତ୍ତ୍ଵପୂର୍ଣ୍ଣ ହେଉଛି ଦେଶ, ଆମର ଯୁବପିଢ଼ି ଏବଂ ଛାତ୍ରଛାତ୍ରୀ I କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ପଦରୁ ଇସ୍ତଫା ଦେବା ଏହାକୁ ଦର୍ଶାଉଛି। ମୋଦି ସରକାର ଦେଶର ଯୁବବର୍ଗଙ୍କ ଭାବନାକୁ ସମ୍ମାନ କରନ୍ତି ଏବଂ ପ୍ରଶ୍ନପତ୍ର ଲିକ୍ ବିରୋଧରେ ଆବଶ୍ୟକ ସଂସ୍କାର ଲାଗି ପ୍ରତିଶ୍ରୁତିବଦ୍ଧ।

ସେ ଆହୁରି ଲେଖିଛନ୍ତି ଯେ, ପ୍ରଶ୍ନପତ୍ର ଲିକରେ ସମ୍ପୃକ୍ତ ଦୋଷୀଙ୍କୁ କଠୋର ଦଣ୍ଡ ମିଳିବ। ସେଥିପାଇଁ ମୋଦିଙ୍କ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ପ୍ରଶଂସନୀୟ। ଏଭଳି ପଦକ୍ଷେପ ଦ୍ଵାରା ନିଟ୍ ପରୀକ୍ଷାରେ ସଫଳ ହୋଇଥିବା ପରୀକ୍ଷାର୍ଥୀଙ୍କୁ ନ୍ୟାୟ ମିଳିପାରିବ।

ଧର୍ମେନ୍ଦ୍ର ପ୍ରଧାନ ନିଜ କାର୍ଯ୍ୟକାଳ ଭିତରେ ଜାତୀୟ ଶିକ୍ଷା ନୀତିର ପ୍ରଭାବୀ କ୍ରିୟାନ୍ଵୟନ, ମାତୃଭାଷାରେ ପରୀକ୍ଷାର ବ୍ୟବସ୍ଥା, ପିଏମଶ୍ରୀ ବିଦ୍ୟାଳୟର ସମ୍ପ୍ରସାରଣ, ଡିଜିଗଲ ଶିକ୍ଷାର ପ୍ରୋତ୍ସାହନ, କୌଶଳ ବିକାଶ ଏବଂ ଉଦ୍ୟୋଗ-ଏକାଡେମିର ସମନ୍ଵୟକୁ ସୁଦୃଢ଼ କରିବା ଦିଗରେ ମହତ୍ତ୍ଵପୂର୍ଣ ସଂସ୍କାର ଆଣିଥିଲେ । ପରୀକ୍ଷା ପ୍ରଣାଳୀକୁ ଅଧିକ ସମାବେଶୀ ଓ ଛାତ୍ର କୈନ୍ଦ୍ରିକ କରିବା ଦିଗରେ ତାଙ୍କର ପ୍ରୟାସ ଉଲ୍ଲେଖନୀୟ । ତାଙ୍କ କାର୍ଯ୍ୟକାଳ ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବାର ସଙ୍କଳ୍ପ ପ୍ରତି ତାଙ୍କର ସମର୍ପଣ ଭାବକୁ ଦର୍ଶାଉଛି ବୋଲି ଶାହ କହିଛନ୍ତି।