ନୂଆଦିଲ୍ଲୀ: ଭାରତରେ ଇଲେକ୍ଟ୍ରିକ୍ ବାହନକୁ ପ୍ରୋତ୍ସାହନ ଦେବା ଲାଗି କେନ୍ଦ୍ର ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ସବସିଡି ଏବେ ସମାପ୍ତ ହେବାକୁ ଯାଉଛି। ୩୧ ଜୁଲାଇ ପରେ ଇଲେକ୍ଟ୍ରିକ୍ ବାଇକ୍ ଓ ସ୍କୁଟର କ୍ରେତାଙ୍କୁ ଆଉ ୫ ହଜାର ଟଙ୍କାର କେନ୍ଦ୍ରୀୟ ସବସିଡି ମିଳିବନି। ଏଣୁ ଇଭି କ୍ରୟ ଲାଗି ଲୋକଙ୍କ ବ୍ୟୟ ବଢିବ। ଏ ପର୍ଯ୍ୟନ୍ତ ଇଲେକ୍ଟ୍ରିକ୍ ଦୁଇ ଚକିଆ ଯାନ କ୍ରୟ ପାଇଁ ଲୋକଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ୫ ହଜାର ଟଙ୍କା ଲେଖାଏଁ ସବସିଡି ସହିତ ରୋଡ ଟ୍ୟାକ୍ସ, ରେଜିଷ୍ଟ୍ରେସନ ଫି, ସ୍ମାର୍ଟ କାର୍ଡ ଆରସି ଶୁଳ୍କ ଓ ଏଚଏସଆରପି ନମ୍ବର ପ୍ଲେଟ୍ ଶୁଳ୍କରେ ରିହାତି ମିଳୁଥିଲା।

ଏଣୁ ଇଭି କ୍ରୟରେ ଲୋକଙ୍କର ପାଖାପାଖି ୧୮,୦୦୦ ଟଙ୍କା ସଞ୍ଚୟ ହେଉଥିଲା। ତେବେ କେନ୍ଦ୍ର ସରକାର ୩୧ ଜୁଲାଇ ପରେ ସବସିଡି ସମାପ୍ତ କରିବା ଯୋଗୁ ଲୋକଙ୍କ ଇଲେକ୍ଟ୍ରିକ ଗାଡ଼ି କ୍ରୟ ବାବଦ ସଞ୍ଚୟ ଏବେ ହ୍ରାସ ହେବ। ଏବେ କେନ୍ଦ୍ରୀୟ ସବସିଡିର ଲାଭ କେବଳ ସେହି ବାହନଙ୍କୁ ମିଳିବ ଯାହାର ପଞ୍ଜିକରଣ ଓ ଇ-ଭାଉଚର ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଜାରି ହୋଇଥିବ। ଦେଶରେ ଏବେ ଇଲୋକ୍ଟ୍ରିକ ବାହନ ପ୍ରତି ଲୋକଙ୍କ ଆଗ୍ରହ ବଢିଛି। ଏଣୁ ଏପରି ବାହନ ବିକ୍ରି ମଧ୍ୟ ବଢିଛି। ବାହନ ବିକ୍ରି ସହ ଏଥି ପାଇଁ ଆବଶ୍ୟକ ହେଉଥିବା ଭିତ୍ତିଭୂମି ମଧ୍ୟ ତିଆରି ହେବାରେ ଲାଗିଲାଣି।

ଦେଶରେ ଇଭି ଚାର୍ଜିଂ ଭିତ୍ତି ଭୂମି ଏବେ ଦ୍ରୁତ ବଢିବା ଆରମ୍ଭ ହୋଇଛି। ସାର୍ବଜନିକ ଚାର୍ଜିଂ ଷ୍ଟେସନ ସଂଖ୍ୟା ମଧ୍ୟ ବଢିଛି। ଏପରି ଚାର୍ଜିଂ ଷ୍ଟେସନ ସ୍ଥାପନା ନିମନ୍ତେ ପିଏମ ଇ-ଡ୍ରାଇଭ ଯୋଜନାରେ ଚାର୍ଜିଂ ଷ୍ଟେସନ ସବୁ ସ୍ଥାପିତ ହେବାରେ ଲାଗିଛି। ଏଣୁ ଆଗକୁ ଦେଶରେ ଇଭି ନିମନ୍ତେ ପେଟ୍ରୋଲ ବାହନଙ୍କ ଭଳି ସୁବିଧା ସବୁସ୍ଥାନରେ ଉପଲବ୍ଧ ହେବାରେ ଲାଗିବ। ଦେଶରେ ଇଭି ଆରଆଣ୍ଡଡି ରେ ମଧ୍ୟ ପରିବର୍ତ୍ତନ ଆସିଛି। ଏବେ ଅଧିକ ଦୂରଗାମୀ ଇଭି ବିକଶିତ ହେଉଥିବା ବେଳେ ଲୋକଙ୍କ ଆବଶ୍ୟକତା ପୂରଣ କରିପାରୁଛି।