ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ନିଟ୍ ୟୁଜି ୨୦୨୬ ପେପର ଲିକ୍ ମାମଲାରେ ସିବିଆଇର ଯାଞ୍ଚ ପୂରା ହୋଇଛି। ଏମିତି ଦାବି କରିଛି ଖୋଦ୍ ଏହି ଯାଞ୍ଚ ଏଜେନ୍ସି। ଏ ନେଇ ବୁଧବାର ଦିଲ୍ଲୀର ସ୍ଵତନ୍ତ୍ର ଅଦାଲତରେ ଅନ୍ତରୀଣ ଚାର୍ଜସିଟ୍ ଦାଖଲ ହୋଇଛି। ଏଥିରେ ଏକ ଘରୋଇ ବ୍ୟକ୍ତିଙ୍କୁ ଅଭିଯୁକ୍ତ ଭାବେ ଦର୍ଶା ଯାଇଛି। ଏହା ପୂର୍ବରୁ ୧୩ ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା। ସବୁଠୁ ବଡ଼ ଆଶ୍ଚର୍ଯ୍ୟକର କଥା ସିବିଆଇର ତଦନ୍ତକୁ ନେଇ ଉଠିଛି।

ଆପଣମାନେ ସମସ୍ତେ ଭାବୁଥିବେ ଦେଶର ସବୁଠୁ ବଡ଼ ଡାକ୍ତରୀ ପ୍ରବେଶିକା ପରୀକ୍ଷା  ନିଟ୍ ପେପର ଲିକ୍ ମାମଲାରେ ବଡ଼ ମୁଣ୍ଡଙ୍କ ହାତ ନିଶ୍ଚୟ ଥିବ। କାରଣ ପେପର ଲିକ୍ ମାମଲାକୁ ନେଇ ସାରା ଦେଶରେ ଆନ୍ଦୋଳନ ମୁଣ୍ଡ ଟେକିଥିଲା। ରାଜଧାନୀର ଜନ୍ତର ମନ୍ତରର ଆନ୍ଦୋଳନ ପୂରା ଦୁନିଆର ଖବର କାଗଜର ମହିମାମଣ୍ଡନ କଲା। କକରୋଚ ଜନତା ପାର୍ଟି(CJP)ର ଜନ୍ତର ମନ୍ତରରେ ଆନ୍ଦୋଳନ ଏମିତି ବ୍ୟାପକ ରୂପ ନେଲା ଯେ, ଶେଷରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା। ହେଲେ ସିବିଆଇ ଯେଉଁ ଚାର୍ଜସିଟ୍ ଦାଖଲ କରିଛି ତାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ସିବିଆଇ କହିଛି ନିଟ୍ ପେପର ଲିକ୍ ମାମଲାରେ କୌଣସି ସରକାରୀ ଅଧିକାରୀଙ୍କ ବିରୋଧରେ ପ୍ରମାଣ ନାହିଁ।

Also Read: ମଝି ଆକାଶରେ ଏୟାର ଇଣ୍ଡିଆ ବିମାନକୁ ହାଇଜ୍ୟାକ୍ ! ଜୟପୁରରେ ଏମରଜେନ୍ସି ଲ୍ୟାଣ୍ଡିଂ

ଆଉ ଜଣେ ବ୍ୟକ୍ତିଙ୍କୁ କରାଗଲା ଅଭିଯୁକ୍ତ

ସିବିଆଇ ବୁଧବାର  ଦାଖଲ କରିଥିବା ନିଜର ଅନ୍ତରୀଣ ଚାର୍ଜସିଟରେ ଆଉ ଜଣେ ଅଭିଯୁକ୍ତଙ୍କୁ ଅଭିଯୁକ୍ତ ଦର୍ଶାଇଛି। ଏହା ପୂର୍ବରୁ ଜୁଲାଇ ୨୮ରେ ଦାଖଲ ପ୍ରଥମ ଚାର୍ଜସିଟରେ ୧୩ ଜଣଙ୍କୁ ଅଭିଯୁକ୍ତ ଦର୍ଶା ଯାଇଥିଲା। ଏଥିରେ ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସି(ଏନଟିଏ) ପକ୍ଷରୁ ନିଯୁକ୍ତ ତିନି ବିଷୟ ବିଶେଷଜ୍ଞ, ଦଲାଲ ଏବଂ କୋଚିଂ ସେଣ୍ଟର ସହ ଜଡ଼ିତ ପ୍ରତିନିଧି ସାମିଲ୍ ଥିଲେ।

ମିଳିଲାନି ପ୍ରମାଣ

ସିବିଆଇର ଜଣେ ଅଧିକାରୀ ସ୍ପଷ୍ଟ କରିଛନ୍ତି ଯେ, ଏହି ମାମଲାରେ କୌଣସି ବି ସରକାରୀ ଅଧିକାରୀଙ୍କ ନାଁ ନାହିଁ। ପୂରା ତଦନ୍ତ ପ୍ରକ୍ରିୟାରେ ଜଣେ ବି ସରକାରୀ ଅଧିକାରୀଙ୍କ ବିରୋଧରେ ପ୍ରମାଣ ମିଳିନାହିଁ। ଉଲ୍ଲେଖନୀୟ ଚଳିତ ବର୍ଷ ମେ ୩ ତାରିଖରେ ନିଟ୍ ୟୁଜି ୨୦୨୬ ଆୟୋଜିତ ହୋଇଥିଲା। ଏହାର ସପ୍ତାହ ପରେ ପେପର ଲିକ୍ ମାମଲା ସାମ୍ନାକୁ ଆସିଥିଲା। ତଦନ୍ତ ସମୟରେ ଜଣା ପଡ଼ିଲା ଯେ, ଯେଉଁ ପେପର ଲିକ୍ ହୋଇଛି ସେଥିରୁ ଅତି କମରେ ୧୨୦ ପ୍ରଶ୍ନ ନିଟ୍ ୟୁଜିର ପ୍ରଶ୍ନପତ୍ର ସହ ମେଳ ଖାଉଛି। ଏହା ପରେ ମେ ୧୨ରେ ଏନଟିଏ ପରୀକ୍ଷା ରଦ୍ଦ କରିବାକୁ ଘୋଷଣା କରିଥିଲା।

Also Read: ଅଡୁଆରେ ବ୍ୟାଙ୍କ ଅଫ୍ ବରୋଦା : ୧.୪୪ ଲକ୍ଷ କୋଟି ଟଙ୍କାର ମାମଲା କଲେ ବ୍ୟବସାୟୀ