ଭୁବନେଶ୍ୱର, ୨୨/୦୯:ଆମ ଗୋଲୁକୁ କେହି ଦେଖିଛ କି? ସକାଳୁ କିଛି ଖାଇନି, ବାହାରେ ବି ରହିବା ଜାଣିନି। ଆମ ବିନା ସେ କେମିତି ବଞ୍ଚିବ। ବିଲେଇ କି କୁକୁର ତାକୁ କାମୁଡ଼ି ଦେବେ। ଦୟାକରି ଯଦି କେହି ଗୋଲୁକୁ ଦେଖିବେ, ଆମକୁ ଜଣାଇବେ’

ସୋମବାର ୟୁନିଟ-୮ କମ୍ୟୁନିଟି ସେଣ୍ଟର ପାଖରେ ଜଣେ ଯୁବତୀ ଏଭଳି କହୁଥିଲେ। ବାସ୍ତବରେ ଏ ଗୋଲୁ କିଏ? ତାକୁ ଏଭଳି ପାଗଳ ଭଳି ଖୋଜାଚାଲିଛି। ରାସ୍ତାଠୁ ନେଇ ଗଳିକନ୍ଦି ଓ ଘରକୁ ଘର ବୁଲା ହେଉଛି। କୌତୁହଳ ଜାତ ହେଲା । ପଚାରିବୁଝିବାରୁ ଅସଲ କଥାଟି ଜଣାପଡ଼ିଲା। ଗୋଲୁ ଏକ ବିଲେଇ। ଯାହାର ବୟସ ମାତ୍ର ଏକ ବର୍ଷ। ତାହା ପୁଣି ଭାରତୀୟ ନୁହେଁ, ପର୍ସିଆନ ପ୍ରଜାତିର । ସ୍ଥାନୀୟ ଅଞ୍ଚଳ ବାସିନ୍ଦା ବାବୁଲି ଦାସଙ୍କ ଘରେ ସେ ପାଳିତ ବିଲେଇ ଥିଲା।

Also Read :- ଖୋର୍ଦ୍ଧା ଜିଲ୍ଲାରେ ସବୁ ସ୍କୁଲ ଛୁଟି, ଗଭୀର ଅବପାତ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ଗୋଲୁର ଶରୀର ଅସୁସ୍ଥ ଥିଲା। ସକାଳେ ବାବୁଲିଙ୍କ ଝିଅ ପ୍ରିୟଙ୍କା ତାକୁ ଟୀକା ଦେବାକୁ ସହିଦନଗର ପ୍ରାଣୀ ଚିକିତ୍ସାଳୟକୁ ନେଉଥିଲେ। ହେଲେ ଯିବା ସମୟରେ ଗାଡି ବାସ୍କେଟ୍ରେ ଥିବା ଗୋଲୁ ହଠାତ୍ ରାସ୍ତାକୁ ଡେଇଁ କେଉଁଆଡ଼େ ଦୌଡ଼ି ପଳାଇଥିଲା । ଏହା ଦେଖି ପ୍ରିୟଙ୍କା ଗାଡ଼ି ଅଟକାଇ ତା ପଛେ ପଛେ ଯାଇଥିଲେ। ହେଲେ ଆଉ ପାଇନଥିଲେ।

ବାବୁଲିଙ୍କ ପରିବାରଲୋକେ ତାକୁ ଖୋଜିଖୋଜି ନୟାନ୍ତ ହୋଇପଡ଼ିଥିଲେ। ପ୍ରିୟଙ୍କା କହିଥିଲେ, ଗୋଲୁ ପରିବାରରେ ସମସ୍ତଙ୍କ ପ୍ରିୟ ବିଲେଇ। ତା ନିଖୋଜ ପରେ ଘରେ କେହି ଠିକଭାବରେ ଖିଆ ପିଆ କରିନାହାନ୍ତି। ଯଦି କେହି ତାକୁ ପାଆନ୍ତି, ତେବେ ଜଣାଇବାକୁ ପ୍ରିୟଙ୍କା ନିବେଦନ କରିଛନ୍ତି।