ହିନ୍ଦୋଳ: ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ ସାପୁଆ ଡ୍ୟାମରେ ଅଘଟଣ। ଡ୍ୟାମରେ ଏକ କାର ବୁଡ଼ିଯିବାରୁ ଏଥିରେ ବସିଥିବା ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ସେହିଭଳି ଅଳ୍ପକେ ବର୍ତ୍ତିଯାଇଛନ୍ତି ଅନ୍ୟ ତନି ଯାତ୍ରୀ। ମୃତକ ଭୁବନେଶ୍ବର କଳିଙ୍ଗ ବିହାର ଅଞ୍ଚଳର ପ୍ରସନ ମହରଣା (୭୦)।

ସୂଚନା ଅନୁଯାୟୀ, ଶୁକ୍ରବାର ଅପରାହ୍ନ ୩ଟା ସମୟରେ ପ୍ରସନଙ୍କ ସମେତ କଳିଙ୍ଗ ବିହାର ଅଞ୍ଚଳର ୪ ଜଣ ପର୍ଯ୍ୟଟକ କାର୍ ଯୋଗେ ସାପୁଆ ଡ୍ୟାମକୁ ଭୋଜି କରିବା ପାଇଁ ଆସିଥିଲେ। ହେଲେ କାର ଯୋଗେ ଗାଧୋଇବା ପାଇଁ ଯିବାବେଳେ ଭାରସାମ୍ୟ ହରାଇ କାରଟି ପାଣିଭିତରକୁ ପଶିଯାଇଥିଲା।ତେବେ ଗାଡ଼ି ଭିତରୁ ୩ ଜଣକୁ ସୁରକ୍ଷିତ ବାହାରକୁ ପଳାଇ ଆସିଥିଲେ। କିନ୍ତୁ ପ୍ରସନ ଫସିଯାଇଥିଲେ। କାରଟି ୧୫ ଫୁଟ ପାଣି ଭିତରକୁ ଚାଲିଯାଇଥିଲା ।

ଖବର ପାଇ ଘଟଣାସ୍ଥଳରେ ରାସୋଳ ଅଗ୍ନିଶମ ବାହିନୀ ପହଞ୍ଚି କାରକୁ ପାଣି ଭିତରୁ ବାହାର କରିବା ସହିତ ମୃତ ଦେହ ଉଦ୍ଧାର କରିଥିଲେ। ଆହତଙ୍କୁ ଦମକଳ ଗାଡ଼ି ଯୋଗେ ହିନ୍ଦୋଳ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।