ନୂଆଦିଲ୍ଲୀ: କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ (ସିଏପିଏଫ୍)ରେ ଗତ ୧୧ ବର୍ଷରେ ୨୩ ହଜାରରୁ ଅଧିକ କର୍ମଚାରୀ ଇସ୍ତଫା ଦେଇଛନ୍ତି । କେବଳ ଏତିକି ନୁହେଁ, ଗତ ତିନି ବର୍ଷରେ ଏହି ସୁରକ୍ଷା ବାହିନୀରେ ଆତ୍ମହତ୍ୟାର ୪୩୮ ମାମଲାର ସାମନାକୁ ଆସିଛି । ଆତ୍ମହତ୍ୟା ମାମଲା ସଂଖ୍ୟା ୨୦୨୩ରେ ୧୫୭ ଥିଲା । ୨୦୨୫ରେ ଏହି ସଂଖ୍ୟା ୧୩୩ ହୋଇଛି । ପରସ୍ପରକୁ ହତ୍ୟାର ଦୁଇଟି ଘଟଣା ୨୦୨୩ରେ ହୋଇଥିବା ବେଳେ ୨୦୨୪ରେ ଗୋଟିଏ ଓ ୨୦୨୫ରେ ଏପରି ଚାରି ଘଟଣା ରେକର୍ଡ ହୋଇଛି । ଫିଲ୍ଡରେ ମୁତୟନ ସିଏପିଏଫ୍ ଯବାନଙ୍କୁ ବର୍ଷରେ ୭୫ ଦିନ ଛୁଟି ଦିଆଯାଇଥାଏ ।

କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କ ଅନୁଯାୟୀ, କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (CRPF) ଗତ ତିନି ବର୍ଷ ମଧ୍ୟରେ ସର୍ବାଧିକ (୧୫୯) ଆତ୍ମହତ୍ୟା ରିପୋର୍ଟ କରିଛି । ସୀମା ସୁରକ୍ଷା ବାହିନୀ ୧୨୦ ଆତ୍ମହତ୍ୟା ସହିତ ଦ୍ୱିତୀୟ ସ୍ଥାନରେ ଅଛି । ସିଆଇଏସଏଫ ୬୦ ଆତ୍ମହତ୍ୟା ରିପୋର୍ଟ କରିଛି । ୨୦୧୪ରୁ ୨୦୨୫ ମଧ୍ୟରେ ସିଏପିଏଫ୍ ଏବଂ ଆସାମ ରାଇଫଲ୍ସର ମୋଟ ୨୩,୩୬୦ ଜଣ କର୍ମଚାରୀ ଚାକିରିରୁ ଇସ୍ତଫା ଦେଇଛନ୍ତି ।

ସୀମା ସୁରକ୍ଷା ବଳରେ ୭,୪୯୩, ସିଆରପିଏଫରେ ୭,୪୫୬ ଏବଂ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳରେ ୪,୧୩୭ ଜଣ ଇସ୍ତଫା ଦେଇଛନ୍ତି । ୨୦୨୫ରେ ଏପର୍ଯ୍ୟନ୍ତ ୩,୦୭୭ ଜଣ ଇସ୍ତଫା ଦେଇଥିବା ରିପୋର୍ଟ କରାଯାଇଛି । ସଂସଦ ଅଧିବେଶନ ସମୟରେ ସେବା ସର୍ତ୍ତାବଳୀ ସମ୍ପର୍କିତ ପ୍ରଶ୍ନର ଉତ୍ତର ଦେଇ ଗୃହ ରାଷ୍ଟ୍ରମନ୍ତ୍ରୀ କହିଛନ୍ତି ଯେ ସିଏପିଏଫ କର୍ମଚାରୀମାନେ ସାଧାରଣତଃ ଆଠ ଘଣ୍ଟା ସିଫ୍ଟରେ କାମ କରନ୍ତି ।

ତେବେ ଆବଶ୍ୟକତା ଉପରେ ନିର୍ଭର କରି ଡ୍ୟୁଟି ସମୟ ଭିନ୍ନ ହୋଇପାରେ । ଏଥିରେ ବାଟାଲିୟନ ଗଠନ ମଧ୍ୟରେ ବିଶ୍ରାମ, ଛୁଟି ଏବଂ ତାଲିମ ପାଇଁ ବ୍ୟବସ୍ଥା ଅନ୍ତର୍ଭୁକ୍ତ । କ୍ଷେତ୍ରରେ ନିୟୋଜିତ ସିଏପିଏଫ କର୍ମଚାରୀମାନଙ୍କୁ ପ୍ରତିବର୍ଷ ୭୫ ଦିନର ଛୁଟି ପ୍ରଦାନ କରାଯାଏ । ଏଥିରେ ୬୦ ଦିନର ଅର୍ଜିତ ଛୁଟି ଏବଂ ୧୫ ଦିନର ଆକସ୍ମିକ ଛୁଟି ରହିଛି । ସେମାନେ ଯେପରି ସର୍ବାଧିକ ପରିମାଣରେ ଏହି ଛୁଟିର ଉପଯୋଗ କରିପାରିବେ ତାହା ନିଶ୍ଚିତ କରିବା ପାଇଁ ପ୍ରୟାସ କରାଯାଉଛି ।