ଚଣ୍ଡିଗଡ଼: ଅଜବ ପ୍ରେମର ଗଜବ କାହାଣୀ। ଏମିତି ଏକ ପ୍ରେମ ଘଟଣା ଯାହା ଶୁଣିଲେ ଆପଣ ମୁଣ୍ଡରେ ହାତ ଦେବେ। ଅନଲାଇନ ଡେଟିଂ ଆପରେ ଆରମ୍ଭ ହେଲା ବନ୍ଧୁତା। ଯେବେ ପ୍ରେମର ରୂପ ନେଲା, ବିବାହର ସ୍ଵପ୍ନ ନେଇ ସାତ ସମୁଦ୍ର ଡେଇଁ କାନାଡ଼ାରୁ ଭାରତ ପହଞ୍ଚିଗଲେ ୬୧ ବର୍ଷୀୟ ମହିଳା। ଆଶା ଥିଲା ବିବାହ କରି ଘର ସଂସାର କରିବେ। ହେଲେ ହରିୟାଣାର କୋଟପୁତଲୀ-ବହରୋଡ ଜିଲ୍ଲାର ନୀମରାନା ପହଞ୍ଚିବା ପରେ ଏହି ପ୍ରେମ କାହାଣୀ ଏମିତି ମୋଡ଼ ନେଲା ଯାହା ମହିଳାଙ୍କ ସ୍ଵପ୍ନକୁ ଭାଙ୍ଗି ଚୂରମାର କରି ଦେଲା। ହରିୟାଣାର ପାନିପତ ବାସିନ୍ଦା ଯୁବକ ମହିଳାଙ୍କ ପ୍ରକୃତ ବୟସ ଜାଣିବା ପରେ ବିବାହ କରିବାକୁ ମନା କରି ଦେଇଛନ୍ତି। ଏହା ପରେ ଦୁହିଁଙ୍କ ମଧ୍ୟରେ ବିବାଦ ଏତେ ବଢିଲା ଯେ, ମାମଲା କାନାଡ଼ା ଦୂତାବାସ ଓ ସ୍ଥାନୀୟ ପୋଲିସ ପର୍ଯ୍ୟନ୍ତ ପହଞ୍ଚିଗଲା।

Also Read: ଦୀପାବଳି ରାତିରେ ଜଘନ୍ୟ କାଣ୍ଡ: ଅନ୍ୟ ଜାତିର ଯୁବକ ସହ ପ୍ରେମ ସମ୍ପର୍କ ପାଇଁ ଝିଅକୁ ମାରିଦେଲା ବାପା !

ନୀମରାନା ଥାନା ଅଧିକାରୀ ସୁରେନ୍ଦ୍ର ଯାଦବ ପୂରା ମାମଲାର ସୂଚନା ଦେଇ କହିଛନ୍ତି, ପ୍ରାୟ ଏକ ବର୍ଷ ପୂର୍ବେ ହରିୟାଣାର ପାନିପତ ନିବାସୀ ଯୁବକ ନୀତିନଙ୍କ ଅନଲାଇନ ଡେଟିଂ ଆପରେ କାନାଡ଼ାରେ ରହୁଥିବା ଜଣେ ମହିଳାଙ୍କ ସହ ଭେଟ ହୋଇଥିଲା। ଧିରେ ଧିରେ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ବଢିବା ସହ ବନ୍ଧୁତା ପ୍ରେମର ରୂପ ନେଇଥିଲା। ଉଭୟ ପରସ୍ପରକୁ ବିବାହ କରିବାକୁ ସହମତି ପ୍ରକାଶ କଲେ। ଏହି ଭରସା ଏବଂ ବିବାହର ସ୍ଵପ୍ନ ନେଇ କାନାଡ଼ାର ମହିଳା ଜଣକ ଟୁରିଷ୍ଟ ଭିସାରେ ନଭେମ୍ବର ୧୧ରେ ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିଥିଲେ।

ଫ୍ଲାଟରେ ଦୁଇ ଦିନ ରହିଲେ ଏକାଠି

ଦିଲ୍ଲୀ ଏୟାରପୋର୍ଟରେ ପହଞ୍ଚିବା ପରେ ଯୁବ ନୀତିନ ଖୋଦ୍ ମହିଳାଙ୍କୁ ନେବା ପାଇଁ ବିମାନ ବନ୍ଦର ପହଞ୍ଚିଥିଲେ।ସେଠାରୁ ସେ ମହିଳାଙ୍କୁ କୋଟପୁତଲି-ବହରୋଡ଼ ଜିଲ୍ଲାର ନୀମରାନା ସ୍ଥିତ ନିଜ ମଉସା-ମାଉସୀଙ୍କ ଫ୍ଲାଟକୁ ନେଇ ଆସିଥିଲେ। କୁହାଯାଉଛି ମହିଳା ଜଣକ ଦୁଇ ଦିନ ଧରି ଯୁବକଙ୍କ ସହ ଏହି ଫ୍ଲାଟରେ ରହିଥିଲେ। ଏହି ସମୟରେ ଯେବେ ଦୁହିଁଙ୍କ ବିଷୟରେ ବିବାହ ନେଇ ଆଲୋଚନା ହେଲା ମହିଳାଙ୍କ ପ୍ରକୃତ ବୟସ ୬୧ ବର୍ଷ ହୋଇଥିବା ଯୁବକ ଜାଣିବାକୁ ପାଇଲେ। ଆଉ ମହିଳାଙ୍କୁ ବାହା ହେବାକୁ ସିଧା ସିଧା ମନା କରି ଦେଇଥିଲେ।

Also Read: ୪ ଡିସେମ୍ବରରେ ସାଂସଦ ପ୍ରିୟା ସରୋଜଙ୍କୁ ହାତ ଧରିବେ ରିଙ୍କୁ ସିଂହ, ଲକ୍ଷ୍ନୌରେ ହେବ ଗ୍ରାଣ୍ଡ ୱେଣ୍ଡିଂ

ଯୁବକଙ୍କୁ ଅଟକ ରଖିଲା ପୋଲିସ

ହଜାର ହଜାର କିଲୋମିଟର ଦୂର ଅତିକ୍ରମ କରି ବିବାହର ଆଶା ନେଇ ଭାରତ ଆସିଥିବା ମହିଳାଙ୍କ ପାଇଁ ଯୁବକଙ୍କ ଏହି ନିଷ୍ପତ୍ତି କୌଣସି ବଡ଼ ଝଟକାଠୁ କମ ନ ଥିଲା। ଦେଖୁ ଦେଖୁ ଉଭୟଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ସହ ଝଗଡ଼ା ଆରମ୍ଭ ହୋଇଥିଲା। ସ୍ଥିତି ବିଗିଡ଼ିବା ଦେଖି ମହିଳା ଜଣକ ତୁରନ୍ତ କାନାଡ଼ା ଦୂତାବାସ ସହ ଯୋଗାଯୋଗ କରି ଘଟଣାର ପୂରା ସୂଚନା ଦେଇଥିଲେ।

ଦୂତାବାସ ପକ୍ଷରୁ ଆଲର୍ଟ ମିଳିବା ମାତ୍ରେ ନୀମରାନ ଥାନା ପୋଲିସ ଆକ୍ସନ ମୋଡ଼କୁ ଆସିଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଥାନା ନେଇକି ଆସିଥିଲା। ପୋଲିସ ଅନୁସାରେ ଅଭିଯୁକ୍ତ ଯୁବକ ନୀତିନ ପାନିପଥର ବାସିନ୍ଦା ଏବଂ ସେ ଏକ ଘରୋଇ ସ୍କୁଲରେ ଶିକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି। ପୋଲିସ ବର୍ତ୍ତମାନ ଯୁବକଙ୍କୁ ଅଟକ ରଖି ପୂରା ମାମଲାର ତଦନ୍ତ କରୁଛି।