ଭୁବନେଶ୍ଵର: ମୋଟରଯାନ ଆଇନ ଅନୁସାରେ ସଡ଼କ ନିୟମ ଭାଙ୍ଗିଲେ ଜରିମାନା ଲାଗୁ ହେବ । ଇ-ଚାଲାଣ କାଟିବା ବେଳେ ସବୁ ଅପରାଧ ପାଇଁ ଭିନ୍ନ ଭିନ୍ନ ଜରିମାନା ଲାଗୁ ହେବ । କିନ୍ତୁ ୨୦୧୯ରୁ ୨୦୨୪ ଭିତରେ କଟା ଯାଇଥିବା ଚାଲାଣରେ ବଡ଼ ହେରଫେର ହୋଇଛି । ଟ୍ରାଫିକ ପୋଲିସ ଓ ଆରଟିଓ କର୍ମଚାରୀ ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ଚାଲାଣ କାଟିଛି ସତ, ହେଲେ ଅନେକ ମାମଲାରେ ଅମାନିଆଙ୍କ ସହ ରଫାଦଫା କରି ଚାଲାଣରେ ଜରିମାନା ରାଶି କମାଇ ଦେଇଛି । ନିୟମ ବାହାରକୁ ଯାଇ ଏହି ତଥାକଥିତ ରଫାଦଫା କରିବା ଯୋଗୁ ସରକାର ୬୪୦ କୋଟି ଟଙ୍କାର ଜରିମାନା ରାଶି ହରାଇଛନ୍ତି । ଚାଲାଣ କଟରେ ହୋଇଥିବା ଏହି ହେରଫେରକୁ ଧରିଛନ୍ତି ସିଏଜି ।

ସିଏଜି ଅଡିଟରେ ଚାଲାଣ କଟାକୁ ନେଇ ଚାଲିଥିବା କାରସାଦି ଫୁଟି ବାହାରିଛି । ୨୦୧୯ରୁ ୨୦୨୪ ଭିତରେ ଇ-ଚାଲାଣ ଓ ବାହନ ତଥ୍ୟକୁ ତନ୍ନ ତନ୍ନ କରି ଅଡିଟ୍ରେ ଯଞ୍ଚ କରାଯାଇଥିଲା । ଏଥିରେ କିଛି ଅମାନିଆ ଗାଡ଼ି ଚାଳକଙ୍କ ସହ ଟ୍ରାଫିକ ପୋଲିସ୍ କରିଥିବା ରଫାଦଫା ତଥ୍ୟ ମିଳିଛି । ଯଦି ଜଣେ ଅମାନିଆ ଗାଡ଼ି ଚାଳକ ଧରାପଡ଼ନ୍ତି, ନିୟମ ଅନୁସାରେ, ତାଙ୍କର ଡ୍ରାଇଭିଂ ଲାଇସେନ୍ସ(ଡିଏଲ), ପଞ୍ଜିକରଣ ପ୍ରମାଣ ପତ୍ର ( ଆରସି), ଫିଟନେସ୍ ଓ ଇନସୁରାନ୍ସ (ବୀମା) ଡକ୍ୟୁମେଣ୍ଟ ଯାଞ୍ଚ କରିବା ବାଧ୍ୟତାମୂଳକ । ଏକାଧିକ ନିୟମ ଉଲଙ୍ଘନ କରିଥିଲେ ଏକାଧିକ ଜରିମାନା କଷାଯିବ । ଅର୍ଥାତ, ଯଦି ଜଣେ ନିୟମ ଭାଙ୍ଗି ଧରାପଡ଼ନ୍ତି ଓ ତାଙ୍କ ଗାଡ଼ିର ଫିଟନେସ୍ ନଥିବ ତାଙ୍କ ଉପରେ ୫ହଜାର ଜରିମାନା ଲାଗୁ ହେବ । ପୁଣି ସେହି ସମାନ ଗାଡ଼ିର ବୀମା ନ ଥିଲେ ଅତିରିକ୍ତ ୨ ହଜାର ଟଙ୍କା ଜରିମାନା ଲାଗିବ । ଯଦି ସେହି ଗାଡ଼ିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ନ ଲାଗିନଥିବ ତା ଉପରେ ଆଉ ୫ ହଜାର ଜରିମାନା ଲାଗିବ । ଯଦି ବିନା ପରମିଟ୍ରେ ଏ ଗାଡ଼ି ଚାଲିଥିବ ଆଉ ୧୦ହଜାର ଜରିମାନା କଷାଯିବ । ଭିନ୍ନ ଭିନ୍ନ ଅପରାଧ ବା ନିୟମ ଉଲ୍ଲଙ୍ଘନ ପାଇଁ ଟ୍ରାଫିକ ପୋଲିସ ବା ଆରଟିଓ କର୍ମଚାରୀ ଏ ସବୁ ଅପରାଧକୁ ବୁକ୍ କରି ଜରିମାନା ଲଗାଇବେ । କିନ୍ତୁ ଏହାର ଖୋଲା ଉଲ୍ଲଙ୍ଘନ ହୋଇଛି । ଏକାଧିକ ଅପରାଧ କ୍ଷେତ୍ରରେ ଗାଡ଼ି ଚାଳକ / ମାଲିକଙ୍କ ସହ ରଫାଦଫା କରି କେବଳ ଗୋଟିଏ ବା ଦୁଇଟି ଅପରାଧ ପାଇଁ କରିମାନା ପକାଯାଇଛି ।

୩ଲକ୍ଷ ୩୧ ହଜାର ୮୦୯ ମାମଲାରେ ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ ପାଇଁ ଜରିମାନା ଆଦାୟ ହୋଇନି । ଏଥିପାଇଁ ୩୩୧ କୋଟି ଟଙ୍କା କ୍ଷତି ହୋଇଛି । ପୁଣି ଫିଟନେସ୍ ପ୍ରମାଣପତ୍ର ନ ଥାଇ ବି ୨ଲକ୍ଷ ୯୧ହଜାର ୫୩୬ ମାମଲାରେ ଜରିମାନା ଛାଡ଼ କରାଯାଇଛି । ଏଥିରେ ୧୪୫ କୋଟି ଟଙ୍କାର କ୍ଷତି ହୋଇଛି । ବୀମା ପ୍ରମାଣ ପତ୍ର ବା ଇନସୁରାନ୍ସ ନ ଥାଇ ବି ୭ଲକ୍ଷ ୩ହଜାର ମାମଲାରେ ଜରିମାନା ଆଦାୟ ନ ହେବାରୁ ୧୪୦ କୋଟି ଟଙ୍କାର କ୍ଷତି କ୍ଷତି ସହିଛନ୍ତି ସରକାର । ପୁଣି ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଲାଗିନଥିବା ୩୧ହଜାର ୩୨୦ ଗାଡ଼ି ଉପରେ ଜରିମାନା ଲାଗୁ ନ ହେବାରୁ ୧୫ କୋଟି କ୍ଷତି ହୋଇଛି । ବିନା ପରମିଟ୍ରେ ଯାଉଥିବା ୬୯୩୪ ଗାଡ଼ିକୁ ମାଫ୍ ଦିଆଯାଇଛି । ଏଥିରେ ସରକାର ପ୍ରାୟ ୭ କୋଟି ଟଙ୍କା ହରାଇଛନ୍ତି ।

Also Read: CAG ରିପୋର୍ଟକୁ ନେଇ ସରକାରଙ୍କୁ ଘେରିଲେ ବିରୋଧୀ, କହିଲେ- ଯଦି ପ୍ରମାଣ ଅଛି, ଆକ୍ସନ ନିଅ... କାହାକୁ ଅପେକ୍ଷା କରୁଛ ?

ଏହି କ୍ଷତି ଉପରେ ସରକାର ସଫେଇ ରଖି କହିଛନ୍ତି, ଟ୍ରାଫିକ ପୋଲିସ ଅଧିକାରୀ ଓ କର୍ମଚାରୀ ନିଜ ପୋଲିସ ଷ୍ଟେସନର କ୍ଷେତ୍ରାଧିକାର ମଧ୍ୟରେ ଏହି ଜରିମାନାକୁ ରଫାଦଫା ପାଇଁ ଅଧିକାରପ୍ରାପ୍ତ । କିନ୍ତୁ ମୋଟରଯାନ ଆଇନ କହୁଛି, ଏହି ଅପରାଧର ରଫାଦଫା ସମ୍ଭବ ନୁହେଁ । କେବଳ ଏତିକି ନୁହେଁ, ୧୯ହଜାର ୫୮୩ଟି ଓଭରଲୋଡିଂ ଟ୍ରକ୍କୁ ଛାଡ଼ି ଦିଆଯାଇଥିବା ସିଏଜି ଅଡିଟ୍ରୁ ଧରାପଡ଼ିଛି । ଓଭରଲୋଡିଂ ଟ୍ରକ୍ କ୍ଷେତ୍ରରେ ଅତିରିକ୍ତ ମାଲ୍ ବୋଝେଇ କାଢ଼ିବା ନିୟମ ଅଛି । କିନ୍ତୁ ଓଭରଲୋଡିଂ ହୋଇ ଧରା ପଡ଼ିଥିବା କୌଣସି ଗୋଟିଏ ଟ୍ରକରୁ ବୋଝେଇ ହୋଇଥିବା ଅତିରିକ୍ତ ମାଲ୍ କଢ଼ାଯିବାର କୌଣସି ପ୍ରମାଣ ନାହିଁ । ଅର୍ଥାତ୍ ଏଥିରେ ମଧ୍ୟ କାରସାଦି ହୋଇଥିବା ସନ୍ଦେହ କରିଛନ୍ତି ସିଏଜି ।

ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ଚାଲାଣ କାଟୁଥିଲେ ବି ଏହାର ପ୍ରମାଣ ଦେବାରେ ଫେଲ୍ ମାରିଛି ଟ୍ରାଫିକ ପୋଲିସ । ସିଏଜି ଏହି ତ୍ରୁଟିକୁ ବି ଧରିଛନ୍ତି । ୪୩.୮୮ ଲକ୍ଷ ମାମଲାରେ ଲୋକେ ଗାଡ଼ି ନିୟମ ଉଲଙ୍ଘନ କରିଥିବାର ପଟୋ ପ୍ରମାଣ ଅପଲୋଡ୍ ହୋଇନି । କେବଳ ମନଇଚ୍ଛା ଜରିମାନା କଷାଯାଇଛି । ପୁଣି ୯.୮୦ ଲକ୍ଷ ମାମଲାରେ ଲୋକେ କେଉଁ ସ୍ଥାନରେ ନିୟମ ଭାଙ୍ଗିଛନ୍ତି ତାର କୌଣସି ଭୌଗୋଳିକ ସୂଚନା( ଅକ୍ଷାଂଶ ଓ ଦ୍ରାଘିମା ତଥ୍ୟ) ନାହିଁ ।