ଉଦଳା: ଯାତ୍ରୀଙ୍କୁ ଧରି ବସଷ୍ଟାଣ୍ଡରେ ପହଞ୍ଚିଲା ବସ୍। ସମସ୍ତେ ନିଜ ନିଜ ଆସବାବ ପତ୍ର ଧରି ଓହ୍ଲାଇବାକୁ ଆରମ୍ଭ କରିଥିଲେ। ହେଲେ ଏହାରି ମଧ୍ୟରେ କଣ୍ଟକ୍ଟରଙ୍କୁ କିଛି ଯୁବକ ଘେରିଯାଇ ନିର୍ଧୁମ ପିଟିଥିଲେ। କେହି କିଛି ବୁଝିପାରୁନଥିଲେ। ଆଉ କିଛି ସମୟ ଧରି ମାଡ଼ ମାରି ଲହୁଲୁହାଣ କରିଦେଇଥିଲେ ସେହି ଯୁବକମାନେ। ଆଉ ସେଠାରୁ ମାରିଥିଲେ ଚମ୍ପଟ। ଏଭଳି ଏକ ଘଟଣା ଘଟିଛି ଉଦଳା ବସଷ୍ଟାଣ୍ଡରେ। ଆଉ ଘଟଣା ପଛରେ କାରଣ ବି ଖୁବ୍ ରୋଚକ।

ସୂଚନା ଅନୁସାରେ, ଭୁବନେଶ୍ବରରୁ ଉଦଳା ଆସୁଥିବା ରାଜବାବୁ ନାମକ ଏକ ଯାତ୍ରୀବାହୀ ବସରେ ଜଣେ ଯୁବକ ଉଦଳା ଆସୁଥିଲେ। ହେଲେ ପାଣିକୋଇଲି ନିକଟରେ ବସ୍ ଛିଡ଼ା ହୋଇଥିବା ବେଳେ ଯାତ୍ରୀ ଜଣକ କାହାକୁ କିଛି ନଜଣାଇ ପରିସ୍ରା ନିମନ୍ତେ ଓହ୍ଲାଇଯାଇଥିଲେ। ଏହାରି ଭିତରେ ବସ୍ ଛାଡ଼ିଦେଇଥିଲା। ଏମିତିରେ ବସ୍ଟି ସେଠାରୁ ପଳାଇ ଆସିବା ପରେ ଯାତ୍ରୀ ଜଣକ ବସ୍ କଣ୍ଡକ୍ଟରଙ୍କୁ ଫୋନ କରି ଗାଡ଼ି ଅଟକାଇବାକୁ କହିଥିଲେ। କିନ୍ତୁ ବସ୍ ଅଟକାଇଲେ ବିଳମ୍ବ ହୋଇଯିବ ବୋଲି କହିବା କଣ୍ଡକ୍ଟର ତାଙ୍କୁ ଅନ୍ୟ ଏକ ବସରେ ଭଦ୍ରକରେ ପହଞ୍ଚିବାକୁ କହିଥିଲେ ।

Also Read: ପିସିଆର ଭ୍ୟାନ୍ ଦେଖି ଜଙ୍ଗଲକୁ ଧାଇଁଲେ ଡକାୟତ, ଗୋଡେଇ ଗୋଡେଇ ଧରିଲା ପୋଲିସ

ଯୁବକ ଜଣକ ଅନ୍ୟ ଏକ ବସରେ ଆସି ଭଦ୍ରକରୁ ପୁଣି ରାଜବାବୁ ବସରେ ଧରି ଉଦଳା ଆସିଥିଲେ। କିନ୍ତୁ ଉଦଳା ପହଞ୍ଚିବା ମାତ୍ରେ ସମ୍ପୃକ୍ତ ଯୁବକ ଏବଂ ତାଙ୍କର ଅନ୍ୟ ୪ ସହଯୋଗୀ ଲୁହା ରଡ୍, ପ୍ଲାଷ୍ଟିକ୍ ପାଇପ୍ ଏବଂ ଠେଙ୍ଗା ସାହାଯ୍ୟରେ ବସଷ୍ଟାଣ୍ଡରେ ହିଁ କଣ୍ଡକ୍ଟରଙ୍କୁ ନିର୍ଘାତ ମାଡ଼ ମାରି ଲହୁଲୁହାଣ କରିଥିଲେ। ଆଉ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ତେବେ ଏନେଇ କଣ୍ଡକ୍ଟର ଉଦଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।