ନୂଆଦିଲ୍ଲୀ: ଦୂରଦର୍ଶୀ ନେତା ସବୁବେଳେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଜ୍ଞାନ ଓ ଗୁଣକୁ ଗୁରୁତ୍ୱ ଦିଅନ୍ତି। ଭିଜନାରୀ ଲିଡର ନଜରରେ ଶିକ୍ଷା ସବୁବେଳେ ପ୍ରଥମ ଗୁରୁତ୍ୱ ପାଇଥାଏ। ଦୀର୍ଘ ବର୍ଷ ପରେ ପଶ୍ଚିମ ଆଫ୍ରିକୀୟ ଦେଶ ବୁର୍କିନା ଫାସୋ ଏମିତି ଜଣେ ନେତାଙ୍କୁ ପାଇଛି, ଯିଏ ଦେଶର ଦିଶା ବଦଳାଇ ଦେଇଛନ୍ତି। ସେ ହେଉଛନ୍ତି ଦେଶର ଅନ୍ତରୀଣ ରାଷ୍ଟ୍ରପତି ଇବ୍ରାହିମ ଟ୍ରାଓରେ।

ହେଇପାରେ ଆର୍ମି ବଳରେ ସେ ଏକଛତ୍ରବାଦ ଶାସକ ହୋଇଛନ୍ତି, ହେଲେ ଯେବେଠାରୁ ଦେଶର ଡୋର ସମ୍ବାଳିଛନ୍ତି ସେବେଠାରେ ବୁର୍କିନା ଫାସୋର ହୁଲିଆ ବଦଳିଯାଇଛି। ଫ୍ରାନ୍ସର ଶୋଷଣ ବିରୁଦ୍ଧରେ ପୂରା ଦେଶ ଏକାଠୀ ହୋଇଛି।

ନିକଟରେ ଶିକ୍ଷାକୁ ନେଇ ଇବ୍ରାହିମ ଟ୍ରାଓରେ ଯେଉଁ ବୟାନ ଦେଇଛନ୍ତି ତାକୁ ନେଇ ବର୍ତ୍ତମାନ ଚାରିଆଡ଼େ ଚର୍ଚ୍ଚା। ସାଉଦି ଆରବରେ ଶରିଆ ପଢ଼ୁଥିବା ବୁର୍କିନାବେ ଛାତ୍ରଙ୍କଠାରୁ ନାଗରିକତା ବାତିଲ କରିବାକୁ ଧମକ ଦେଇଛନ୍ତି ଅନ୍ତରୀଣ ରାଷ୍ଟ୍ରପତି ଇବ୍ରାହିମ ଟ୍ରାଓରେ। କେବଳ ସେତିକି ନୁହେଁ, ଦେଶରେ ଶରିଆ ଆଇନ ଲାଗୁ କରାଯାଇପାରିବ ନାହିଁ ବୋଲି ସେ ଚରମପନ୍ଥୀମାନଙ୍କୁ ରୋକଠୋକ୍ ଶୁଣାଇ ଦେଇଛନ୍ତି।

ସାମରିକ ବିଦ୍ରୋହରେ କ୍ଷମତାକୁ ଆସିଥିବା ତ୍ରାଓରେ କହିଛନ୍ତି ଯେ ସେ ଜଣେ ମୁସଲମାନ ହୋଇଥିଲେ ମଧ୍ୟ ତାଙ୍କ ଶାସନରେ ସମସ୍ତ ଧର୍ମର ଲୋକମାନେ ସମ୍ପୂର୍ଣ୍ଣ ସ୍ୱାଧୀନତା ଉପଭୋଗ କରିବେ। ବୁର୍କିନା ଫାସୋରେ କୌଣସି ଧର୍ମ ରାଷ୍ଟ୍ରଠାରୁ ବଡ଼ ହେବ ନାହିଁ। ଦେଶରେ ଶରିଆ ଆଇନ ଲାଗୁ ହେବ ନାହିଁ ବୋଲି ଏକ ସାଧାରଣକୁ ସମ୍ବୋଧନ କରି କହିଛନ୍ତି ଟ୍ରାଓରେ।

ବିଦେଶରେ ଶରିଆ ପଢ଼ିଲେ ନାଗରିକତା ହେବ ରଦ୍ଦ

ନିଜ ଦେଶରେ ଶରିଆ ଆଇନ ଲାଗୁ ହେବ ନାହିଁ ବୋଲି ଘୋଷଣା କରିବା ପରେ ଯେଉଁ ନାଗରିକମାନେ ଶରିଆ ପଢ଼ିବାକୁ ସାଉଦି ଆରବ ଯାଇଛନ୍ତି ସେମାନଙ୍କ ଉପରେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି ଟ୍ରାଓରେ। ସେ କହିଛନ୍ତି ଯେ ଛାତ୍ରଛାତ୍ରୀମାନେ ଦେଶର ବିକାଶରେ ଯୋଗଦାନ ଦେଇପାରୁଥିବା ବୈଷୟିକ ଦକ୍ଷତା ଶିଖିବା ଉପରେ ଧ୍ୟାନ ଦେବା ଉଚିତ। ଯେଉଁମାନେ ସାଉଦି ଆରବକୁ ଶରିଆ ଶିଖିବାକୁ ଯାଇଛନ୍ତି, ସେମାନେ ସେହିଠାରେ ରହିଯାଆନ୍ତୁ, ସେମାନେ ଦେଶକୁ ଫେରିବା ଉଚିତ ନୁହେଁ।ଟ୍ରାଓରେ କହିଛନ୍ତି “ମୁଁ ଜଣେ ମୁସଲମାନ। କିନ୍ତୁ ବୁର୍କିନା ଫାସୋରେ ସମସ୍ତଙ୍କୁ ନିଜ ଧର୍ମ ପାଳନ କରିବାର ଅଧିକାର ରହିଛି। ଏ ଦେଶରେ କେବେ ବି ଶରିଆ ଆଇନ ଲାଗୁ ହେବ ନାହିଁ। ଆମ ଦେଶର ବିକାଶରେ ସାହାଯ୍ୟ କରିବା ପାଇଁ ବୈଷୟିକ ଜ୍ଞାନ ଏବଂ କୌଶଳ ଶିଖିବା ପରିବର୍ତ୍ତେ, ତୁମେ ଶରିଆ ଆଇନ ପଢ଼ିବାକୁ ବାଛିଲ। ତୁମେ ଯେଉଁଠାରେ ଅଛ ସେଠାରେ ରୁହ। ତୁମକୁ ଏଠାକୁ ଫେରିବାକୁ ଅନୁମତି ଦିଆଯିବ ନାହିଁ।”

Also Read- Delivery Rider : ଡେଲିଭରୀ ବୟଙ୍କୁ ଚୀନ୍ର ସବୁଠୁ ବଡ଼ ସାହିତ୍ୟ ସମ୍ମାନ, ଖାଦ୍ୟ ବଣ୍ଟନ ସମୟରେ ଲେଖିଥିଲେ ଅନେକ କବିତା

ଇବ୍ରାହିମ ଟ୍ରାଓରେ କିଏ ?

ଇବ୍ରାହିମ ଟ୍ରାଓରେ ସାମରିକ ବିଦ୍ରୋହ କରି ୨୦୨୨ରେ ଦେଶର କ୍ଷମତା ଦଖଲ କରିଥିଲେ। ସେବେଠାରେ ସେ ଦେଶରେ ଅନ୍ତରୀଣ ରାଷ୍ଟ୍ରପତି ପଦରେ ଅଛନ୍ତି। ଗାଦିଚ୍ୟୁତ କରି ରାଷ୍ଟ୍ରପତି ହେବା ସମୟରେ ତାଙ୍କର ବୟସ ମାତ୍ର ୩୪ ବର୍ଷ ହୋଇଥିଲା। ସେତେବେଳେ ସେ ବିଶ୍ୱର ସବୁଠାରୁ ଯୁବ ରାଷ୍ଟ୍ରାଧ୍ୟକ୍ଷ ହୋଇଥିଲେ। କ୍ଷମତାକୁ ଆସିବା ପରେ ଟ୍ରାଓରେ ନିଜକୁ ରାଷ୍ଟ୍ରବାଦୀ ଓ ସାମ୍ରାଜ୍ୟ ବିରୋଧୀ ରୂପରେ ଦର୍ଶାଇ ଆସିଛନ୍ତି। ସେଠାରେ ତାଙ୍କର ଲୋକପ୍ରିୟତା ବି ଖୁବ ରହିଛି। ଦେଶରେ ଜନତାଙ୍କ ସହିତ ନିଶଙ୍କୋଚରେ ମିଶିବା, ସେମାନଙ୍କ ଅଭିଯୋଗ ଶୁଣିବା ଆଦି କାମ ତାଙ୍କୁ ସେଠାରେ ଲୋକପ୍ରିୟ ବନାଇ ଦେଇଛି।

୫ ଥର ହୋଇଛି ହତ୍ୟା ଉଦ୍ୟମ

ଇବ୍ରାହିମ ତ୍ରାଓରେ ୧୯୮୮ ମସିହାରେ ପଶ୍ଚିମ ବୁର୍କିନା ଫାସୋର କେରାରେ ଜନ୍ମଗ୍ରହଣ କରିଥିଲେ। ବିଜ୍ଞାନ ଏବଂ ଭୂତତ୍ତ୍ୱରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ, ସେ ଦେଶର ସେନାରେ ଯୋଗ ଦେଇଥିଲେ। ଦେଶର ଜିହାଦୀ ବିଦ୍ରୋହ ସମୟରେ ସେ ଆତଙ୍କବାଦ ବିରୁଦ୍ଧରେ ଲଢ଼ିଥିଲେ। ସେପ୍ଟେମ୍ବର ୨୦୨୨ରେ, ସେ ଏକ ସଫଳ ବିପ୍ଳବର ନେତୃତ୍ୱ ନେଇଥିଲେ ଯାହା ତତ୍କାଳୀନ ଅନ୍ତରୀଣ ରାଷ୍ଟ୍ରପତି ପଲ-ହେନରି ସାଣ୍ଡାଗୋ-ଡାମିବାଙ୍କୁ ଗାଦିଚ୍ୟୁତ କରିଥିଲା। କ୍ଷମତା ଗ୍ରହଣ କରିବା ପରଠାରୁ, ଚ୍ରାଓରେଙ୍କୁ ୫ଥର ହତ୍ୟା କରିବାକୁ ଚେଷ୍ଟା କରାଯାଇଛି। ଆମେରିକା ତାଙ୍କୁ ମାରିବାକୁ ଚେଷ୍ଟା କରି ବିଫଳ ହୋଇଥିବା ଅଭିଯୋଗ ବି ରହିଛି।

ଗଣତନ୍ତ୍ର ବିରୋଧରେ ଟ୍ରାଓରେ

ଗଣତନ୍ତ୍ରର ମୂଲ୍ୟବୋଧକୁ ବିରୋଧ କରନ୍ତି ଟ୍ରାଓରେ। ଏହି ଏପ୍ରିଲ୍ ପୂର୍ବରୁ ଏକ ସାକ୍ଷାତକାରରେ, ଟ୍ରାଓର ଗଣତନ୍ତ୍ରକୁ ଘାତକ ବୋଲି କହିଥିଲେ। ଏବଂ ଦେଶର ଲୋକମାନେ ଏହାକୁ ଭୁଲିଯିବା ଉଚିତ। ଅଧିକାଂଶ ଆଫ୍ରିକୀୟ ଏକ ଗଣତାନ୍ତ୍ରିକ ବ୍ୟବସ୍ଥା ଚାହାଁନ୍ତି ନାହିଁ ଏବଂ ବୁର୍କିନା ଫାସୋର ନିଜସ୍ୱ ଅନନ୍ୟ ଆଭିମୁଖ୍ୟ ଅଛି ବୋଲି ସେ କହିଥିଲେ। ଟ୍ରାଓର ଆହୁରି କହିଥିଲେ ଯେ ଲୋକମାନେ ଗଣତନ୍ତ୍ରକୁ ଭୁଲିଯିବା ଉଚିତ। ଗଣତନ୍ତ୍ର ଆମ ପାଇଁ ନୁହେଁ। ଲିବିଆକୁ ଏହାର ଏକ ବଡ଼ ଉଦାହରଣ ବୋଲି ସେ କହିଥିଲେ।

ଟ୍ରାଓରେଙ୍କ ନେତୃତ୍ୱରେ, ବୁର୍କିନା ଫାସୋ ଦେଶକୁ ଧର୍ମନିରପେକ୍ଷ କରିବା ପାଇଁ ଦୃଢ଼ ପଦକ୍ଷେପ ନେଇଛି। ଗତ ମାସରେ, ବୁର୍କିନା ଫାସୋର ବିଧାନସଭା ସର୍ବସମ୍ମତିକ୍ରମେ ଧାର୍ମିକ ସ୍ୱାଧୀନତା ଉପରେ ଏକ ଆଇନକୁ ଅନୁମୋଦନ କରିଛି। ଏହି ନୂଆ ଆଇନ ଏକ ଧର୍ମନିରପେକ୍ଷ ଦେଶରେ ପୂଜା କରିବାର ସ୍ୱାଧୀନତା ସୁନିଶ୍ଚିତ କରିବାକୁ ଲକ୍ଷ୍ୟ ରଖିଛି। ମେ ମାସର ପ୍ରାରମ୍ଭରେ, ଓୱାଗାଡୋଗୁର ଗ୍ରାଣ୍ଡ ସୁନ୍ନି ମସଜିଦର ଇମାମଙ୍କ ସମେତ ଧାର୍ମିକ ନେତାମାନେ ଡ୍ରାଫ୍ଟ ବିଲ୍ର ପ୍ରତିବାଦ କରିଥିଲେ। ପ୍ରତିବାଦ ପରେ, ଇମାମଙ୍କୁ ଗିରଫ କରାଯାଇଥିଲା।