ନୂଆଦିଲ୍ଲୀ ୨୧।୦୭:ଚୀ ଜଣେ ଡେଲିଭରୀ ବୟଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା । ୫୬ ବର୍ଷୀୟ ୱାଙ୍ଗ ଜିବିଙ୍ଗଙ୍କୁ ଦେଶର ସବୁଠୁ ପ୍ରତିଷ୍ଠିତ ‘ଲୁ ଶୁନ୍’ ସାହିତ୍ୟ ପୁରସ୍କାର ଦ୍ୱାରା ସମ୍ମାନିତ କରାଯାଇଛି । ତାଙ୍କ କବିତା ସଂଗ୍ରହ ‘ଲୋ ଫ୍ଲାଇଟ୍’କୁ ଏହି ସମ୍ମାନ ଦିଆଯାଇଛି । ପୁସ୍ତକର ଅନେକ କବିତା ସେ ଫୁଡ୍ ଡେଲିଭରୀ ମଧ୍ୟରେ ମିଳିଥିବା ଖାଲି ସମୟରେ ଛୋଟ ଛୋଟ କାଗଜ ଖଣ୍ଡରେ ଲେଖିଥିଲେ । ୨୦୧୯ରେ ୱାଙ୍ଗ ଫୁଡ୍ ଡେଲିଭରୀ ଆରମ୍ଭ କରିଥିଲେ । ତାଙ୍କ କବିତା ସୋସିଆଲ ମିଡିଆରେ ଖୁବ୍ ଲୋକପ୍ରିୟ ହେଲା । ତାଙ୍କର ‘ଲୋ ଫ୍ଲାଇଟ୍’ ପୁସ୍ତକ ଫୁଡ୍ ଡେଲିଭରୀ ଚାଳକଙ୍କ ଦୈନନ୍ଦିନ ସମସ୍ୟା, ସଂଘର୍ଷ ଓ ଜୀବନ ଉପରେ ଆଧାରିତ ।

୨୦୨୪ରେ ଏହି ପୁସ୍ତକ ପ୍ରକାଶ ପାଇଥିଲା । ଏଥିପାଇଁ ସେ ପ୍ରାୟ ୨୦୦ ଡେଲିଭରୀ ବୟଙ୍କ ସହ ଆଲୋଚନା କରିଥିଲେ ଏବଂ ସେମାନଙ୍କ ଅନୁଭବକୁ ନିଜ କବିତା ଜରିଆରେ ପୁସ୍ତକରେ ଉତାରିଥିଲେ । ଚୀନ୍ର ଜିୟାଙ୍ଗସୁ ପ୍ରାନ୍ତରେ ଜନ୍ମିତ ୱାଙ୍ଗ ଆର୍ଥିକ ସମସ୍ୟା ଯୋଗୁ ୧୪ ବର୍ଷ ବୟସରେ ଅଧ୍ୟୟନ ଛାଡ଼ିଥିଲେ । ଏହା ପରେ ନିର୍ମାଣ କାର୍ଯ୍ୟରେ ମଜୁରିଆ, କବାଡ଼ିଆ ଏବଂ ରାସ୍ତା କଡ଼ରେ ଜିନିଷ ବିକ୍ରି ଭଳି ଛୋଟ ଛୋଟ କାମ କଲେ । ପରେ ଫୁଡ୍ ଡେଲିଭରୀ ରାଇଡର୍ ହେଲେ । କିନ୍ତୁ ତାଙ୍କର ଅଧ୍ୟୟନ ସଉକ କଦାପି ମରିନଥିଲା ।

୨୦୨୨ରେ ୱାଙ୍ଗଙ୍କ କବିତା ‘ମ୍ୟାନ୍ ଇନ୍ ଏ ହରି’ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହା ୨୦୧୯ର ଏକ ଘଟଣା ଦ୍ୱାରା ପ୍ରେରିତ ଥିଲା । ସେତେବେଳେ ସେ ଜିୟାଙ୍ଗସୁର କୁନଶାନ ସହରରେ ଫୁଡ୍ ଡେଲିଭରୀ କରୁଥିଲେ । ଜଣେ ଗ୍ରାହକ ତାଙ୍କୁ ଭୁଲ ଠିକଣା ଦେଇଥିଲେ । ଠିକ୍ ଘର ଖୋଜିବା ଲାଗି ତାଙ୍କୁ ୩ ଅଟ୍ଟାଳିକାରେ ବୁଲିବାକୁ ପଡ଼ିଲା ଏବଂ ୧୮ ମହଲା ଯାଏ ସିଡ଼ି ଚଢ଼ିବାକୁ ପଡ଼ିଲା । ଶେଷରେ ଖାଦ୍ୟ ନେଇ ପହଞ୍ଚିବା ପରେ ବିଳମ୍ବ ହେବାରୁ ଗ୍ରାହକ ୱାଙ୍ଗଙ୍କୁ ଗାଳି କଲେ । ଘରକୁ ଫେରିବା ସମୟରେ ନୈରାଶ୍ୟ ଓ କଷ୍ଟକୁ ସେ ଶବ୍ଦର ରୂପ ଦେଲେ । ଏଥିରୁ ତାଙ୍କ କବିତା ‘ମ୍ୟାନ୍ ଇନ୍ ଏ ହରି’ ଜନ୍ମ ନେଲା । ଏହିଠାରୁ ତାଙ୍କ ସାହିତ୍ୟ ଯାତ୍ରା ଆରମ୍ଭ ହେଲା ।

୨୦୨୩ରେ ତାଙ୍କର ପ୍ରଥମ କବିତା ସଂଗ୍ରହ ରୂପେ ଏହି ପୁସ୍ତକ ପ୍ରକାଶ ପାଇଲା । ୱାଙ୍ଗ ଅଦ୍ୟାବଧି ୬ ହଜାରରୁ ଅଧିକ କବିତା ଲେଖି ସାରିଲେଣି । ତାଙ୍କର ଅନେକ ରଚନା ଦେଶର ପ୍ରତିଷ୍ଠିତ ସାହିତ୍ୟ ପତ୍ରିକାରେ ପ୍ରକାଶ ପାଇଛି । ପୁରସ୍କାର ଜିତିବା ପରେ ସେ ଗଣମାଧ୍ୟମକୁ କହିଛନ୍ତି, ଏହି ଖବର ଶୁଣି ସେ ଖୁବ୍ ଭୟଭୀତ ହୋଇଥିଲେ । ଗଣମାଧ୍ୟମ ଯୋଗୁ ତାଙ୍କର ମାନସିକ ଚାପ ବି ଖୁବ୍ ବଢ଼ିଥିବା ସେ କହିଛନ୍ତି । ପୁରସ୍କାର ମିଳିବା ପରେ ଫୁଡ୍ ଡେଲିଭରୀ କାମ ଛାଡ଼ିବେନି ବୋଲି ୱାଙ୍ଗ ସ୍ପଷ୍ଟ କରିଛନ୍ତି ।